spot_img
Home Blog Page 943

ଆକ୍ସନ ମୋଡ଼ରେ ସିଏମସି: ପାର୍କିଂ ବ୍ୟବସ୍ଥା ନଥିବା ଘରୋଇ ହସ୍ପିଟାଲଙ୍କୁ ୭ ଦିନ ମହଲତ

କଟକ: କଟକରେ ବିଭିନ୍ନ ଘରୋଇ ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ଯାଞ୍ଚ ଆରମ୍ଭ । ସିଏମସି କମିଶନରଙ୍କ ଦ୍ଵାରା ଗଠିତ ଜଏଣ୍ଟ କମିଟି ସଦସ୍ୟ ଆଜି ମହାନଦୀ ବିହାର ଅଞ୍ଚଳରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲର ଲାଇସେନ୍ସ ସହିତ ପାର୍କିଂ ଯାଞ୍ଚ କରିଛି । ଦୁଇଟି ହସ୍ପିଟାଲର ପାର୍କିଂ ନଥିବା ଜଣାପଡିଛି । ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷରୁ ୭ଦିନ ମହଲତ ଦେଇଛି ସିଏମସି । ଏହି ଅବଧି ମଧ୍ୟରେ ପାର୍କିଂ ବ୍ୟବସ୍ଥା ନକଲେ ହସ୍ପିଟାଲକୁ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ପାର୍କିଂ ନଥିବାରୁ ସିଡିଏରୁ ସର୍ବକ୍ଷମା ପାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦର୍ଶାଇଥିବାବେଳେ ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

କମିଶନରଙ୍କ ନିର୍ଦ୍ଦେଶ ଜାରି ହେବା ପରେ ଆକ୍ସନ ମୋଡରେ ସିଏମସି । ଘରୋଇ ହସ୍ପିଟାଲ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ଜଏଣ୍ଟ କମିଟି । ଏହି କମିଟି କଟକ ମହାନଦୀ ବିହାର ଅଞ୍ଚଳରେ ବିଭିନ୍ନ ଘରୋଇ ହସ୍ପିଟାଲ ଯାଞ୍ଚ କରିଛି । ପାର୍କିଂ ସହ ଫାୟାର, ଟ୍ରେଡ଼, ୟୁଜର୍ସ, ପଲ୍ୟୁସନ, ସିଡିଏ ପ୍ଲାନ ଆଦି ଯାଞ୍ଚ କରିଛି ଟିମ୍ । ଯାଞ୍ଚ ସମୟରେ ଦୁଇଟି ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ନଥିବାରୁ କର୍ତ୍ତୃପକ୍ଷଙ୍କୁ ନୋଟିସ କରିବା ସହ ୭ ଦିନ ମହଲତ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ ପାର୍କିଂ ବ୍ୟବସ୍ଥା ନକରନ୍ତି ତେବେ, ହସ୍ପିଟାଲ ସିଲ୍ କରାଯିବାକୁ ଚେତାବନୀ ଦିଆଯାଇଛି ।

ଯାଞ୍ଚକୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଘରୋଇ ହସ୍ପିଟାଲ ସଂଘର ବରିଷ୍ଠ ସଦସ୍ୟ ସ୍ବାଗତ କରିଛନ୍ତି । ତେବେ ସପୃକ୍ତ ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସିଡିଏରେ ସର୍ବକ୍ଷମା ଆବେଦନ ହୋଇଥିଲା । ୧୫ ଲକ୍ଷ ଟଙ୍କା ଫାଇନ ପରେ ବିଲଡିଂକୁ ଅନୁମତି ମିଳିଥିବା କହିଛନ୍ତି କର୍ତ୍ତୃପକ୍ଷ । ତେବେ ଖୁବଶୀଘ୍ର ପାର୍କିଂ ନେଇ ସୁବିଧା କରାଯିବ ବୋଲି ମାଲିକ କହିଛନ୍ତି ।

ରାଣୀହାଟ, ମଙ୍ଗଳାବାଗ କାଠଗୋଲା, ଯୋବ୍ରା ବଜ୍ରକବାଟି ମହାନଦୀ ବିହାର, ସିଡିଏ ତୁଳସୀପୁର ଆଦି ଅଞ୍ଚଳରେ ମାଳ ମାଳ ହସ୍ପିଟାଲ ଚାଲିଛି । ତେବେ ଅନେକ ହସ୍ପିଟାଲ ବ୍ୟବସାୟ ଆଳରେ ମୌଳିକ ସୁବିଧାକୁ ଭୁଲି ଯାଇଥିବା ଅଭିଯୋଗ ହୋଇଛି ।

ଇଂଲଣ୍ଡ ସିରିଜରେ ଖେଳିବେନି ରୋହିତ, ନିଜ ନାଁ ଦେବାକୁ କଲେ ମାନ !

ନନ୍ଦିଘୋଷ ବ୍ୟୁରୋ: ୬ ମାସରେ ଦୁଇଟି ଆଇସିସି ଟ୍ରଫି ଜିତାଇ ଥିବା ଭାରତୀ ସଫଳ ଅଧିନାୟକ ତଥା ଡିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ନେଇ ବଡ଼ ଖବର । ଯାହା ତାଙ୍କ ପ୍ରଶଂସକଙ୍କୁ କରିଦେବ ନିରାଶ । ଆଗାମୀ ଇଂଲଣ୍ଡ ସିରିଜରେ ଖେଳିବେନି ରୋହିତ । ସିରିଜ ପାଇଁ ନିଜ ନାଁ ଦେବାକୁ ରୋହିତ ମନା କରିଥିବା ଶୁଣିବାକୁ ମିଳୁଛୁ । ବର୍ତ୍ତମାନ IPL ଚାଲିଛି । ଏହା ସରିବା ପରେ ଟିମ ଇଣ୍ଡିଆ ୫ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡ ଯିବ । ହେଲେ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ କାରଣରୁ ରୋହିତ ଇଂଲଣ୍ଡ ଯିବାକୁ ଚାହୁଁ ନଥିବା ରିପୋର୍ଟରେ କୁହାଯାଇଛି ।

ତେବେ ରୋହିତ ଇଂଲଣ୍ଡ ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ରୋହିତଙ୍କୁ ନେଇ ସସପେନ୍ସ ଦେଖା ଦେଇଥିବା ବେଳେ ବିରାଟ କୋହଲି ସିରିଜ ଖେଳିବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ସିଡନୀ ଟେଷ୍ଟରେ ରୋହିତ ଖେଳି ନଥିବା ବେଳେ ବୁମରାଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା । ନିକଟ ଅତୀତରେ ଭାରତ ଖେଳିଥିବା କିଛି ଟେଷ୍ଟ ସିରିଜରେ ଉଭୟ ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କୋହଲି ୧୯ଟି ଇଂନିସରେ ୨୨.୪୭ ଆଭରେଜରେ ୩୮୨ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ସେହିପରି ରୋହିତ ଶେଷ ୧୫ଟି ଇଂନିସରେ ୧୦.୯୩ ଆଭରେଜରେ ମାତ୍ର ୧୬୪ ରନ୍ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି ।

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଭାରତ ହାରିବା ପରେ ଉଭୟଙ୍କୁ ଇଂଲଣ୍ଡ ସିରିଜରେ ସ୍ଥାନ ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କୋହିଲଙ୍କ ପାଖରେ ଇଂଲଣ୍ଡରେ ଖେଳିବାର ଅଭିଜ୍ଞତା ଥିବାରୁ ବୋର୍ଡ ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ବିଚାର କରୁଛି । ସୂଚନାଯୋଗ୍ୟ, ଜୁନ୍ ୨୦ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି ।

୯ମ ଓ ୧୦ମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ବି ଖାଇବେ ମଧ୍ୟାହ୍ନ ଭୋଜନ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ । ୨୦୨୫-୨୬ ଶିକ୍ଷା ବର୍ଷରୁ ପ୍ରଦାନ କରାଯିବ ଏହି ମଧ୍ୟାହ୍ନ ଭୋଜନ ।

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟରୁ ଏଥିଲାଗି ଅର୍ଥ ଖର୍ଚ୍ଚ ହେବ । ଏଥିପାଇଁ ସରକାର ବାର୍ଷିକ ୫୭୦.୭୧ କୋଟି ଖର୍ଚ୍ଚ କରିବେ । ସେହିପରା ଆସନ୍ତା ଏପ୍ରିଲ ପହିଲାରୁ ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ । ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ  ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଲଡୁ । ସପ୍ତାହକୁ ୩ଟି ଲଡୁ ମିଳିବ । ମଙ୍ଗଳବାର, ଗୁରୁବାର ଓ ଶନିବାର ଲଡୁ ମିଳିବ । ସୋମବାର, ବୁଧବାର ଓ ଶୁକ୍ରବାର ଅଣ୍ଡା ଦିଆଯିବ । ଶୁକ୍ରବାର ଦିନ ଅଧିକ ଗୋଟିଏ ଅଣ୍ଡା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

୪ ନାବାଳକ ପିଲାଙ୍କୁ ହତ୍ୟା କରିବା ପରେ ବାପାଙ୍କ ଆତ୍ମହତ୍ୟା

ଶାହାଜାହାନପୁର: ଉତ୍ତର ପ୍ରଦେଶର ଶାହାଜାହାନପୁର ମାନପୁର ଚାଚାରି ଗାଁରେ ଘଟିଛି ଲୋମହର୍ଷକ ଘଟଣା । ନିଜ ୪ ସନ୍ତାନଙ୍କୁ ହତ୍ୟା କରିବା ପରେ ପତ୍ନୀଙ୍କ ଶାଢ଼ୀରେ ଝୁଲି ପତିଙ୍କ ଆତ୍ମହତ୍ୟା । ଗୋଟିଏ କୋଠରୀରୁ ସମସ୍ତଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ମଧ୍ୟରେ ୩ ନାବାଳିକା ଥିବା ବେଳେ ଜଣେ ନାବାଳକ ଅଛନ୍ତି ।

ପାରିବାରିକ କଳହର କରୁଣ ପରିଣତି । ପତ୍ନୀଙ୍କ ସହ ଝଗଡ଼ା ପରେ ନିଜର ୪ ନାବାଳକ ସନ୍ତାନଙ୍କ ଗଳାକାଟି ହତ୍ୟା କରିଛନ୍ତି ସ୍ବାମୀ । ଏହାପରେ ପତ୍ନୀଙ୍କ ଶାଢ଼ୀରେ ଝୁଲି ପଡ଼ି ସେହି ଘରେ ଆତ୍ମହତ୍ୟା କରିଛନ୍ତି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ପତ୍ନୀ ସହ କଳହ କରିବା ପରେ ସ୍ବାମୀ ଏହି ବର୍ବର କାଣ୍ଡ ଭିଆଇଥିବା ଜଣାପଡ଼ିଛି । ତେବେ ସେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି ଜଣାପଡିଛି । ମୃତକ ପିଲାମାନେ ହେଲେ ୧୩ ବର୍ଷ ବୟସ୍କ ଝିଅ ସ୍ମୃତି, ୯ ବର୍ଷ ବୟସ୍କ କୀର୍ତ୍ତି, ୭ ବର୍ଷର ପ୍ରଗତି ଏବଂ ୫ ବର୍ଷର ରିଷଭ । ହତ୍ଯାକାରୀ ବାପା ରାଜୀବ କାଥେରିଆଙ୍କୁ ୩୬ ବର୍ଷ ।

୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ

ଭୁବନେଶ୍ବର: ବଜ୍ରପାତ ଜନିତ ମୃତ୍ୟୁ ବଢ଼ାଇଛି ଚିନ୍ତା । ୫ ବର୍ଷରେ ବଜ୍ରପାତରେ ରାଜ୍ୟରେ ଗଲାଣି ୧୪୧୮ ଜଣଙ୍କ ଜୀବନ । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ।

୨୦୨୦-୨୧ରେ ୩୩୯ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୩୯ ଜଣଙ୍କ ଜୀବନ ଯାଇଛି । ୨୦୨୧-୨୨ରେ ୨୯୬ ଜଣଙ୍କ ଜୀବନ ଯାଇଥିଲା । ଏହିବର୍ଷ କେନ୍ଦୁଝରରେ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୨୨-୨୩ରେ ୩୦୬ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ୩୫ ଜଣଙ୍କ ଜୀବନ ଯାଇଥିଲା ।

୨୦୨୩-୨୪ରେ ୨୭୨ ଜଣଙ୍କ ଜୀବନ ଯାଇଥିଲା ଏହିବର୍ଷ ମୟୂରଭଞ୍ଜ ଓ ବାଲେଶ୍ୱରରେ ସର୍ବାଧିକ ୨୪ ଜଣ ଲେଖାଏଁ ଜୀବନ ହାରିଥିଲେ । ସେହିପରି ୨୦୨୪-୨୫ରେ ୨୦୫ ଜଣଙ୍କ ଜୀବନ ଯାଇଥିବା ବେଳେ ବାଲେଶ୍ୱରରେ ସର୍ବାଧିକ ୧୮ ଜଣଙ୍କ ଜୀବନ ଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି ।

କୋଭିଡ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଥିଲେ ହିରୋ, ସ୍ବୀକାର କଲେ ସରକାର

ଭୁବନେଶ୍ବର: କୋଭିଡ ମହାମାରୀ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପ୍ରଶଂସା । ରାଜସ୍ବ ସେବା ପ୍ରଦାନରେ ନବୀନଙ୍କ ନେତୃତ୍ବକୁ ସ୍ବୀକାର କାର କରିଛନ୍ତି ବର୍ତ୍ତମାନର ବିଜେପି ସରକାର । କୋଭିଡ ସମୟରେ ମଧ୍ୟ ନବୀନ ପଟ୍ଟନାୟକ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା । ଗୃହରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଭାବେ ଉତ୍ତର ଦେଇ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି, ତତ୍କାଳୀନ ରାଜ୍ୟ ସରକାର କୋଭିଡ୍-୧୯ ମହାମାରୀ କାରଣରୁ ସଂକ୍ରମଣ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରାଜସ୍ଵ ସେବା ପ୍ରଦାନକୁ ବ୍ୟାହତ ନକରି ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିଲେ । ବିଜେଡି ସରକାର ରାଜସ୍ଵ ରଥ କାର୍ଯ୍ୟକ୍ରମ ପ୍ରଣୟନ କରିଥିଲେ । ଏହି ରାଜସ୍ଵ ରଥ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ନିଜ ଘରେ ବସି ମଧ୍ୟ ଜମିପଟ୍ଟା ତଥା ବାସସ୍ଥାନ, ଆୟ, ଜାତିଗତ ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ଇତ୍ୟାଦି ପ୍ରଦାନ କରାଯାଉଥିଲା । ଜନସାଧାରଣଙ୍କୁ ତହସିଲ କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ରକୁ ଯିବାକୁ ପଡୁ ନଥିଲା । ବର୍ତ୍ତମାନ ସମୟରେ ସମସ୍ତ ପ୍ରକାରର ପଟ୍ଟା ଡାକ ଯୋଗେ ପ୍ରେରଣ କରାଯାଉଛି ଓ ଅନଲାଇନ ମାଧ୍ୟମରେ ଲୋକେ ବିବିଧ ପ୍ରମାଣ ପତ୍ର ପାଉଛନ୍ତି । ପ୍ରକାଶ ଥାଉକି ରାଜସ୍ଵ ରଥ କାର୍ଯ୍ୟକ୍ରମ ବର୍ତ୍ତମାନ ମଧ୍ୟ ଚାଲୁ ରହିଛି ।

ମହାପ୍ରଭୁଙ୍କ ଦର୍ଶନ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ବିଜେଡିର ଉଦବେଗ

ଭୁବନେଶ୍ବର: ଶୂନ୍ୟକାଳରେ ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା ନେଇ ଉଦବେଗ । ପ୍ରଶ୍ନ ଉଠାଇଲେ ପୁରୀର ବିଜେଡି ବିଧାୟକ ସୁନୀଲ ମହାନ୍ତି । କହିଲେ, ଜଗନ୍ନାଥ ମନ୍ଦିରରେ ପରିଚାଳନା କମିଟି କାର୍ଯ୍ୟକ୍ଷମ ନାହିଁ । ନୂଆ କମିଟି ଗଠନ ହୋଇନାହିଁ । ଶ୍ରୀଜିଉଙ୍କ ଦର୍ଶନ କରିବାରେ ପୁରୀର ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେ କହିଛନ୍ତି, ପୁରୀବାସୀଙ୍କୁ ପଶ୍ଚିମ ଦ୍ୱାରରେ ଆଧର କାର୍ଡ ଦେଖାଇ ଛଡା ଯାଉଥିଲା । ବର୍ତ୍ତମାନ ଚାରିଦ୍ୱାରରେ ଲମ୍ବା ଲାଇନ ଲାଗୁଛି । ଭକ୍ତମାନେ ଭୀଷଣ ଖରାରେ ହନ୍ତସନ୍ତ ହେଉଛନ୍ତି । ସପ୍ତାହକୁ ଥରେ କିମ୍ବା ମାସକୁ ଚାରିଦିନ ପୁରୀବାସୀଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଲେ ସୁନୀଲ । ଏହାସହ ସବୁବେଳେ ଲାଗି ରହୁଥିବା ଭିଡ଼କୁ ନିୟନ୍ତ୍ରଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ହାଉସ କମିଟି, ପୁରୀ ଯାଇ ବୈଠକ କରିବା ସହିତ ସମସ୍ୟାର ଅନୁଧ୍ୟାନ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବିଧାୟକ । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଦାବି କରିଛନ୍ତି ସେବାୟତ ଓ ପୁରୀବାସୀ ।

ଗୋଡ଼ାଇ ଗୋଡ଼ାଇ କଂଗ୍ରେସ କର୍ମୀଙ୍କୁ ପିଟିଲା ପୋଲିସ, ମହିଳା କର୍ମୀଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋୟର ପିଏମଜି । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ । ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ ସହ କଂଗ୍ରେସ କର୍ମୀଙ୍କ ହସ୍ତାଧସ୍ତି । ଲାଠିଚାର୍ଜ କଲା ପୋଲିସ । ଏକାଧିକ କଂଗ୍ରେସ କର୍ମୀ ଆହତ । କଂଗ୍ରେସ ନେତାଙ୍କୁ ଗିରଫ କଲା ପୋଲିସ ।

ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ପ୍ରତିବାଦରେ ଆଜି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ରାଜ୍ୟସ୍ତରୀୟ ନେତାଙ୍କ ନେତୃତରେ ହଜାର ହଜାର କଂଗ୍ରେସ କର୍ମୀ ବିଧାନସଭା ମୁହାଁ ହୋଇଥିଲେ । ତେବେ ଆନ୍ଦୋଳନକାରୀଙ୍କୁ ଚେକ ଦେବାକୁ ସବୁ ପ୍ରକାର ପ୍ରସ୍ତୁତି କରିଥିଲା କମିଶନରେଟ୍ ପୋଲିସ । ବ୍ୟାରିକେଡ ବସାଇ କଂଗ୍ରେସ କର୍ମୀଙ୍କ ପଥରୋଧ କରିଥିଲେ ପୋଲିସ କର୍ମୀ । ଏହାପରେ ଆରମ୍ଭ ହୋଇଥିଲା କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ଓ ଠେଲାପେଲା । ଏହି ସମୟରେ କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପୋଲିସ କର୍ମୀ ଅଟକାଇବାକୁ ଚେଷ୍ଟା କରିବା ସହ ପାଣି ମାଡ଼ କରିଥିଲା । ଏହାସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା । ଏପରିକି ପୋଲିସ କଂଗ୍ରେସ କର୍ମୀଙ୍କ ଉପରେ ଲାଠିଚାର୍ଜ କରିଥିଲା ।

ଗୋଟିଏ ପଟେ ପୋଲିସ ଲାଠିଚାର୍ଜ କରିଥିବା ବେଳେ ଅରପଟୁ କଂଗ୍ରେସ କର୍ମୀ ଚେୟାର ଫିଙ୍ଗିବା ସହ ବୋତଲ ଓ ଟେକା ମାଡ଼ କରିଥିଲେ । ଏହାପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏପରିକି ମହିଳା କଂଗ୍ରେସ କର୍ମୀଙ୍କଚ ମଧ୍ୟ ଛାଡ଼ଇ ନଥିଲେ ପୋଲି କର୍ମୀ । ପୋଲିସ ମହିଳା କର୍ମୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ କରିଛି ଦଳ । କିଛି ମହିଳା କର୍ମୀଙ୍କ ମୁଣ୍ଡ ଫାଟିଥିବା ବେଳେ ଅନେକ ଆଡତ ହୋଇଛନ୍ତି । ପୋଲିସ ଲାଠି ମାଡ଼ରେ କିଛି ମହିଳା କର୍ମୀ ବେହୋସ ହୋଇଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତାଙ୍କୁ ପୋଲିସ ଗିରଫ କରିଛି । ଦିନ ପ୍ରାୟ ଗୋଟାଏ ୪୫ରେ ପିସିସି ସଭାପତି ଭକ୍ତ ଦାସ ଏବଂ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାରାପ୍ରସାଦ ବାହିନୀପତିଙ୍କ ସମେତ ଦଳର ପ୍ରମୁଖ ନେତାଙ୍କୁ ପୋଲିସ ଉଠାଇ ନେଇଛି । ସେହିପରି ଆହତ ପୋଲିସ କର୍ମୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି । ଗିରଫଦାରୀକୁ ନେଇ ଭକ୍ତ କହିଛନ୍ତି, ଗିରଫକୁ ଭୟ ନାହିଁ । ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଭକ୍ତ କହିଛନ୍ତି ।

ଅନ୍ୟପକ୍ଷରେ ଭୁବନେଶ୍ବର ଡିସିପି କହିଛନ୍ତି, କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଦୋଳନକାରୀ ଏକ ଗାଡିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ତେବେ ଡ୍ରାଇଭର ସଜାଗ ଥିବାରୁ ଏକ ବଡ଼ ଧରଣର ବିପଦକୁ ରୋକାଯାଇପାରିଲା ।

ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର, କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଲାଠି ଚାର୍ଜ ଓ ପାଣି ମାଡ଼

ଭୁବନେଶ୍ବର ; କଂଗ୍ରେସର ବିଧାନସଭା ଘେରାଉ ବେଳେ ଲୋୟର ପିଏମଜି ହେଲା ରଣକ୍ଷେତ୍ର  । କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଛି ।  ପୋଲିସ ଓ କଂଗ୍ରେସ କର୍ମୀ ଠେଲାପେଲା ମଧ୍ୟରେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ କଂଗ୍ରେସର ଚେଷ୍ଟା କରିଛି । ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଲାଠି ଚାର୍ଜ କରିଛି । ଲୋୟର ପିଏମଜିରେ ଚେୟାର ଉଡିବା ସହ ବୋତଲ ଓ ଟେକା ମାଡ଼ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀଙ୍କ ଉପରେ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍  ପୋଲିସ ପକ୍ଷରୁ ପ୍ରୟୋଗ କରାଯାଇଛି । ଫଳରେ ଲୋୟର ପିଏମଜିରେ ପ୍ରବଳ ଉତ୍ତେଜନା ଲାଗିରହିଛି ।

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରୁଛି କଂଗ୍ରେସ। ରାମ ମନ୍ଦିର ନିକଟରୁ ହଜାର ହଜାର କର୍ମୀଙ୍କୁ ନେଇ ବିଧାନସଭା ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଥିଲା । ଶୋଭାଯାତ୍ରାର ଆଗରେ ରହିଛନ୍ତି ମହିଳା । କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିଛନ୍ତି। ଏହି ପଦଯାତ୍ରା ଲୋୟର ପିଏମଜିରେ ପହଞ୍ଚିବା ପରେ ବିଧାନସଭା ସମ୍ମୁଖରେ ବିଶାଳ ସମାବେଶ ହୋଇଛି ।  ତେବେ ବାହାର ଜିଲ୍ଲାରୁ ହଜାର ହଜାର କର୍ମୀ ଭୁବନେଶ୍ଵର ଆସିବା ବେଳେ କେତେକ ସ୍ଥାନରେ ସେମାନଙ୍କୁ ପୋଲିସ ଅଟକାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଲା ବିଜେଡି

ଭୁବନେଶ୍ବର : ବିଜେଡିର ଅଭିନବ ପ୍ରତିବାଦ। ଗଙ୍ଗା ଜଳ ଛିଞ୍ଚି ଦଳ ଏପରି ପ୍ରତିବାଦ କରିଛି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବାର ଅଭିଯୋଗ କରି ଅଭିନବ ପ୍ରତିବାଦ କରିଛି ବିଜେଡି। ଗଣତନ୍ତ୍ରର ସ୍ବରକୁ ଚପାଇବା ଲାଗି ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ତୀବ୍ର ସମାଲୋଚନା କରିିଛି ବିଜେଡି। ବିଧାନସଭା ପରିକ୍ରମା କରି ଭିତର ଓ ବାହାରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି ଦଳୀୟ ବିଧାୟକ। ବଜେଟ ଅଧିବେଶନ କାଳରେ ବିରୋଧୀ ଦଳର ଦାବି ରଖୁନାହାନ୍ତି ସରକାର। ବିଧାୟକମାନଙ୍କ କଣ୍ଠରୋଧ କରାଯାଇଛି ବୋଲି ଅଭିଯୋଗ କରୁଛି ବିଜେଡି।