spot_img
Home Blog Page 976

ଚହଲଙ୍କ ସହ ବସି ଖେଳ ଦେଖୁଥିବା ଯୁବତୀ କିଏ ? ଫ୍ୟାନ୍ସ କହିଲେ..

ନନ୍ଦିଘୋଷ ବ୍ୟୁରୋ: ସୁପର ସଣ୍ଡେରେ ଚାଲିଛି ସୁପର ମ୍ୟାଚ୍ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା ଖେଳାଯାଉଛି । ଦୁବାଇରେ ଏହି ମ୍ୟାଚ ଅନୁଷ୍ଠିତ ହେଉଥିବାବେଳେ ପଡ଼ିଆରେ ଖେଳ ଦେଖୁଥିବା ନଜର ଆସିଛନ୍ତି ଭାରତୀୟ ସ୍ପିନର ବୋଲର ୟୁବେନ୍ଦ୍ର ଚହଲ । ତେବେ ତାଙ୍କ ସହ ଜଣେ ଯୁବତୀ ଧଳା ରଙ୍ଗର ଡ୍ରେସ ପିନ୍ଧି ଖେଳ ଦେଖୁଥିବା ନଜର ଆସିଛନ୍ତି । ଚହଲ ଏକ କଳା ରଙ୍ଗର ଡ୍ରେସ ପିନ୍ଧି ବସିଛନ୍ତି । ସେମାନେ ମଝିରେ ମଝିରେ କଥା ହେଉଥିବା କ୍ୟାମେରାରେ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ସେୟାର କରିବା ଆରମ୍ଭ କରି ଦେଇଛନ୍ତି । ଏମିତିକି ଭାବି କହି କେତେଜଣ ଚହଲ ନୂଆ ସାଥୀ ବୋଲି କମେଣ୍ଟ ମଧ୍ୟ ଦେଉଛନ୍ତି ।

ତେବେ କହି ରଖୁଛୁ କି, ନିକଟରେ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଚହଲଙ୍କ ଛାଡ଼ପତ୍ର ହୋଇଛି । ୨୦୨୦ ମସିହାରେ ସେମାନଙ୍କର ବିବାହ ହୋଇଥିବାବେଳେ ମାତ୍ର ୫ ବର୍ଷ ପରେ ସେମାନେ ଅଲଗା ହୋଇଛନ୍ତି । ସେପଟେ ଛାଡ଼ପତ୍ର ପୂର୍ବରୁ ମଧ୍ୟ ଅନ୍ୟଜଣେ ଅଭିନେତ୍ରୀଙ୍କ ସହ ଚହଲଙ୍କ ନାମକୁ ଯୋଡ଼ା ଯାଇଥିଲା । ଆଉ ଏବେ ଅନ୍ୟଜଣେ ଯୁବତୀ ନଜର ଆସିଥିବାବେଳେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭାରତ ଆଗରେ ଆତ୍ମସମର୍ପଣ, ଆତଙ୍କବାଦୀଙ୍କ ନାଁ ଶୁଣି ଥରୁଛି ପାକିସ୍ତାନ!

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ସୁରକ୍ଷା ବାହିନୀ ଏବଂ ସେନା ଉପରେ ଆତଙ୍କବାଦର ତାଣ୍ଡବ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୫ ବର୍ଷର ପ୍ରଥମ ଦୁଇ ମାସରେ, ସୁରକ୍ଷା ବାହିନୀର କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟାରେ ୧୩୪% ଭୟଙ୍କର ବୃଦ୍ଧି ରେକର୍ଡ କରାଯାଇଛି। ବିଶେଷକରି ପାକିସ୍ତାନ ନିଜକୁ ଉପସାଗରୀୟ ଦେଶ ଏବଂ ମୁସଲିମ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ‘ସୁରକ୍ଷା ବାହିନୀର ମହାଶକ୍ତି’ ବୋଲି ଦାବି କରି ଆସୁଛି। କିନ୍ତୁ ୨୦୨୫ ମସିହାର ଜାନୁଆରୀ ଏବଂ ଫେବୃଆରୀ ମାସରେ ପାକିସ୍ତାନରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ୬୯୮ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୨୨୨ ଜଣ ସୁରକ୍ଷା କର୍ମୀ, ୯୮ ଜଣ ସାଧାରଣ ନାଗରିକ ଏବଂ ବାକି ଆତଙ୍କବାଦୀ ଥିଲେ । ତେବ ୨୦୨୪ ମସିହାର ସମାନ ସମୟ ମଧ୍ୟରେ ୩୦୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସ୍ପଷ୍ଟ ଯେ ପାକିସ୍ତାନରେ ଆତଙ୍କବାଦର ବିପଦ ନିରନ୍ତର ବୃଦ୍ଧି ପାଉଛି ଏବଂ ସୁରକ୍ଷା ବାହିନୀର ଅବସ୍ଥା ଦିନକୁ ଦିନ ଖରାପ ହେଉଛି।

ଗତ କିଛି ଦଶନ୍ଧି ଧରି, ପାକିସ୍ତାନ ଗର୍ବ କରିଆସୁଛି ଯେ ଏହାର ସେନା ଏବଂ ସୁରକ୍ଷା ବାହିନୀ ଉପସାଗରୀୟ ଦେଶ ଏବଂ ମୁସଲିମ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସର୍ବୋତ୍ତମ। ନିଜର ଦମ୍ଭ ଯୋଗୁଁ, ପାକିସ୍ତାନ ଏହି ଦେଶଗୁଡ଼ିକରୁ ଟଙ୍କା ଆଦାୟ କରିଚାଲିଲା। ଗତ ୨ ବର୍ଷ ଧରି ପାକିସ୍ତାନର ଏହି ଦାବିଗୁଡ଼ିକ ନିରନ୍ତର ଭାବରେ ପର୍ଦ୍ଦାଫାସ ହୋଇଆସୁଛି। ଏହି ବର୍ଷ, ଯେଉଁ ପରିସଂଖ୍ୟାନ ସାମ୍ନାକୁ ଆସିଛି, ସେଥିରେ ପାକିସ୍ତାନର କୌଣସି ମୁହଁ ଦେଖାଯାଉନାହିଁ, ଏବଂ ଏହାର ସୁରକ୍ଷା ବାହିନୀ ଏବଂ ସେନାରେ ମଧ୍ୟ ଆତଙ୍କ ବ୍ୟାପିବାରେ ଲାଗିଛି।

ପାକିସ୍ତାନୀ ସେନା ସବୁଠାରୁ ବଡ଼ ଧକ୍କାର ସମ୍ମୁଖୀନ ହେବ?
ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷଣ ସଂଗଠନଗୁଡ଼ିକ ସେମାନଙ୍କ ମୂଲ୍ୟାଙ୍କନରେ ଜାଣିପାରିଛନ୍ତି ଯେ 2025 ବର୍ଷ ପାକିସ୍ତାନର ସୁରକ୍ଷା ବାହିନୀ ପାଇଁ ବହୁତ ଭୟଙ୍କର ହୋଇପାରେ। ଯଦି ଏହି ଧାରା ଜାରି ରହେ, ତେବେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ବର୍ଷ ପାକିସ୍ତାନ ପାଇଁ ସବୁଠାରୁ ଘାତକ ପ୍ରମାଣିତ ହେବ। ଗତ ଦୁଇ ଦଶନ୍ଧି ମଧ୍ୟରେ ପାକିସ୍ତାନୀ ସେନା ପାଇଁ ୨୦୦୯ ବର୍ଷ ସବୁଠାରୁ ଖରାପ ଥିଲା, ଯେତେବେଳେ ୧,୦୧୨ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହା ପରେ, 2012 ମସିହାରେ 734 ଜଣ ସୁରକ୍ଷା କର୍ମୀ ଏବଂ 2024 ମସିହାରେ 754 ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ 2025 ବର୍ଷର ପ୍ରାରମ୍ଭିକ ଧାରା ଏହି ସମସ୍ତ ସଂଖ୍ୟାକୁ ଅତିକ୍ରମ କରିପାରେ।

 

ଭାରତ ଆଗରେ ୨୫୨ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଚମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା । ଭାରତ ଆଗରେ ୨୫୨ ରନର ବିଜୟ ଲକ୍ଷ୍ୟ । ନିର୍ଦ୍ଧାରିତ ଓଭର ମଧ୍ୟମରେ ନ୍ୟୁଜିଲାଣ୍ଡ ୭ ଓ୍ବିକେଟ ବିନିମୟରେ ୨୫୧ ରନ ସଂଗ୍ରହ କରିଛି । ତେବେ ମିଚେଲ ଏବଂ ବେସଓ୍ବେଲଙ୍କ ଅର୍ଦ୍ଧଶତକ ବଳରେ ଦଳ ଏହି ସ୍କୋର କରିପାରିଛି । ନ୍ୟୁଜିଲାଣ୍ଡ୍ ପକ୍ଷରୁ ୱିଲ୍ ୟଙ୍ଗ ୧୫ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୩୭ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୧ ରନ୍, ଡାରେଲ ମିଚେଲ୍ ୬୩ ରନ୍, ଟମ୍ ଲାଥାମ୍ ୧୪ ରନ୍, ଗ୍ଲେନ୍ ଫିଲିପ୍ସ ୩୪ ରନ୍, ମିଚେଲ୍ ବ୍ରାସୱେଲ ଅପରାଜିତ ୫୩ ରନ୍ କରିଥିଲେ। ସେହିପରି ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ, କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ। ମହମ୍ମଦ ସାମି ଗୋଟିଏ ୱିକେଟ ନେଇଥିଲେ।

ଗୋମାଂସ ବିକ୍ରି ଅଭିଯୋଗ ପରେ ପୁରୀର ଆଉ ଏକ ମଟନ୍ ଦୋକାନ ସିଲ୍

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀ ଜୟା ହୋଟେଲ ପରେ ଏବେ ପୁରୀର ଶେଖ ବାବୁ ମଟନ ସପ୍ ସିଲ୍ । ଏଠାରେର ଗୋମାଂସ ବିକ୍ରି ଅଭିଯୋଗ ପରେ ସିଲ୍ କରାଯାଇଛି ଦୋକାନ। ଏକ ଭିଡିଓରେ ଶେଖ ବାବୁର ନାମ ନେଇଥିଲା ଜଣେ ଯୁବକ। ଏହାକୁ ଏକ ପ୍ରମାଣ ଭାବେ ନେଇ ପୋଲିସ ତଦନ୍ତ କରୁଛି। ଶେଖ ବାବୁଙ୍କୁ ଅଟକ ରଖି ଦୁଇ ଘଣ୍ଟା ଧରି ପଚରା ଉଚରା କରିଛି ପୋଲିସ। କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶେଖ ବାବୁ। ସେ କହିଛନ୍ତି, ୫୦ ବର୍ଷ ହେଲେ ବେପାର କରୁଛି। ଲୋକଙ୍କ ଆସ୍ଥା ଜିଣିଛି । ଛେଳି, ମେଣ୍ଢା, ଖାସି ଛଡ଼ା ଆଉ କିଛି କାଟିନାହିଁ। ପୁରୀ ପରି ପବିତ୍ର ମାଟିରେ ଛିଡା ହୋଇ ମିଛ କହିବି ନାହିଁ ବୋଲି କହି କାନ୍ଦି କାନ୍ଦି ପ୍ରତିକ୍ରିୟା ରଖିଛନ୍ତି ଶେଖ ବାବୁ। ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ସ୍ଵଚ୍ଛତା ଅବଲମ୍ଵନ କରି ମାଂସ କିଣା ବିକା କରିବାକୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନୀଙ୍କୁ କହିଛି ପ୍ରଶାସନ। ଲୋକଙ୍କ ଭାବାବେଗକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ୟୁପିରେ ସାମ୍ବାଦିକଙ୍କୁ ହତ୍ୟା : ଅଭିଯୁକ୍ତଙ୍କୁ ଧରିବା ଲାଗି ୪ଟି ଟିମ୍ ଗଠିତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ପୁଣି ବିଗିଡ଼ିଲା ଆଇନଶୃଙ୍ଖଳା ସ୍ଥିତି। ସୀତାପୁର ଅନ୍ତର୍ଗତ ଲକ୍ଷ୍ମୌ-ଦିଲ୍ଲୀ ଜାତୀୟ ରାଜପଥ ନିକଟରେ ଜଣେ ସାମ୍ବାଦିକ ତଥା ଆରଟିଆଇ କର୍ମୀଙ୍କୁ ଗୁଳି କରି ହତ୍ଯା କରାଯାଇଛି। ଏକ ହିନ୍ଦୀ ଦୈନିକରେ କାର୍ଯ୍ୟରତ ସାମ୍ବାଦିକଙ୍କ ନାଁ ହେଉଛି ରାଘବେନ୍ଦ୍ର ବାଜପାୟୀ। ରାଘବେନ୍ଦ୍ର ବାଇକରେ ଯାଉଥିବାବେଳେ ଆତତାୟୀମାନେ ତାଙ୍କ ବାଇକକୁ ଧକ୍କା ଦେଇଥିଲେ ଏବଂ ୩ ରାଉଣ୍ଡ ଗୁଳି କରିଥିଲେ। ଗୁଳିକାଣ୍ଡ କରି ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ଦେହରୁ ୩ଟି ଗୁଳି ବାହାର କରାଯାଇଥିଲା। ଏକ ଫୋନ କଲ୍ ପାଇବା ପରେ ୩୫ ବର୍ଷ ବୟସ୍କ ସାମ୍ବାଦିକ ଘରୁ ବାହାରିଥିଲେ। ପରେ ରାଜପଥରେ ତାଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ୪ଟି ଟିମ୍ ଗଠନ କରାଯାଇଛି। ଘଟଣାସ୍ଥଳରେ ଏସଓଜି ଟିମ୍ ବି ମୁତୟନ କରାଯାଇଛି। ସେପଟେ ଅପରାଧୀଙ୍କୁ ଗିରଫ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଜୟ ରାଏ।

କର୍ଣ୍ଣାଟକରୁ ଦାରିଙ୍ଗବାଡ଼ି ତେରାବାଡି ଗାଁକୁ ଆସିଲା ବିଭାଷ କୁମାର ନାୟକଙ୍କ ପାର୍ଥିବ ଶରୀର

ନନ୍ଦିଘଷାଷ ବ୍ୟୁରୋ: କର୍ଣ୍ଣାଟକରୁ ଦାରିଙ୍ଗବାଡ଼ି ତେରାବାଡି ଗାଁକୁ ଆସିଲା ବିଭାସ କୁମାର ନାୟକଙ୍କ ପାର୍ଥିବ ଶରୀର। ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆତ୍ମୀୟ ସ୍ବଜନଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି ସାରା ଅଞ୍ଚଳ ।ବିଭାସଙ୍କ ଶେଷ ଦର୍ଶନ ପାଇଁ ଗୁଡ୍ରିପଡ଼ିରେ ସମ୍ପର୍କୀୟଙ୍କ ଭିଡ଼ ଲାଗିଛି । ଗାଁ ମଶାଣୀରେ ବିଭାସଙ୍କ ପାର୍ଥୀବ ଶରୀରର ଶେଷକୃତ୍ୟ ସମ୍ପନ୍ନ ହେବ । ଗୁରୁବାର ରାତିରେ ତାଙ୍କୁ ହତ୍ୟା କରାଯାଇଥିଲା। ଦୁଷ୍କର୍ମ ରୋକିବାକୁ ଚେଷ୍ଟା କରିବାରୁ ଦୁର୍ବୃର୍ତ୍ତମାନେ ବିଭାସଙ୍କୁ କେନାଲଙ୍କୁ ଠେଲି ଦେଇଥିଲେ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ମିଳିଥିଲା ମୃତଦେହ। ନିଜର ସାଙ୍ଗମାନଙ୍କ ସହିତ ସେ କର୍ଣ୍ଣାଟକର ହାମ୍ଫି ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ତାଙ୍କ ସାଙ୍ଗରେ ଥିଲେ ଦୁଇ ଜଣ ପୁଅ ସାଙ୍ଗ ଓ ଦୁଇ ଜଣେ ମହିଳା। ମହିଳା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଇସ୍ରାଏଲର ନାଗରିକ ଓ ହୋଟେଲର ମାଲିକ। ଦୁର୍ବୃର୍ତ୍ତମାନେ ବିଭାସ ଓ ଅନ୍ୟ ଦୁଇ ଜଣଙ୍କୁ କେନାଲ ଭିତରକୁ ଠେଲି ଦେଇ ମହିଳା ଦୁଇ ଜଣଙ୍କୁ ଗଣଦୁଷ୍କର୍ମ କରିଥିଲେ। ପାଣିରେ ବୁଡ଼ି ବିଭାସଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

ରାଜ୍ୟରେ ପୁଣି ଫେରିଲା ତାତି, କାଲିଠୁ ଜାଳିବ!

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିର ରହିବ ତାପମାତ୍ରା । ଦିନରେ ଖରା, ରାତିରେ ହାଲୁକା ଥଣ୍ଡା । ରାଜ୍ୟକୁ ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ପବନ ପ୍ରବାହ କମିବା ପରେ ଏଭଳି ପାଗ ଦେଖାଦେଇଛି । ଗତ ଦୁଇଦିନ ହେବ ରାଜ୍ୟରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମିଛି । ବିଶେଷ କରି କିଛି ଜିଲ୍ଲାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁଣି ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ନୂଆପଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, ଗଜପତି ସମେତ ଭୁବନେଶ୍ବରରେ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬.୩ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଛି । ଭୁବନେଶ୍ବରରେ ୩୩.୪ ଏବଂ କଟକରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ଏହି ଜଘନ୍ୟକାଣ୍ଡ ଘଟିଛି  ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଛୁରିଚଖା ଗାଁରେ। କୌଣସି କାରଣକୁ ନେଇ ସିରାନୁସ ଟେଟେ ଓ ତାଙ୍କ ପୁଅ ସୁରଜ ଟେଟେଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁଅ ସୂରଜ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ସିରାନୁସଙ୍କ ମୃତ୍ୟୁ ଘଟିଥିଲା। କୁତ୍ରା ଥାନାରେ ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

ତେଲେଙ୍ଗାନା ଟନେଲ ଟ୍ରାଜେଡି:  ୧୬ ଦିନ ପରେ ବି ଉଦ୍ଧାର ହେଲେନି ଶ୍ରମିକ, ମିଳିଲା ଗୋଟିଏ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ତେଲେଙ୍ଗାନାରେ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ । ତେବେ ୧୬ ଦିନ ପରେ ବି ଏଯାବତ ଉଦ୍ଧାର ହୋଇନାହାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଗୋଟିଏ ମୃତଦେହ ମେସିନ ମଧ୍ୟରୁ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଦଳ ଟନେଲ ଭିତରେ ପଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ରୋବର୍ଟ ନିୟୋଜନ କରାଯିବା ସହ ଉଦ୍ଧାର କାର୍ଯ୍ୟ ଆହୁରି ତ୍ବରାନ୍ବିତ କରାଯିବ ବୋଲି ସୂଚନା ମିଳିଛି । ତେବେ ଏଥିଲାଗି ୪ କୋଟି ଖର୍ଚ୍ଚ ହେବ । ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆସନ୍ତା ୧୧ ତାରିଖରେ ଘଟଣାସ୍ଥଳକୁ ଯିବେ ।

କହି ରଖୁଛୁ କି, ଫେବୃଆରୀ ୨୨ ତାରିଖରୁ ଟନେଲରେ ଫସି ରହିଛନ୍ତି ଶ୍ରମିକ । ସୁଡ଼ଙ୍ଗର ଏକ ଅଂଶ ଭାଙ୍ଗଯିବା ପରେ ଶ୍ରମିକମାନେ ଟନେଲ ଭିତରେ ଫସି ରହିଛନ୍ତି । ଯୁଦ୍ଧକାଳିନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବହୁ ତାଲିମପ୍ରାପ୍ତ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ କେରଳ ପୋଲିସର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶବ ଶୁଙ୍ଘୁଥିବା କୁକୁରମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ମୃତଦେହ କୁକୁରମାନଙ୍କୁ ନିଖୋଜ ଲୋକ ଏବଂ ମୃତଦେହ ଠାବ କରିବା ପାଇଁ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯାଇଛି।

ଅନ୍ୟ ଜାତିରେ ବିବାହ କରିବାରୁ ଆକ୍ରମଣ, ଘରେ ପଶି ପୁଅର ଭଉଣୀ ଓ ମାଆକୁ ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଂଚଳରେ ଅଭାବନୀୟ ଘଟଣା। ଅନ୍ୟ ଜାତିର ଝିଅକୁ ବିବାହ କଲା ବୋଲି ଘରେ ପଶି ପୁଅର ଭଉଣୀ ଓ ମାଆକୁ ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ। ବିବାହିତ ଝିଅକୁ ଘରୁ ଟେକି ନେଇ କାର ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ପୁଅର ମାଆଙ୍କ ସହ ମଧ୍ୟ ଅସଦାଚରଣ କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛି ଦଳିତ ମହାସଂଘ। ମା, ଝିଅ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବର୍ବରକାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଏ ସମ୍ପର୍କରେ ଜଟଣୀ ପୋଲିସକୁ ଜଣାଇଥିଲେ ସୁଦ୍ଧା ନିରବଦ୍ରଷ୍ଟା ସାଜିଛି ପ୍ରଶାସନ। ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ଜାତୀୟ ଦଳିତ ଆଦିବାସୀ ମହାସଂଘ। ପୋଲିସ ପଦକ୍ଷେପ ଗ୍ରହଣ କରୁନଥିବାରୁ ପୁଅଙ୍କ ପରିବାର ଲୋକେ ପୋଲିସ ଡିଜିଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଛନ୍ତି। ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘ। ମା ଓ ଝିଅଙ୍କୁ ନ୍ୟାୟ ନ ମିଳିଲେ ଜଟଣୀ ଥାନା ଘେରାଉ କରାଯିବା ବୋଲି କହିଛନ୍ତି ମହାସଂଘ ସଭାପତି।