spot_img
Home Blog Page 944

ୟୁପିଆଇ ସରଭର ଡାଉନ୍, ପେମେଣ୍ଟ ଆପ୍ ଗୁଗଲ-ପେ’, ଫୋନ-ପେ’ ଅଚଳ !

ନୂଆଦିଲ୍ଲୀ ;  ୟୁପିଆଇ ସେବା ଠପ୍ ଯୋଗୁଁ ଅଚଳ ହେଲା ପେମେଣ୍ଟ ଆପ୍ଲିକେସନ । ସର୍‌ଭର ଡାଉନ ଯୋଗୁଁ ଅନଲାଇନ୍ ଲେଣଦେଣରେ ସମସ୍ୟା ଉପୁଜୁଛି । ବୁଧବାର ସଂଧ୍ୟାରୁ ୟୁପିଆଇରେ ଏହି ସମସ୍ୟା ଦେଖାଦେଇଛି ।  ଅନେକ ବ୍ୟବହାରକାରୀ ସୋସିଆଲ ମିଡିଆରେ ସେମାନଙ୍କର ସମସ୍ୟାକୁ ଉଲ୍ଲେଖ କରିଛନ୍ତି। ଅନେକ ଲୋକ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ ଏବଂ ସେମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା କହିଥିଲେ।

ଏକ ରିପୋର୍ଟ ଅନୁସାରେ, ଏହି ସମସ୍ୟା ବୁଧବାର ସନ୍ଧ୍ୟା ୭ଟାରୁ ହେଉଛି। ଯାହା ଯୋଗୁଁ ପ୍ରାୟ ୨୩,୦୦୦ ଅଭିଯୋଗ ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ, ଅନେକ ଉପଭୋକ୍ତା ଟଙ୍କା ପଠାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ କିଛି ଲୋକ ଟଙ୍କା ଗ୍ରହଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ବିଭ୍ରାଟ ଯୋଗୁଁ, ୮୨ ପ୍ରତିଶତ ଉପଭୋକ୍ତା ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହି ସମୟରେ, ୧୩ ପ୍ରତିଶତ ଉପଭୋକ୍ତା ଟଙ୍କା ଦେଣଲେଣ କରିବାରେ ଏବଂ ୪ ପ୍ରତିଶତ ଉପଭୋକ୍ତା ଆପ୍ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଭାରତର ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ଏକ ଲୋକପ୍ରିୟ ଡିଜିଟାଲ୍ ପେମେଣ୍ଟ ସେବା। ଯାହାକୁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ୱାରା ସୃଷ୍ଟି କରାଯାଇଛି। ଏହି ସେବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ମୋବାଇଲ୍ ଫୋନ୍ ମାଧ୍ୟମରେ ବିନା କୌଣସି ଅସୁବିଧାରେ ଟଙ୍କା ପଠାଇବା ଏବଂ ଗ୍ରହଣ କରିବାର ସୁବିଧା ପ୍ରଦାନ କରେ। ୟୁପିଆଇ ମାଧ୍ୟମରେ ଲୋକମାନେ ସହଜରେ ଅନଲାଇନ୍ ସପିଂ, ବିଲ୍ ପେମେଣ୍ଟ, ଟଙ୍କା ଟ୍ରାନ୍ସଫର ଏବଂ ଅନ୍ୟାନ୍ୟ ଅନେକ କାରବାର କରୁଛନ୍ତି ।

ପାୱାର ବ୍ୟାଙ୍କ ବ୍ୟବହାର କରିବା ଦ୍ୱାରା ଫୋନର କ’ଣ କ୍ଷତି ହୁଏ?

ନନ୍ଦିଘୋଷ ବ୍ୟୁରୋ : ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପ୍ରାୟ ସମସ୍ତେ ପାୱାର ବ୍ୟାଙ୍କର ବ୍ୟବହାର କରୁଛନ୍ତି । ଯେତେବେଳେ ଆମେ କୌଣସି ସ୍ଥାନକୁ ଯାତ୍ରା କରୁ କିମ୍ବା ବାହାରକୁ ଯାଉ, ପାୱାର ବ୍ୟାଙ୍କ ଆମ ଫୋନକୁ ଚାର୍ଜ କରିବାର ଏକ ସହଜ ଉପାୟ ହୋଇଯାଏ। କିନ୍ତୁ ପାୱାର ବ୍ୟାଙ୍କ ବ୍ୟବହାର କରିବା ଦ୍ୱାରା ଫୋନକୁ କ୍ଷତି ପହଞ୍ଚିପାରେ  ।

ପାୱାର ବ୍ୟାଙ୍କ ବ୍ୟବହାର କରିବା ସାଧାରଣତଃ ସୁରକ୍ଷିତ। କିନ୍ତୁ ଯଦି ଆପଣ ଏହାକୁ ଭୁଲ ଉପାୟରେ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଫୋନକୁ କ୍ଷତି ପହଞ୍ଚାଇପାରେ। ପାୱାର ବ୍ୟାଙ୍କର କ୍ବାଲିଟି, ଏହାର ଚାର୍ଜିଂ ସ୍ପିଡ୍, ଏଥିରେ ବ୍ୟବହୃତ ଚାର୍ଜିଂ କେବୁଲ୍ ଏବଂ ଆଡାପ୍ଟର ମଧ୍ୟ ଆପଣଙ୍କ ଫୋନ୍ ସୁରକ୍ଷିତ ରହିବ କି ନାହିଁ ତାହା ଉପରେ ନିର୍ଭର କରେ। ଏକ ଖରାପ କ୍ବାଲିଟି ପାୱାର ବ୍ୟାଙ୍କ ଆପଣଙ୍କ ଫୋନର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିପାରେ। ଏହା ବ୍ୟତୀତ, ଭବିଷ୍ୟତରେ ବ୍ୟାଟେରୀ ସମସ୍ୟା ମଧ୍ୟ ଉପୁଜିପାରେ। ଆଇଫୋନ୍ ପାଇଁ ସର୍ବଦା ଆପଲ୍ ସାର୍ଟିଫାଇଡ୍ ଚାର୍ଜିଂ କେବୁଲ୍ ଏବଂ ଆଡାପ୍ଟର ବ୍ୟବହାର କରନ୍ତୁ। ଏହା ଆପଣଙ୍କ ଫୋନର ବ୍ୟାଟେରୀ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ଏବଂ ଚାର୍ଜିଂ ପ୍ରକ୍ରିୟା ମଧ୍ୟ ସୁରକ୍ଷିତ ରହିବ। ଏକ ଆପଲ୍- ସାର୍ଟିଫାଇଡ୍ ଆଡାପ୍ଟର ବ୍ୟବହାର କରନ୍ତୁ ଯାହା 5W, 18W, 20W, କିମ୍ବା 30W ପାୱାର ଆଉଟପୁଟ୍ ପ୍ରଦାନ କରେ। କ୍ୱିକ୍ ଚାର୍ଜ ୩.୦ ଟେକ୍ନୋଲୋଜି କମ୍ପେଟେବୁଲ ପାୱାର ବ୍ୟାଙ୍କକୁ ସାମସଙ୍ଗ ପରି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ କିମ୍ବା ଅନ୍ୟ କମ୍ପାନୀର ସ୍ମାର୍ଟଫୋନ୍ ପାଇଁ କିଣାଯାଇପାରିବ। ଏହି ପାୱାର ବ୍ୟାଙ୍କଗୁଡ଼ିକ ଆପଣଙ୍କ ସ୍ମାର୍ଟଫୋନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନଥାଏ। କିନ୍ତୁ ଏଗୁଡ଼ିକୁ କେବଳ ଆବଶ୍ୟକ ସମୟରେ ବ୍ୟବହାର କରାଯିବା ଉଚିତ। ଆପଣଙ୍କ ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ସର୍ବଦା କମ୍ପାନୀର ସାର୍ଟିଫାଇଡ୍ ଚାର୍ଜର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କ ସ୍ମାର୍ଟଫୋନକୁ ଅଧିକ ସମୟ ପର୍ଯ୍ୟନ୍ତ ଚଳିବ ଏବଂ ବ୍ୟାଟେରୀ ମଧ୍ୟ ଭଲ ରହିବ।

ଜମ୍ମୁ-କାଶ୍ମୀରର ଏକ ସୁଡ଼ଙ୍ଗରେ ପିଟିହେଲା ବସ୍

ଶ୍ରୀନଗର : ଜମ୍ମୁ କାଶ୍ମୀରର ବନିହାଲରେ ଦୁର୍ଘଟଣା । ବାନିହାଲ-କାଜିଗୁଣ୍ଡ ନାୟୁଗ ସୁଡ଼ଙ୍ଗରେ ଯାତ୍ରୀ ଭର୍ତ୍ତି ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ଏଥିରେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଜମ୍ମୁରୁ ଶ୍ରୀନଗର ଯାଉଥିବା ବସ୍‌ଟି କାଜିଗୁଣ୍ଡ-ବାନିହାଲ୍‌ ସୁଡ଼ଙ୍ଗର କାନ୍ଥରେ ପିଟି ହୋଇ ଓଲଟି ପଡ଼ିଥିଲା। ବସ୍‌ଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ସମୟରେ ସୁଡ଼ଙ୍ଗରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରୁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଜିଏମସି ଅନନ୍ତନାଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗୁଜରାଟର ଦ୍ୱାରକା ଓ ବେଟ୍ ଦ୍ୱାରକାରେ ଖନନ କରୁଛି ୟୁଏଡବ୍ଲୁ

ଗାନ୍ଧିନଗର : ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଅଣ୍ଡରୱାଟର ଆର୍କିଓଲୋଜି ୱିଙ୍ଗ ଗୁଜରାଟର ଦ୍ୱାରକା ଏବଂ ବେଟ୍ ଦ୍ୱାରକାରେ ଅନୁସନ୍ଧାନ କରୁଛି। ଏହି ଅଭିଯାନ ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରଫେସର ଆଲୋକ ତ୍ରିପାଠୀଙ୍କ ନେତୃତ୍ୱରେ ପରିଚାଳିତ ହେଉଛି। ଏହି ଅନୁସନ୍ଧାନ ଫେବୃଆରୀ ୨୦୨୫ରେ ଦ୍ୱାରକାରେ କରାଯାଇଥିବା ସର୍ଭେର ଏକ ବିସ୍ତାର। ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଦ୍ୱାରକା ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଏହାର ଉଲ୍ଲେଖ ଥିବାରୁ, ଏହା ବହୁ ଦିନ ଧରି ଗବେଷଣାର ବିଷୟ ହୋଇ ରହିଛି। ଅନେକ ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତ୍ ଏହି କ୍ଷେତ୍ରର ଅଧ୍ୟୟନ କରିଛନ୍ତି। ଏହି କାରଣରୁ, ଫେବୃଆରୀ ୨୦୨୫ରେ, ଏଏସଆଇର ଏକ ପାଞ୍ଚ ଜଣିଆ ଦଳ ଗୋମତୀ କ୍ରିକର ଦକ୍ଷିଣ ଭାଗରେ ଏକ ଅନୁସନ୍ଧାନ କରିଥିଲେ। ଏହି ସର୍ଭେର ଉଦ୍ଦେଶ୍ୟ ହେଉଛି ପୂର୍ବରୁ ଅନୁସନ୍ଧାନ କରାଯାଇଥିବା କ୍ଷେତ୍ରଗୁଡ଼ିକର ବର୍ତ୍ତମାନର ଅବସ୍ଥା ଯାଞ୍ଚ କରିବା ଓ ଭବିଷ୍ୟତର ସମ୍ଭାବ୍ୟ ଖନନ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା।

ବର୍ତ୍ତମାନର ଏହି ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୁଡ଼ିଯାଇଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ଆବିଷ୍କାର, ଡକ୍ୟୁମେଣ୍ଟେସନ୍ ଓ ଅଧ୍ୟୟନ କରିବା। ଏହା ବ୍ୟତୀତ, ଏହି କ୍ଷେତ୍ରରେ କାର୍ଯ୍ୟରତ ପ୍ରତ୍ନତତ୍ତ୍ୱବିଦମାନଙ୍କୁ ଜାହାଜ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ମଧ୍ୟ ତାଲିମ ଦିଆଯାଉଛି। ଅଧ୍ୟୟନ ସମୟରେ, ସାମୁଦ୍ରିକ ଅବଶେଷ ଏବଂ ପ୍ରତ୍ନତାତ୍ତ୍ୱିକ ଅବଶେଷର ପ୍ରାଚୀନତା ନିର୍ଣ୍ଣୟ କରିବା ପାଇଁ ସେମାନଙ୍କର ବୈଜ୍ଞାନିକ ବିଶ୍ଳେଷଣ କରାଯିବ।

୨୦୦୫ ରୁ ୨୦୦୭ ମଧ୍ୟରେ, ଏଏସଆଇର ଅଣ୍ଡରୱାଟର ଆର୍କିଓଲୋଜି ୱିଙ୍ଗ ଦ୍ୱାରକାର ଉପକୂଳ ଏବଂ ସାମୁଦ୍ରିକ ଅଞ୍ଚଳରେ ବ୍ୟାପକ ଗବେଷଣା କରିଥିଲା। ଏହି ଅନୁସନ୍ଧାନଗୁଡ଼ିକରେ, ପ୍ରାଚୀନ ମୂର୍ତ୍ତି, ପଥର ଲଙ୍ଗର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ଅବଶେଷ ମିଳିଥିଲା। କିନ୍ତୁ, ଦ୍ୱାରକାଧୀଶ ମନ୍ଦିର ଚାରିପାଖରେ ଖୋଲା ସ୍ଥାନ ଅଭାବରୁ, କେବଳ ସୀମିତ ଅଞ୍ଚଳରେ ଖନନ କରାଯାଇପାରିଲା। ୨୦୦୭ ମସିହାରେ ମନ୍ଦିରର ଉତ୍ତର ଦ୍ୱାର ନିକଟରେ କରାଯାଇଥିବା ଖନନରୁ ୧୦ ମିଟର ଗଭୀର ଓ ୨୬ ସ୍ତର ବିଶିଷ୍ଟ ଗଠନ ଆବିଷ୍କାର ହୋଇଥିଲା। ଏଠାରେ ଲୁହା ଏବଂ ତମ୍ବା ଜିନିଷ, ମୁଦି, ମଣି ଏବଂ ମାଟି ପାତ୍ର ମିଳିଥିଲା। ବର୍ତ୍ତମାନର ଗବେଷଣା କାର୍ଯ୍ୟ ଓଖାମଣ୍ଡଳ ଅଞ୍ଚଳକୁ ବିସ୍ତାରିତ। ପ୍ରତ୍ନତତ୍ତ୍ୱବିତ୍ମାନେ ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଚିହ୍ନଟ କରୁଛନ୍ତି ଏବଂ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ସେଗୁଡ଼ିକର ଅଧ୍ୟୟନ କରୁଛନ୍ତି। ଏହି ଗବେଷଣାରେ ୯ ଜଣ ପ୍ରତ୍ନତତ୍ତ୍ୱବିଦଙ୍କ ଏକ ସ୍ୱତନ୍ତ୍ର ଦଳ ଅଂଶଗ୍ରହଣ କରୁଛନ୍ତି, ଯେଉଁମାନଙ୍କୁ ଜାହାଜ ପ୍ରତ୍ନତତ୍ତ୍ୱ ବିଷୟରେ ଗଭୀର ଜ୍ଞାନ ଦିଆଯାଉଛି।

ଦଳରେ ତିନି ଜଣ ମହିଳା ମଧ୍ୟ ଅଛନ୍ତି: । ସେମାନେ ହେଲେ ୟୁଏଡବ୍ଲୁର ସହାୟକ ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଅପରାଜିତା ଶର୍ମା, ସହାୟକ ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ପୁନମ ବିନ୍ଦ ଓ ସହାୟକ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜକୁମାରୀ ବାର୍ବିନା । ଏହା ସହିତ, ଖନନ ଏବଂ ଅନୁସନ୍ଧାନ ନିର୍ଦ୍ଦେଶକ ହେମସାଗର ଏ. ନାଇକ ମଧ୍ୟ ଏହି ଅଭିଯାନ ସହିତ ସାମିଲ ଅଛନ୍ତି । ଏହି ଅଧ୍ୟୟନ ଭାରତୀୟ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହୋଇପାରେ, ଯାହା ଦ୍ୱାରକା ଏବଂ ଏହାର ଆଖପାଖରେ ଥିବା ଐତିହାସିକ ସ୍ଥାନଗୁଡ଼ିକର ପ୍ରାଚୀନତା ଓ ଐତିହାସିକ ଗୁରୁତ୍ୱକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବ।

ପୁଣି ତାଣ୍ଡବ ରଚିଲା ଇସ୍ରାଏଲ, ଗାଜାରେ ୩୮ ପାଲେଷ୍ଟାଇନୀ ନିହତ

ନନ୍ଦିଘୋଷ ବ୍ୟୁରୋ ; ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ଯୁଦ୍ଧବିରତି ଚୁକ୍ତିନାମା ପରେ, ଇସ୍ରାଏଲ ପୁଣି ଥରେ ଗାଜାରେ ତାଣ୍ଡବ ଚଳାଇଛି । ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ପାଲେଷ୍ଟାଇନୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହି ସମୟରେ, ଆମେରିକା ୟେମେନ ଉପରେ ପ୍ରବଳ ବୋମା ମାଡ଼ କରିଥିଲା। ହମାସକୁ ମୂଳପୋଛ କରିବା ପାଇଁ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୁଦ୍ଧ ଗତ ୧୮ ମାସ ଧରି ଚାଲିଛି । ଯେଉଁଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଏହି କ୍ରମରେ, ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବିମାନ ଆକ୍ରମଣ କରିଥିଲା। ଗାଜା ଉପରେ କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରାଯାଇଥିଲା। ଏ ସମ୍ପର୍କରେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୩୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି  । ଭଗ୍ନାବଶେଷରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଜାତିସଂଘର ମାନବିକତା ସଂସ୍ଥା ଓସିଏଚଏ ଅନୁସାରେ, ଇସ୍ରାଏଲ ମାର୍ଚ୍ଚ ୧୮ରେ ଗାଜା ଉପରେ ପୁନଃ ଆକ୍ରମଣ କରିବା ପରଠାରୁ ୧୪୨,୦୦୦ ପାଲେଷ୍ଟାଇନୀଙ୍କୁ ବଳପୂର୍ବକ ବିସ୍ଥାପିତ କରାଯାଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅତି କମରେ ୫୦,୧୮୩ ପାଲେଷ୍ଟାଇନୀ ପ୍ରାଣ ହରାଇଥିବା ବେଳେ ୧୧୩,୮୨୮ ଜଣ ଆହତ ହୋଇଛନ୍ତି।

ଆଜିଠାରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ, ଲୋୟର ପିଏମଜିରେ ହେବ ପ୍ରତିବାଦ

ଭୁବନେଶ୍ବର : ଆଜିଠାରୁ ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛି ଆୟୁଷ ଡାକ୍ତର ସଂଘ। ଏହା ସହିତ ରାଜଧାନୀର ଲୋୟର ପିଏମଜିରେ ହେବ ପ୍ରତିବାଦ । ଦୀର୍ଘ ୧୮ ବର୍ଷ ଧରି ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ଭାବରେ ସେମାନେ କାର୍ଯ୍ୟ କରୁଛନ୍ତି । ଏହା ପରେ ବି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୧୪୮୫ ଆୟୁଷ ଡାକ୍ତରଙ୍କୁ ନିୟମିତ କରାଯାଉନି। ସ୍ଥାୟୀ ନିଯୁକ୍ତି, ସରକାରୀ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସକଙ୍କ ସହିତ ସମାନ ବେତନ ପ୍ରଦାନ କରିବା, ଡାକ୍ତରଖାନାକୁ ନିୟମିତ ଔଷଧ ଯୋଗାଣ, ଆୟୁଷ ଡାକ୍ତରଙ୍କ ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷର ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରିବା ଓ ଚାକିରି ସମୟରେ ମୃତ୍ୟୁ ବରଣ କରୁଥିବା ଡାକ୍ତରଙ୍କ ପରିବାର ପାଇଁ ୪୦ ଲକ୍ଷ ଟଙ୍କା ଏକକାଳୀନ ସହାୟତା ରାଶି ପ୍ରଦାନ ଆଦି ଦାବି ରହିଛି।

ଆଜି ବି ସରଗରମ ରହିବ ଗୃହ, ବିରୋଧୀଙ୍କ ପକ୍ଷରୁ ଆସିପାରେ ମୁଲତବୀ ପ୍ରସ୍ତାବ

ଭୁବନେଶ୍ବର : ବିଧାନସଭା ଆଜି ବି ବେଶ ସରଗରମ ରହିପାରେ। ବିଧାନସଭାରେ ଶାସକ ଦଳ ଏକଛତ୍ରବାଦ ଶାସନ ଚଳାଇଥିବାରୁ ଏହାକୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି l ସେହିପରି କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଶାସକ ଦଳକୁ ଟାର୍ଗେଟ କରିଛି ହାତ। କଂଗ୍ରେସର ବିଧାୟକମାନେ ବିଧାନସଭା ପରିସର ଭିତରକୁ ଯିବାକୁ ଉଦ୍ୟମ କରିପାରନ୍ତି l ବିନା ବିରୋଧୀ ଦଳରେ ଶାସକ ଦଳ ଗୃହ ଚଳାଉଛି l ଏହା ଗଣତନ୍ତ୍ରର ହତ୍ୟା ବୋଲି ବିରୋଧୀ ଅଭିଯୋଗ କରି ବାଚସ୍ପତିଙ୍କୁ ଘେରିଛନ୍ତି l ବାଚସ୍ପତିଙ୍କ ବିବୃତି ପରେ ବି ମୁଖ୍ୟ ବିରୋଧୀ ବିଜେଡି ଅଭିଯୋଗ କରିଛି ଯେ ବାଚସ୍ପତିଙ୍କ ବିବୃତି ଏକ ପାଖିଆ I ଗୃହକୁ ଏକପାଖିଆ ଭାବେ ଚଳାଉଛନ୍ତି l ସେପଟେ ଆଜି ଜଳ ସମ୍ପଦ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା , ଇସ୍ପାତ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ , ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ଆଇନ ଶୃଙ୍ଖଳା, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, sc/St ସରକ୍ଷଣ ବ୍ୟବସ୍ଥା ଭଳି ପ୍ରସଙ୍ଗକୁ ଗୃହରେ ଉଠାଇବ ବିଜେଡି  । ଅନ୍ୟପଟେ ବିରୋଧୀ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି।

ଆଜି କଂଗ୍ରେସର ବିଧାନସଭା ଘେରାଉ, ୫୦ ହଜାର କର୍ମୀ ଏକାଠି ଦେବା ସମ୍ଭାବନା

ଭୁବନେଶ୍ବର : ଆଜି କଂଗ୍ରେସର ବିଧାନସଭା ଘେରାଉ ଯୋଜନା। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଏଥିପାଇଁ ରାଜଧାନୀରେ ଜମା ହେବାରେ ଲାଗିଲେଣି କଂଗ୍ରେସ କର୍ମୀ। ହଜାର ହଜାର କର୍ମୀ ବିଧାନସଭା ଘେରାଉ କରିବେ ବୋଲି ଦଳ କହିଛି। ରାମମନ୍ଦିର ନିକଟରୁ ବାହାରିବ ଏକ ଶୋଭାଯାତ୍ରା ଓ ଏହା ବିଧାନସଭା ଅଭିମୁଖେ ଯିବ। ଶୋଭାଯାତ୍ରାର ଆଗରେ ରହିବେ ମହିଳା । କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଦଳ କହିଛି,  ପୂର୍ବରୁ ୩୦ ହଜାର କର୍ମୀ ଏହି ବିଧାନସଭା ଘେରାଉରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। ବିଜେପିର ଆକ୍ରୋଶମୂଳକ ପଦକ୍ଷେପ ପରେ ଏହି ସଂଖ୍ୟା ୫୦ ହଜାର ଟପିବ। ସେପଟେ କଂଗ୍ରେସକୁ ସମର୍ଥନ କରିଛି ବାମଦଳ। ବିଧାନସଭା ଘେରାଉକୁ ବି ସେମାନେ ସମର୍ଥନ କରିଛନ୍ତି। ସିପିଏମ ସମେତ ଅନ୍ୟ ବାମପନ୍ଥୀ ଦଳର ନେତା କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ସାକ୍ଷାତ କରିବା ସହ ବିଜେପିର କାର୍ଯ୍ୟକୁ ନିନ୍ଦା କରିଛନ୍ତି।

ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣୀକା “ସିଦ୍ଧ ପୁରୁଷ” “ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସମ୍ବଳିତ ସ୍ମରଣୀକା “ସିଦ୍ଧ ପୁରୁଷ” “ଉନ୍ମୋଚନ ହୋଇଛି । ଏଥିରେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥିଭାବେ ପୂର୍ବତନ ରାଜ୍ୟପାଳ ବିଶ୍ଵ ଭୁଷଣ ହରିଚନ୍ଦନ, ସମ୍ବାଦ୍ଵଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟନାୟକ ଓ ରଙ୍ଗବତୀ ସଙ୍ଗୀତର ଲେଖକ ପଦ୍ମଶ୍ରୀ ମିତ୍ରଭାନୁ ଗର୍ତ୍ତିଆ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି, ସିଦ୍ଧ ପୁରୁଷ” ଦେବେନ୍ଦ୍ର ପ୍ରଧାନଙ୍କ ପାଇଁ ଉଚିତ ଶ୍ରଦ୍ଧାଞ୍ଜଳି । ସେ ସବୁବେଳେ ଲୋକଙ୍କ ପାଇଁ ସମର୍ପିତ ରହିଥିଲେ। ସେ ଡାକ୍ତର ଭାବରେ ମଧ୍ୟ ଲୋକଙ୍କ ସେବା କରିଛନ୍ତି । ଏମିତି କି ସେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ବିଶେଷ ଭାବରେ ଗମନାଗମନ ଓ କୃଷି କ୍ଷେତ୍ରରେ ଅନେକ କାମ କରିଛନ୍ତି ।.

ଦୁଇଟି କାରରୁ ୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝରରୁ ୧ କୁଇଣ୍ଟା ଗଞ୍ଜେଇ ଜବତ। ଦୁଇଟି କାରରେ ବୋଝେଇ ହୋଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ । ଗଞ୍ଜେଇ ବୋଝେଇ ୨ଟି କାର୍ ସହିତ ୬ ଜଣଙ୍କୁ ଅଟକ ରଖିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ପୋଲିସ । କୌଣସି ସୂତ୍ରରୁ ଖବର ପାଇ ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ମୁମ୍ବାଇ ପଟୁ କୋଲକାତା ଆଡ଼େ ଯାଉଥିବା ୨ଟି କାରକୁ ଅଟକାଇଥିଲା ପୋଲିସ। କାର୍ ଛାଡ଼ି ୬ ଜଣ ଲୋକ ଫେରାର୍ ହୋଇ ଯାଉଥିବା ବେଳେ, ସେମାନଙ୍କୁ କାବୁ କରିଥିଲା ପୋଲିସ । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ ଯାଞ୍ଚ ବେଳେ ପାଖାପାଖି ୧କ୍ଵିଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଥିଲା । ଅଟକ ବ୍ୟକ୍ତିମାନେ କେନ୍ଦୁଝର ଓ ପଡ଼ୋଶୀ ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ।