spot_img
Home Blog Page 942

ଆସନ୍ତାକାଲି ବିଶ୍ବ ପଖାଳ ଦିବସ, ବିଭିନ୍ନ ହୋଟେଲ ସଂଗଠନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ବିଶ୍ବ ପଖାଳ ଦିବସ । ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ଯକୁ ଲୋକପ୍ରିୟ ଓ ସାରା ବିଶ୍ବରେ ଆଦୃତ କରିବାକୁ ମାର୍ଚ୍ଚ ୨୦ରେ ଏହି ଦିବସ ପାଳିତ ହେଉଛି । ଏଥିପାଇଁ ବିଭିନ୍ନ ସଂଗଠନ ଓ ହୋଟେଲ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କଟକ ଜଗନ୍ନାଥ ସେବା ସମିତି ପକ୍ଷରୁ ଆୟୋଜିତ ହୋଇଛି ସାମୁହିକ ପଖାଳ ସେବନ କାର୍ଯ୍ଯକ୍ରମ । ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଦହି ପଖାଳର ମଜା ଲୁଟିଛନ୍ତି । ସେପଟେ ବାଲେଶ୍ବରର ବିଭିନ୍ନ ହୋଟେଲରେ ଏବେଠାରୁ ପ୍ରସ୍ତୁତ ହେଲାଣି ମେନୁ ।

ପାଟିକୁ ଯେମିତି ସୁଆଦିଆ, ଦେହକୁ ବି ସେମିତି ହିତକର । ଡହଡହ ଖରାରେ ବାସି ଭାତ ସାଙ୍ଗକୁ ଦହି ମିଶା ପଖାଳ ଗଣ୍ଡିଏ ପେଟରେ ପଡ଼ିଲେ ମିଳେ ଆତ୍ମତୃପ୍ତି । ଓଡ଼ିଆ ଘରର ଏହି ପଖାଳ କଂସାକୁ ବିଶ୍ବ ଦରବାରରେ ପରିଚିତ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ଆୟୋଜିତ ହେଉଛି ପଖାଳ ଦିବସ । ଏହି ଅବସରରେ କଟକ ସ୍ବେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଦିନକ ପୂର୍ବରୁ ଆୟୋଜିତ ହୋଇଥିଲା ସାମୁହିକ ଦହି ପଖାଳ ସେବନ କାର୍ଯ୍ୟକ୍ରମ । ସହରର ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ । ପଖାଳରେ ଦହି ଫୁଟଣ ସାଙ୍ଗକୁ ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଛୁଇଁ ଭଜା, ବିଲାତି ଚଟଣି, କଖାରୁ ଫୁଲ ଭଜା, ବଢି ଚୁରା, ଚେନାଚୁର ଓ ଶାଗ ଆଦିର ମଜା ଲୁଟିଥିଲେ ଲୋକେ । ପ୍ରାୟ ୫ ବର୍ଷ ହେଲା ସଂସ୍ଥା ପକ୍ଷରୁ ୫ ଶହ ଲୋକଙ୍କ ପାଇଁ ଏପରି ବ୍ଯବସ୍ଥା କରାଯାଉଥିବା କହିଛନ୍ତି ଆୟୋଜକ ।

ବାଲେଶ୍ବରରେ ପଖାଳ ଦିବସ ପାଇଁ ବିଭିନ୍ନ ହୋଟଲ ଓ କ୍ଲବ ମାନଙ୍କରେ କରାଯାଇଛି ବ୍ଯବସ୍ଥା । ମେନୁରେ ଉଭୟ ଆମିଷ ଓ ନିରାମିଷ ବ୍ଯଞ୍ଜନ ରହିଛି । କିଏ ପଖାଳ ସହ ମାଛ ଭଜା, ଚିଙ୍ଗୁଡ଼ି, କଙ୍କଡ଼ା, ଶୁଖୁଆ ଆଦି ରଖିଥିବାବେଳେ କିଏ ବଡ଼ିଚୁରା , ଶାଗ, ବାଇଗଣ ଆଳୁ ଭର୍ତ୍ତା ସହିତ ଶାଗ ଓ ଅନ୍ଯାନ୍ଯ ବ୍ଯଞ୍ଜନ ରଖିଛନ୍ତି । ସେପଟେ ଦିନକ ପୂର୍ବରୁ ଷ୍ଟେସନ କ୍ଲବ ପରିସର କାଳୀମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପଖାଳ ଦିବସ ପାଳନ କରାଯାଇଛି । ଦହି ପଖାଳ ସାଙ୍ଗକୁ ବଡି ଚୁରା, ଚୁନା ମାଛ ଖଟା, ମାଛ ଭଜା, ବାଇଗଣ ଭର୍ତ୍ତା, ଭଜା, ଶାଗ, ଶୁଖୁଆ ଆଦିର ମଜା ଲୁଟିଛନ୍ତି ଲୋକେ। ଓଡ଼ିଆଙ୍କ ପସନ୍ଦ ପଖାଳ । ଏପରିକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ମଧ୍ଯ ଏହା ଲାଗି ହୁଏ । ତେଣୁ ଏହାକୁ ଅଧିକ ପ୍ରଚାର କରିବା ଉଦ୍ଦେଶ୍ଯରେ ୨୦୧୨ରୁ ପାଳନ ହୋଇଆସୁଛି ପଖାଳ ଦିବସ ।

ଖୋର୍ଦ୍ଧା ଲଘୁ ଖଣିଜ ଚୋରା କାରବାର ଉପରେ ବଡ଼ ଧରଣର ରେଡ୍

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଲଘୁ ଖଣିଜ ଚୋରା କାରବାର ଉପରେ ବଡ଼ ଧରଣର ରେଡ୍ । ଆଦର୍ଶ ଥାନା ଅନ୍ତର୍ଗତ ସରଧାପୁରରେ ଚାଲିଥିବା ଖଣିରେ ସ୍ଵତନ୍ତ୍ର ଟାସ୍କ ଫୋର୍ସର ଚଢ଼ାଉ । ପାୱାର ଟିଲାର୍, ଜେସିବି, ଟ୍ରକ୍, ଟ୍ରାକ୍ଟର, ବାଇକ୍ ମୋଟ ୩୮ରୁ ଉର୍ଦ୍ଧ୍ବ ଗାଡ଼ି ଜବତ କରିଛି ଟିମ୍ । ଘଟଣାରେ ୬ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ୨୫ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଜିଲ୍ଲାରେ ସବୁକିଛି ଚାଲିଛି ଚୋରାରେ । ବିଶେଷ କରି ମାଙ୍କଡା ପଥର ର ଚାଲିଛି ଚୋରା ଚାଲାଣ । ବହୁବର୍ଷ ଧରି ଏଭଳି ଲଘୁ ଖଣିଜ ଦ୍ରବ୍ୟ ଲୁଟ କରି ମାଫିଆଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଏବଂ ରାଜନେତା ମାଲାମାଲ ହେଉଛନ୍ତି । ଏଭଳି ଚଢ଼ାଉ ଖୋର୍ଦ୍ଧା ଜିଲ୍ଲାରେ ପୂର୍ବରୁ ବହୁବାର ହୋଇଛି । ରାଜ୍ୟ ସରକାର ଚୋରା ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଧିଷ୍ଟ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏମିତି ଚାଲିଥିବ ଏବଂ ନାମକୁ ମାତ୍ର ଚଢ଼ାଉ କରି ପୋଲିସ ଅଧିକାରୀ ସାବାସି ନେଉଥିବେ ବୋଲି ଲୋକେ ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

କମିଶନରେଟ ପୋଲିସ ଜାଲରେ ନିଶା ମାଫିଆ ଗ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ: କମିଶନରେଟ ପୋଲିସ ଜାଲରେ ନିଶା ମାଫିଆ ଗ୍ୟାଙ୍ଗ । ମୈତ୍ରୀବିହାର ଥାନା ହାତିଆଶୁଣି ପାଣି ଟାଙ୍କି ନିକଟରେ ବ୍ରାଉନସୁଗର କାରବାର ବେଳେ ମାଡିବସିଲା ସ୍ପେଶାଲ ସ୍କ୍ବାଡ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ୨୭୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ୫ ନିଶା ମାଫିଆଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମୁନା ସେଠୀ, ରେକା ପଟ୍ଟନାୟକ, ସୁବ୍ରତ ରାଉତ, ସୁବ୍ରତ ପଟ୍ଟନାୟକ ଓ ଟିଙ୍କୁ ମହାନ୍ତ । ସେମାନଙ୍କ ଠାରୁ ଏକ ମାରୁତି ସୁଜୁକି କାର, ଗୋଟିଏ ସ୍କୁଟି, ୪ ଟି ମୋବାଇଲ ଓ ୧୪ ହଜାର ୫ ଶହ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ମୁନା ନାଁରେ ଖଣ୍ଡଗିରି, ନୟାପଲ୍ଲୀ, ଚନ୍ଦକା ଥାନାରେ ୧୭ ଟି ମାମଲା ଥିବା ଜଣାପଡିଛି । ସାଲିଆ ସାହି ଅଞ୍ଚଳରେ ଏହି ଧଳାଜହର କାରବାର ନେଇ ଯୋଜନା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରିବା ସହ ନିଶାଦ୍ରବ୍ୟ ଜବତ କରିଥିଲା କମିଶନରେଟ ପୋଲିସ।  ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଡ୍ରଗ୍ସ କାରବାର ବୃଦ୍ଧି ଯୋଗୁଁ ବିଗୁଡୁଛି ରାଜ୍ଯର ଆଇନ ଶୃଙ୍ଖଳା

ନନ୍ଦିଘୋଷ ବ୍ୟୁରୋ: କେଉଁଠି ଖଣ୍ଡା ବୁଲୁଛି ତ ଆଉ କେଉଁଠି ଗର୍ଜୁଛି ବନ୍ଧୁକ । ମୁଣ୍ଡ ଗଡ଼ିବା ପଛର ମୂଳ କାରଣ ପାଲଟିଛି ମଦ । ସେପଟେ ଦାମୀ ନିଶା କୋକେନ୍, ମାରିଜୁଆନା, ବ୍ରାଉନସୁଗର ହବ୍ ପାଲଟିଛି ଓଡିଶା । ବିଧାନସଭାରୁ ହସ୍ତଗତ ହୋଇଥିବା ଏହି ତଥ୍ୟ ଓଡିଶା ପୋଲିସ ଓ ଅବକାରୀ ବିଭାଗ ପାଇଁ ପାଲଟିଛି ମୁଣ୍ଡବିନ୍ଧା ।

ନିଶା କରୁଛି ନାଶ । ଯୁବପିଢ଼ିଙ୍କୁ କରୁଛି ଗ୍ରାସ । ଡ୍ରଗ୍ସ କାରବାର ପାଇଁ ଗଡୁଛି ମୁଣ୍ଡ । ବେଶ ଉଦବେଗଜନକ ସ୍ଥିତିରେ ପହଁଚିଛି ରାଜ୍ୟରେ ନିଶା କାରବାର । ବିଧାନସଭାରେ ବିଧାୟକ ଧୃବ ସାହୁ ପଚାରିଥିବା ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଶା ସେବନ ଓ କାରବାର ଜନିତ ଅପରାଧ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ । ଯାହାର ଉତ୍ତରରେ ୨୦୨୨ରେ ୧୮ ଶହ ୯୨ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୬ ଶହ ୩ ଜଣ ଗିରଫ ହୋଇଛନ୍ତି । ୧୧ ଶହ ୭୩ କେଜି ଗଞ୍ଜେଇ, ୫୦ କେଜି ରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ୨୦୨୩ ରେ ୧୮ ଶହ ୬୮ ଟି NDPS କେସ ରେ ୨୪ ଶହ ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧୮ଶହ ୧୧ କୁଇଣ୍ଟାଲ ଗଞ୍ଜେଇ ସହ ୧୭ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ସେହିପରି ଗତବର୍ଷ ବା ୨୦୨୪ରେ ୨୧ ଶହ ୬୦ NDPS କେସରେ ୨୨ ଶହ ୭୬ ଜଣଙ୍କୁ ଗିରଫ କରାଯାଇଛି । ୧୪ଶହ ୫୨ କୁଇଣ୍ଟାଲ ଗଞ୍ଜେଇ ସହ ୧୦ କେଜିରୁ ଉର୍ଦ୍ଧ୍ବ ଧଳାଜହର ଜବତ କରାଯାଇଛି ।

କେବଳ ଡ୍ରଗ୍ସ ନୁହେଁ, ଦାମୀ କୋକେନ୍, ମ୍ୟାରିଜୁଆନା ର କାରବାର ମଧ୍ୟ ବଢିଛି । ଭୁବନେଶ୍ୱର ବିମାନବନ୍ଦର ନେଇ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ବାହାର ଦେଶରୁ ଆସିବା ବେଳେ ଧରାପିଡ଼ିଛି । ସେହିପରି ଗତ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ହତ୍ୟାକାଣ୍ଡର କାରଣ ଅତ୍ୟଧିକ ନିଶା ସେବନ ବୋଲି ଜଣାପଡିଛି । କିଛିଦିନ ତଳେ ରାଜଧାନୀ ରାଜରାସ୍ତାରେ ଘଟିଥିବା ସହଦେଵ ନାୟକ ହତ୍ୟାକାଣ୍ଡର ମୁଖ୍ୟ କାରଣ ବ୍ରାଉନସୁଗର ବେପାର ବୋଲି ଜାଣିବାକୁ ପାଇଥିଲା ପୋଲିସ । ରାତିରେ ହାତିଏ ପାଇବା ନିଶାରେ ଡ୍ରଗ୍ସ ବେପାରୀମାନେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଢାଲ କରି ନାମିଦାମୀ କଲେଜ ମାନଙ୍କରେ ଧଳାଜହର କାରବାର କରୁଛନ୍ତି । ଯେଉଁଥିରେ କବଳିତ ହୋଇ ପଥ ହୁଡୁଛନ୍ତି ଯୁବପିଢି ।

ସେପଟେ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ନଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଶା କାରବାର ରେ ବ୍ୟବହୃତ ଗାଡିକୁ ତ୍ୱରିତ ପ୍ରକ୍ରିୟାରେ ବ୍ୟାଜାପ୍ତ କରି ନିଶା ମାଫିଆଙ୍କ ଛାତିରେ ଛନକା ପୁରାଇଛି ଓଡିଶା ପୋଲିସ ।

ରାଜ୍ୟରେ ୨୩ ତାରିଖ ଯାଏ ତାତିରୁ ମିଳିବ ଆଶ୍ବସ୍ତି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବଦଳିଲା ପାଗ ।୨୩ ତାରିଖ ଯାଏ ତାତିରୁ ମିଳିବ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ସୂଚନା । କୁଆପଥର ବର୍ଷା ସାଙ୍ଗକୁ ୩୦ରୁ ୪୦ କିଲୋମିଟର ଯାଏଁ ପବନ ବହିବା ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଭଦ୍ରକ, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ ପରି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରିଛି ପାଣିପାଗ କେନ୍ଦ୍ର । ୨୧ ତାରିଖରେ ବର୍ଷା ପରିମାଣ ବଢିବା ସହ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଝାରସୁଗୁଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ । ତେଣୁ ୨୨ ତାରିଖ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା କମିପାରେ । ଆଜି ଭୁବନେଶ୍ୱରରେ ୩୪.୬ ଓ କଟକରେ ୩୪.୦  ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ମାର୍ଚ୍ଚ ଆରମ୍ଭରୁ ଶୁଖିଗଲାଣି ଝାରସୁଗୁଡ଼ାର ଲାଇଫଲାଇନ୍ ଇବ ନଦୀ

ନନ୍ଦିଘୋଷ ବ୍ୟୁରୋ: ପଡୋଶୀ ଛତିଶଗଡରେ ମହାନଦୀ ଉପରେ ବ୍ୟାରେଜ ନିର୍ମାଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ମହାନଦୀରେ ପାଣି ଦିନକୁ ଦିନ କମିବାରେ ଲାଗିଛି । ଯାହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ।  ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଜିଲ୍ଲାବାସୀଙ୍କୁ ଏବେ ଚିନ୍ତାରେ ପକାଇଛି । ମାର୍ଚ୍ଚରୁ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଶୁଷ୍କ ଅବସ୍ଥାରେ । ଯେଉଁଠି ଦେଖିଲେ ଖାଲି ବାଲି ହିଁ ବାଲି । ମରୁଭୂମି ପରି ଲାଗୁଛି ନଦୀ ଗର୍ଭ । ଯାହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ବିନିକା ଠାରୁ ଆରମ୍ଭ କରି ବୀରମହାରାଜପୁର ପର୍ଯ୍ୟନ୍ତ ପ୍ରାୟ ୮୦ କିମିରୁ ଉର୍ଦ୍ଧ୍ୱହେବ ମହାନଦୀ ପ୍ରବାହିତ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ନଦୀଗର୍ଭ ମରୁଭୂମି ପାଲଟିଗଲାଣି । ସାଧାରଣତଃ ମହାନଦୀ ଜଳ ଉପରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ନିର୍ଭରଶୀଳ । ମହାନଦୀରୁ ଜଳସେଚିତ ହୋଇ ଚାଷ ହେଉଥିବା ବେଳେ ଜଳର ଅଭାବ ଏବେ ରବି ଋତୁରେ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଅନ୍ଯପଟେ ସମଗ୍ର ଜିଲ୍ଲାକୁ ମହାନଦୀରୁ ପାଣି ଯୋଗାଣ ହୋଇଥାଏ । ତେଣୁ ନଦୀର ଜଳସ୍ତର କମିବାରୁ ଏବେ ଚିନ୍ତାରେ ଚାଷୀ ଓ ମତ୍ସ୍ଯଜୀବୀ ।

ଚିରସ୍ରୋତା ମହାନଦୀ କୂଳରେ ଗଢି ଉଠିଥିବା ପ୍ରାଚୀନ ସୁବର୍ଣ୍ଣପୁର ସହର ସଂପୂର୍ଣ୍ଣ ନିର୍ଭର କରିଥାଏ ମହାନଦୀ ଜଳ ଉପରେ । ହେଲେ ଧିରେ ଧିରେ ନଦୀର ସ୍ରୋତ ମଧ୍ୟ କମିବାରେ ଲାଗିଛି । ରାଜ୍ୟର ଉପର ମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଇ ଥିବା ବେଳେ ରାଜନୀତି ନକରି ପାଣି ଛାଡିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଅନ୍ଯପଟେ ସାରା ରାଜ୍ୟରେ ମହାନଦୀର ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଛୋଟ ଛୋଟ ବ୍ୟାରେଜ ନିର୍ମାଣ ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ।

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା ଘଟଣା : ସାମ୍ନାକୁ ଆସିଲା ସାଙ୍ଘାତିକ ସତ

ନନ୍ଦିଘୋଷ ବ୍ୟୁରୋ: ମର୍ଚାଣ୍ଟ ନାଭି ଅଫିସର ସୌରଭ ସିଂ ରାଜପୁତଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ବଡ଼ ସତ । ପ୍ରେମିକ ସହ ମିଶି ପତ୍ନୀ ତାଙ୍କୁ ହତ୍ୟା କରିଛନ୍ତି । ତେବେ ପୂର୍ବରୁ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ କଥା ଜାଣିଥିଲେ ସୌରଭ । ଯାହାକି ଏବେ ସାମ୍ନାକୁ ଆସିଛି । ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ଛାଡ଼ପତ୍ର ଦେବାକୁ ଚାହୁଁନଥିଲେ । ମାତ୍ର ସ୍ତ୍ରୀ ଜିଦ ଧରିଥିଲେ କି, ସେ ଛାଡ଼ପତ୍ର ଚାହାଁନ୍ତି । କିନ୍ତୁ ଏହାକୁ ମନା କରିବାରୁ ଶେଷରେ ରାସ୍ତାରୁ ହଟାଇ ଦେଇଛନ୍ତି । ହତ୍ୟାଦିନ ମଧ୍ୟ ଛାଡ଼ପତ୍ର ଦେବାକୁ ବାଧ୍ୟ କରିଥିଲେ ପତ୍ନୀ । ମାତ୍ର ସେ ମନା କରିଥିଲେ ।

କହି ରଖୁଛୁ କି, ପତ୍ନୀଙ୍କ ଜନ୍ମଦିବସରେ ଶୁଭେଚ୍ଛା ଜଣାଇବାକୁ ଦୌଡ଼ିଆସିଥିଲେ ସୁଦୂର ଲଣ୍ଡନରୁ। ହେଲେ ସତେ ଯେପରି ତାଙ୍କୁ ଛକି ବସିଥିଲା ମୃତ୍ୟୁ। ଆଉ କେହି ନୁହେଁ ଖୋଦ୍ ପତ୍ନୀ ଓ ତାଙ୍କ ପ୍ରେମିକ ମିଶି ସ୍ବାମୀଙ୍କୁ କରିଥିଲେ ହତ୍ୟା। ଏହି ଲୋମହର୍ଷକ କାଣ୍ଡ ଘଟିଛି ଉତ୍ତରପ୍ରଦେଶ ମିରଠରେ। ମର୍ଚ୍ଚାଣ୍ଟ ନାଭି ଅଫିସରକୁଙ୍କୁ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ଶରୀରକୁ ୧୫ ଖଣ୍ଡ କରିଛନ୍ତି ଅଭିଯୁକ୍ତ। ଖଣ୍ଡବିଖଣ୍ଡିତ ଶରୀରକୁ ସେମାନେ ଏକ ଡ୍ରମ ଭିତରେ ସିଲ୍ କରିଦେଇଥିବା ଜଣାପଡିଛି। ଏହି ଘଟଣାରେ ୨୭ ବର୍ଷ ବୟସ୍କ ପତ୍ନୀ ମୁସକାନ ଓ ୨୬ ବର୍ଷ ବୟସ୍କ ପ୍ରେମିକ ସାହିଲଙ୍କୁ ଗିରଫ କରାଯାଇଛି। ଘଟଣା ଘଟିଛି ମିରଠ ଇନ୍ଦିରା ନଗରରେ। ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ରାଜପୁତ ନାମକ ୨୯ ବର୍ଷ ବୟସ୍କ ମର୍ଚ୍ଚାଣ୍ଟ ନାଭି ଅଫିସର ନିଖୋଜ ଥିଲେ।

ପରେ ପ୍ରେମୀଯୁଗଳ ରହୁଥିବା ସ୍ଥାନରୁ ଦୁର୍ଗନ୍ଧ ବାହାରିବେ ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ଜେରା ପରେ ଗତ ମାର୍ଚ୍ଚ ତାରିଖରେ ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ ୧୫ ଖଣ୍ଡ କରିଥିବା ସେମାନେ ସ୍ବୀକାର କରିଥିଲେ। ସୌରଭଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ମାମଲା ଦାୟର କରି ତଦନ୍ତ କରୁଛି। ଏପରିକି ସୌରଭଙ୍କ ପରିବାରର ଦୃଷ୍ଟି ଏଡାଇବାକୁ ଯାଇ ମୃତ ସୌରଭଙ୍କ ମୋବାଇଲରୁ ପତ୍ନୀ  ମେସେଜ ପଠାଇଥିବା ଜଣାଯାଇଛି। ହତ୍ୟା ପରେ ପ୍ରେମିକ ସହ ମିଶି ସେ ବୁଲିବାକୁ ଚାଲିଯାଇଥିବା ଜଣାପଡିଛି। ୨୦୧୬ରେ ବ୍ରହ୍ମପୁରୀ ଇନ୍ଦ୍ରନଗରୀ ବାସିନ୍ଦା ସୌରଭଙ୍କ ସହ ଗୁରିପୁରାର ମୁସ୍କାନ ରାସ୍ତୋଗୀଙ୍କ ସହ ପ୍ରେମ ବିବାହ ହୋଇଥିଲା। ପତ୍ନୀଙ୍କ ଜନ୍ମଦିନରେ ଲଣ୍ଡନରୁ ଆସିବା ପରେ ସୌରଭଙ୍କୁ ହତ୍ୟା କରିଥିଲେ ପ୍ରେମୀଯୁଗଳ।

ଚଣ୍ଡୀଗଡ଼ରେ ଚାଷୀଙ୍କ ଦାବି ଶୁଣିଲେ କେନ୍ଦ୍ର କୃଷିମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆନ୍ଦୋଳନରତ ଅନ୍ନଦାତାଙ୍କ ସହ କେନ୍ଦ୍ର ସରକାରଙ୍କ ଆଲୋଚନା। ଚଣ୍ଡୀଗଡ଼ରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ତେବେ ବଡ଼କଥା ହେଉଛି ଆମରଣ ଅନଶନରେ ବସିଥିବା ଚାଷୀ ନେତା ଜଗଜିତ ସିଂ ଦାଲେୱାଲ ଆମ୍ବୁଲାନ୍ସରେ ଆସି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ମଧ୍ଯରେ ସପ୍ତମ ପର୍ଯ୍ୟାୟ ଆଲୋଚନା ହୋଇଛି। କର୍କଟ ରୋଗରେ ପୀଡ଼ିତ ୭୦ ବର୍ଷ ବୟସ୍କ ଦାଲେୱାଲ ଗତ କିଛି ମାସ ଧରି ଚାଷୀ ସମସ୍ଯା ନେଇ ପଞ୍ଜାବ ହରିୟାଣା ସୀମା ଖାନାଉରିରେ ଆମରଣ ଅନଶନରେ ବସିଛନ୍ତି। ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଆଇନଗତ ଗ୍ଯାରେଣ୍ଟି ଦାବିରେ ଚାଷୀମାନେ ଦୀର୍ଘ ଦିନ ଧରି ଚଳାଇଛନ୍ତି ଆନ୍ଦୋଳନ।

ପ୍ରଥମ କିସ୍ତିରେ ସୁଭଦ୍ରା ଟଙ୍କା ପାଇଲେ, ଦ୍ଵିତୀୟ କିସ୍ତି ବେଳକୁ ବଢିଗଲା କି ଆୟ ? : ଖାତାକୁ ଆସିଲାନି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ କିସ୍ତିରେ ସୁଭଦ୍ରା ଟଙ୍କା ପାଇଲେ ଓ ଦ୍ଵିତୀୟ କିସ୍ତି ବେଳକୁ ଆୟ  ବଢିଗଲା, ତାଲିକାରୁ କଟିଗଲେ। ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇବାରୁ ଏବେ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା। ରାସନକାର୍ଡ ଓ ଆୟରେ ତାଳମେଳ ଖିଲାପି ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗିଥିବା ମାନିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ମାର୍ଚ୍ଚ ୩୧ ପରେ ହେବ ୱାନ ଟୁ ୱାନ ସର୍ଭେ। ଯୋଗ୍ୟ ବିବେଚିତ ହେଲେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି।ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ଵିତୀୟ କିସ୍ତି ଆସିବା ବେଳେ ଆୟବର୍ଗ ଅଧିକ ଥିବାରୁ ରାସନ କାର୍ଡ ଫେରାଇଛନ୍ତି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗିବାକୁ ପଡିଛି।କିଛି ମହିଳା ତାଙ୍କ ଭିତରୁ ଗାଡ଼ି କିଣିଛନ୍ତି।୫ ଏକର ଜମି ନ ଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି।ଏ ସମସ୍ତ ଅସୁବିଧାରୁ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ଅଧିକ  ଚାଲେଞ୍ଜ କରିଛି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି। ରକ୍ଷାବନ୍ଧନ ସମୟରେ ଯେଉଁମାନେ ତାଙ୍କ ଭିତରୁ ଯୋଗ୍ୟ ହେବେ ସେହି ସମୟର ତାଙ୍କ କିସ୍ତି ତାଙ୍କୁ ମିଳିବ। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସୁଭଦ୍ରାର ଆବେଦନ ଅବଧି ରହିଛି। ୨୧ ବର୍ଷ ଯାହାକୁ ହେଇଯିବ ସେମାନେ ଆବେଦନ କରିପାରିବେ। ଯେଉଁମାନେ ବଞ୍ଚିତ ରହିଛନ୍ତି ୩୧ ପରେ ୱାନ ଟୁ ୱାନ ସର୍ଭେ ହେବ କଣ କାରଣ ରହିଚି ଓ ସମସ୍ୟାର ସମାଧାନ ହେବ।

 

ଚିଲିକାରେ ବେଆଇନ ମାଛଧରା ଓ ଚିଙ୍ଗୁଡି ଘେରିକୁ ନେଇ ସଂସଦରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ବେଆଇନ ମାଛଧରା ଓ ଚିଙ୍ଗୁଡି ଘେରିକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ଚିଲିକାରେ  ଖାରି ଓ ମଧୁର ପାଣିର ସମିଶ୍ରଣ ବିଭିନ୍ନ ପ୍ରଜାତିର ମାଛ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଖଇଙ୍ଗା, ଚିଙ୍ଗୁଡି, କଙ୍କଡା ଏହାର ବିଭିଧତାକୁ ବଜାୟ ରଖିଥାନ୍ତି। କିନ୍ତୁ ଧିରେ ଧିରେ ବେଆଇନ ମାଛଧରା ଯୋଗୁ ଚିଲିକାର ଜୈବ ବିବିଧତା ନଷ୍ଟ ହେବାକୁ ବସିଛି ବୋଲି ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ମାନସ ମଙ୍ଗରାଜ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ବାଦଦେଲେ କିଛି ବାହାର ମତ୍ସ୍ୟଜୀବୀ ଚିଲିକାରୁ ବେଆଇନ ଭାବେ ମାଛ ଧରୁଛନ୍ତି। ବଡ ମାଛ ଓ ଚିଙ୍ଗୁଡି ସହ ଜାଆଁଳକୁ ମାରି ଦିଆଯାଉଛି।ଯାହାଦ୍ବାରା ମାଛ, ଚିଙ୍ଗୁଡି ଓ କଙ୍କଡାଙ୍କ ବଂଶବିସ୍ତାର ଋତୁ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ଭବିଷ୍ୟତ ପିଢି ପାଇଁ ଚିଲିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ବେଆଇନ ଚିଙ୍ଗୁଡି ଘେରିକୁ ବନ୍ଦ କରିବା ସହ ବିଭାଗୀୟ ମନ୍ତ୍ରଣାଳୟ ଆବଶ୍ୟକ ସଂରକ୍ଷଣ ନୀତି ଲାଗୁ କରିବାକୁ ସେ ଦାବି କରିଛନ୍ତି।