spot_img
Home Blog Page 976

ନବ ଦାସ ହତ୍ୟାକାଣ୍ଡ ମାମଲାରେ ମୁହଁ ଖୋଲିଲେ ପୁଅ ବିଶାଲ ଓ ଝିଅ ଦୀପାଳି

ନନ୍ଦିଘୋଷ ବ୍ୟୁରୋ:  ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ପରିବାର କାହିଁକି ସିବିଆଇ ତଦନ୍ତ ଦାବି କରୁନାହିଁ ବୋଲି ବିଜେପି ବାରମ୍ବାର ପ୍ରଶ୍ନ ଉଠାଉଥିବା ବେଳେ, ତାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ । ଆଜି କ୍ରାଇମବ୍ରାଞ୍ଚ ଟିମ ନବ ଦାସଙ୍କ ଝାରସୁଗୁଡା ସର୍ବାହଲ ସ୍ଥିତ ଘରେ ଦୀପାଳି, ବିଶାଳ ଓ ତାଙ୍କ ମା ମିନତୀ ଦାସଙ୍କ ବୟାନ ରେକର୍ଡ କରିଥିଲା । ଏହାପରେ ବିଶାଳ ଗଣମାଧ୍ୟମକୁ କହିଛନ୍ତି ଯେ, ବିଜେପି ଆଗରୁ ସିବିଆଇ ତଦନ୍ତ କଥା କହୁଥିଲା । ଏପରିକି ଲେଖିକି ଦେଲେ ସିବିଆଇ ତଦନ୍ତ ହେବ ବୋଲି କହୁଥିଲା । କିନ୍ତୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖି ରଖିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆପଏଣ୍ଟମେଣ୍ଟ ମିଳିନି । ଆପଏଣ୍ଟମେଣ୍ଟ ମିଳିଲେ ସିବିଆଇ ତଦନ୍ତ ପାଇଁ ଲେଖିଥିବା ଚିଠି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି । କ୍ରାଇମବ୍ରାଞ୍ଚ ତରଫରୁ ଗତ ମାର୍ଚ୍ଚ ୧ ତାରିଖରେ ଏକ ଚିଠି ଆସିଥିଲା । ଯେଉଁଥିରେ କ୍ରାଇମବ୍ରାଞ୍ଚ ତାଙ୍କର ବୟାନ ରେକର୍ଡ କରିବା ପାଇଁ ଜଣାଇଥିଲେ ଏବଂ ସ୍ବର୍ଗତ ନବ ଦାଶଙ୍କ ସ୍ତ୍ରୀ ମିନତୀ ଦାଶ ତାଙ୍କ ଘରେ ବୟାନ ରେକର୍ଡ କରିବା ପାଇଁ ଆବେଦନ କରିଥିଲେ । ତେଣୁ ଦୁଇ ଜଣିଆ ଟିମ ଆସି ତାଙ୍କ ପରିବାରର ଶେଷ ବୟାନ ରେକର୍ଡ କରିଥିବା ଦୀପାଳି କହିଛନ୍ତି ।

ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ,କୋଟି କୋଟି ଟଙ୍କାର ବାଲି ଲୁଟ୍ କରି ମାଲାମାଲ ମାଫିଆ

ନନ୍ଦିଘୋଷ ବ୍ୟୁରୋ: ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ
                         ବାଲିଘାଟରୁ ବାହାର ରାଜ୍ୟକୁ ଚାଲିଛି ଚୋରାଚାଲାଣ
                         ବିଜେଡି କହିଲା ଲୁଟରେ ଶାସକ ଦଳ ସାମିଲ
                         ତଦନ୍ତ ଦାବି କରି ସ୍ବର ମିଳାଇଲା କଂଗ୍ରେସ
                         ଜବାବ ରଖିଲେ ଖଣି ମନ୍ତ୍ରୀ
ଲୁଟ୍ ହେଉଛି ଖଣିଜ ସମ୍ପଦ, ଚୁପ ବସିଛନ୍ତି ସରକାର। ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ କମ୍ପିଲା ବିଧାନସଭା। ବାଲି ଲୁଟ ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେଡି ବିଧାୟକ। ରତ୍ନଗର୍ଭା ଓଡ଼ିଶାକୁ ଲୁଟ ଚାଲିଛି, ସାମିଲ ଅଛନ୍ତି ଶାସକ ଦଳର ସଦସ୍ୟ। ସରକାର ଖଣି ଲୁଟକୁ ସ୍ବୀକାର କରିବେ କି ବୋଲି ପ୍ରଶ୍ନ କରିଥିଲେ ଗଣେଶ୍ବର ବେହେରା। ଦୁର୍ନୀତିରେ ସରକାର ଶୂନ୍ୟ ସହନଶୀଳତା ବଦଳରେ ଆପଣାଇଛନ୍ତି ପୂର୍ଣ୍ଣ ସହନଶୀଳତା ନୀତି । ଲୁଟକୁ ରୋକିବା ପାଇଁ ତୁରନ୍ତ ଟାସ୍କଫୋର୍ସ ଗଠନ ସାଙ୍ଗକୁ ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ଗଣେଶ୍ବର । ସେହିପରି ବାଲି ଚୋରିକୁ କିଏ ରୋକିବ ବୋଲି କହିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଭିନ୍ନ ରାଜ୍ୟକୁ ଚୋରାଚାଲାଣ ହେଉଛି ବାଲି। ପୂର୍ବରୁ ତହସିଲଦାରଙ୍କ ଅଧିନରେ ଥିଲା ବାଲି ଘାଟ। ହେଲେ ଏହାକୁ ଖଣି ବିଭାଗ ଅଧିନକୁ ଅଣାଯିବା ପରେ ରୋକା ଯାଇପାରୁନି ଚୋରାଚାଲାଣ। ଅନ୍ୟପଟେ ସୀମାରେ ରହିଛି ଢ଼ିଲା ସୁରକ୍ଷା ବ୍ୟବସ୍ଥା। ତେଣୁ ସରକାରଙ୍କ ଜାଣତରେ ସବୁ କିଛି ହେଉଛି ବୋଲି ଅଭିଯୋଗ କରିଛି ବିଜେଡି।

ରାଜ୍ୟରେ ୮ ମାସର ବିଜେପି ସରକାରରେ ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ ଉଠିଲା ପଡ଼ିଲା ଶୂନ୍ୟକାଳ। କିପରି ହେଉଛି ବାଲି ଚୋରା ଚାଲାଣ, ତାର ଅନୁଧ୍ୟାନ କରିଥିଲା ବିଧାନସଭା କମିଟି। ହେଲେ ଆଶ୍ଚର୍ଯ୍ୟର କଥା, ବିଧାନସଭା କମିଟି ସହ ବୁଲୁଛନ୍ତି ବାଲି ମାଫିଆ। ତେଣୁ ବାଲି ଚୋରି ରୋକିବାକୁ ଦାବି କରିଛନ୍ତି ବିଜେଡି ଓ କଂଗ୍ରେସ। ଅନ୍ୟପଟେ ସଫେଇ ଦେଇ ଖଣି ମନ୍ତ୍ରୀ କହିଛନ୍ତି ଯେ, ଚୋରା ଚାଲାଣ ରୋକିବାକୁ ପଦକ୍ଷେପ ନେଉଛନ୍ତି ସରକାର।

ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ହରିଲୁଟ ନେଇ ବିଧାନସଭା ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବାଲି ଚୋରା ଚାଲାଣ ସୀମା ଟପିଥିବା ବେଳେ, କେବେ ଭାଙ୍ଗିବ ସରକାରଙ୍କ ନିଦ ତାକୁ ନେଇ ଉଠିଛି ପ୍ରଶ୍ନ।

ପାରାଦୀପକୁ ଲୁହାପଥର ଚୋରା ଚାଲାଣ କରୁଥିଲେ ସୁନ୍ଦରୀ ଗ୍ୟାଙ୍ଗ, ମାଡିବସିଲା ପୋଲିସ୍

ଢେଙ୍କାନାଳ: ଢେଙ୍କାନାଳ ବାଲିମି ପୋଲିସ ହାତରେ ଲେଡି ଡନ୍ । ଗତକାଲି ତାଳଚେରରୁ ଜଣେ ମହିଳା ଗିରଫ ହୋଇଥିବାବେଳେ ଆଜି ଆଉଜଣକୁ ଗିରଫ କରିଛି ପୋଲିସ୍ । ଟ୍ରାନ୍ସପୋର୍ଟ କରି ରୁଙ୍ଗଟା କାରଖାନାରୁ ପାରାଦୀପକୁ ଲୁହାପଥର ଚୋରା ଚାଲାଣ କରୁଥିଲେ ଏହି ସୁନ୍ଦରୀ ଗ୍ୟାଙ୍ଗ । ଲୁହାପଥର ଲୁଟ କରି ମଙ୍ଗୁଳିରେ ବିକ୍ରି କରୁଥିଲେ । ଚୋରା ଲୁହା ପଥର ମୂଲ୍ୟ ଦେଢ଼ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ମହିଳାଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ଏହା ସହିତ ଟ୍ରକ୍ ଭଡା ନେଇ ବହୁ ବ୍ୟବସାୟୀକୁ ଠକି ଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଆହୁରି କେତେ ମହିଳା ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଏସପି । ଗ୍ୟାଙ୍ଗର ମୁଖ୍ୟ ଲେଡି ଡନଙ୍କ ନାଁ ସନ୍ତୋଷ ମହାନ୍ତି । ସନ୍ତୋଷ ଙ୍କ ଘର ତାଳଚେର ଡେରା କଲୋନୀରେ । ଏହି ଗ୍ୟାଙ୍ଗ ଢେଙ୍କାନାଳ, ପାରାଦୀପ, କଟକ, ଭୁବନେଶ୍ୱର, ତାଳଚେର ଟ୍ରକ୍ ମାଲିକଙ୍କୁ କରୁଥିଲେ ଟାର୍ଗେଟ । ୨୦ କୋଟିରୁ ଉର୍ଦ୍ଧ୍ବ ଲୁହା ପଥର ବିକ୍ରି କରିଥଇବା ପୋଲିସ ସୂଚନା ପାଇଛି । ପୂର୍ବରୁ ମହିଳା ଜଣଙ୍କ ଚୋରା କୋଇଲା ବେପାର ମଧ୍ୟ କରୁଥିଲେ । ନିଜ ସୁନ୍ଦର ଚେହେରା ଦେଖାଇ ଟ୍ରକ୍ ମାଲିକ ମନକୁ କରୁଥିଲେ ଟାର୍ଗେଟ । ଦୁଇ ମହିଳାଙ୍କୁ ଅଟକ ରଖିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି । କାରଖାନା ଭିତରୁ କେମିତି ମାଲ୍ ପଦାକୁ ଆସୁଥିଲା ? କେମିତି ଯାଉଥିଲା କେମିତି ବିକ୍ରି ହେଉଥିଲା ? ଆଉ କିଏ କିଏ ସଂପୃକ୍ତ ଅଛନ୍ତି ? ତାର ତଦନ୍ତ ନିଜେ ଏସପି କରିଛନ୍ତି । ଖୁବଶୀଘ୍ର ପୁରା ଗ୍ୟାଙ୍ଗ ପଦାକୁ ଆସିବ ବୋଲି କହିଛନ୍ତି ଏସପି ଅଭିନବ ଶୋନକର  ।

ଆସନ୍ତାକାଲିଠାରୁ ଆରମ୍ଭ ହେବ ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ବର:  ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳାରେ ୬୫୦ ରୁ ଅଧିକ ଷ୍ଟଲ ଲାଗିବ । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରଯୋଜିତ ବିଭିନ୍ନ ରାଜ୍ୟରୁ ୧୫୦ ଟି ଷ୍ଟଲରେ ୫୦ ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ । ଓଡ଼ିଶା ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ । ପ୍ରତ୍ୟେକ ଦିନ ୩ ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ମେଳା । ଚଳିତବର୍ଷ ୩୦ ଲକ୍ଷ ଜନ ସମାଗମ ସହ ୨୮ କୋଟିର ବାଣିଜ୍ୟ ଆଶା ରଖିଛି ବିଭାଗ । ୨୫ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ ଶିଳ୍ପ ସୃଜନୀ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ହେଲ୍ସ ଡେସ୍କ, ହ୍ବିଲ ଚେୟାର ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନମୋହିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଆୟୋଜିତ ହେବ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଫ୍ୟାସନ ଶୋ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟର ବିକାଶ ଆୟୁକ୍ତ ଓ ବିକାଶ ଆୟୁକ୍ତ ତଥା ସିଡାକର ମିଳିତ ସହଭାଗିତାରେ ଆୟୋଜନ ହେବାକୁ ଯାଉଛି ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ।

ତାତିରୁ ମିଳିବ ଆଶ୍ୱସ୍ତି, କାଲିଠାରୁ ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ:  ତାତିରୁ ମିଳିବ ଆଶ୍ୱସ୍ତି । କୁଆପଥର ବର୍ଷା ସହ ପାଗରେ ହେବ ପରିବର୍ତ୍ତନ । କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ହେବ ବର୍ଷା । ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା । ଆଗାମୀ ୨୪ ଘଣ୍ଟାରେ କିଛି ଜାଗାରେ ହିଟ ୱିଭ ବି ରହିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ହିଟ ୱେଭ ସତର୍କତା ଜାରି କରାଯାଇଛି । ୧୯ ତାରିଖରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଆଜି ଏବଂ କାଲି ପାଇଁ କାଳବୈଶାଖ ପାଇଁ ସତର୍କତା ନାହିଁ । ୨୦ ଓ ୨୧ ତାରିଖରେ ହାଲୁକା ବର୍ଷା ଘଡଘଡି ବିଜୁଳି ଝଡ଼ ପବନ ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ, ଦେବଗଡ଼, ବୌଦ୍ଧ ,ଅନୁଗୁଳ ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବ । ୨୧ ତାରିଖ ରେ ମଧ୍ୟ ବର୍ଷା ଲାଗି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ତାରିଖରେ ସଂପୂଣ୍ଣ ଓଡ଼ିଶାରେ ବର୍ଷା ସହ କୁଆପଥର ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ସେଥି ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଜିଲ୍ଲାକୁ ଅରେଞ୍ଜ ଓ ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ଵର, ଭଦ୍ରକ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆଗାମୀ ୨ ରୁ ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୩ ଦିନ ପରେ ବର୍ଷା ପ୍ରଭା ରେ ସ୍ଵାଭାବିକ ତାପମାତ୍ରା ରୁ ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ପାଇବା ସମ୍ଭାବନା ରହିଛି ।

ରାଜ୍ୟରେ ସରିନାହିଁ ବୃହତ ପାନୀୟ ଜଳ ପ୍ରକଳ୍ପ କାମ, କାମ ମନ୍ଥର ଗତିରେ ହେଉଥିବା ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ:  ଖରା ଦିନେ ରାଜ୍ୟର ବୃହତ ପାନୀୟ ଜଳ ପ୍ରକଳ୍ପ କାମ ସାରିବାର ଆବଶ୍ୟକତା ରହିଛି । ହେଲେ ଏ ଯାଏଁ ଏହା ସରିନଥିବା ନେଇ ପ୍ରଶ୍ନୋତ୍ତର କାଳରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ରମେଶ ବେହେରା । କାମ ମନ୍ଥର ଗତିରେ ହେଉଥିବା ନେଇ ଅଭିଯୋଗ କରି ସେ ସମୟସୀମା ବୃଦ୍ଧି କେବେ ଯାଏଁ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ କହିଥିଲେ, ଯେଉଁଠି ପ୍ରକଳ୍ପ କାମ ସରିନି, ସେଠି ସୌର ଚାଳିତ ବ୍ୟବସ୍ଥା, ନୂଆ ନଳକୂପ, ନଳକୂପ ମରାମତି, ପାଣି ଟ୍ୟାଙ୍କର, ଜିଲ୍ଲା ପରିମଳ ମିଶନ ପାଣ୍ଠି, ବସୁଧା ପାଣ୍ଠି ଓ ଟ୍ୟୁବୱେଲ ଯୋଗେ ପାଣି ମିଳୁଛି । କିନ୍ତୁ ଏହା ଉଦବେଗଜନକ । ତେବେ ଯାହା ସହ ଚୁକ୍ତି ହୋଇଥିଲା ସେମାନଙ୍କର ନୂଆ ସରକାର ସମୟରେ ସମୟସୀମା ସରିଥିଲା । ସେମାନଙ୍କୁ ଫାଇନ ପକାଯାଇଛି । ଆସନ୍ତା ୭ ଦିନ ଭିତରେ ସେମାନଙ୍କୁ ଡକାଯାଇ ତାଗିଦ କରାଯିବ । ଯଦି କାମ ନ କରନ୍ତି, ତେବେ କଳା ତାଲିକାଭୁକ୍ତ ହେବେ । ଧିମା କାମ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାର୍ଚ୍ଚ ସୁଦ୍ଧା କାମ ସରିବାର ଥିଲା । ଏବେ ଯାଏଁ ୭୨ ରୁ ୫୨ ପ୍ରକଳ୍ପ ସରିଛି । ବାକି କାମ ଚଳିତ ଜୁନ ସୁଦ୍ଧା ସରିବ । ଏହା ପରେ ଆଉ ୪୦ ପ୍ରକଳ୍ପ କାମ ଡିସେମ୍ବର ୨୦୨୬ ସୁଦ୍ଧା ସରିବ । କାମର ସମୟସୀମା ଆଉ ବୃଦ୍ଧି ହେବନି । ଏତଲା ପଂଚାୟତିରାଜ ବିଭାଗ କରିବ ବୋଲି ଗୃହକୁ ଜଣାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ପ୍ରେମ ପାଇଁ ଦେହରେ ପେଟ୍ରୋଲ ଢ଼ାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୟାଗଡ: ପ୍ରେମ ପାଇଁ ଦେହରେ ପେଟ୍ରୋଲ ଢ଼ାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ । ପ୍ରେମ ପାଇଁ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳିହୋଇ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣଙ୍କ କଟକ ଜିଲ୍ଲା କିଶୋରନଗର ଥାନା ଯାଞ୍ଚପଡ଼ା ଗାଁର ଲିଟୁଆ ଦାସ ବୋଲି ଜଣାପଡ଼ିଛି । ଲିଟୁଆ ଇଟାମାଟି ଥାନା ଅଞ୍ଚଳର ଜଣେ ଯୁବତୀକୁ ୪ ବର୍ଷ ହେବ ଭଲ ପାଉଥିଲେ । ଆଜି ଯୁବକ ଜଣକ ଯୁବତୀଙ୍କ ଘରେ ପହଞ୍ଚିଥିଲେ । ଝିଅର ବଡ଼ ଭଉଣୀ ଓ ସାନ ଭଉଣୀ ଉକ୍ତ ଯୁବକକୁ ଗାଳିଗୁଲଜ କରିଥିଲେ । ଫଳରେ ଯୁବକ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୁବକ ଜଣଙ୍କର ଶରୀରର ୮୦ ଭାଗ ପୋଡ଼ିଯାଇଛି । ଖବର ପାଇ ଘଟଣାସ୍ଥଳରେ ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି  ।

ପଦାରେ ପଡିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପାରଗତା,ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ପୁଣି ପ୍ରଶ୍ନପତ୍ର ଲିକ । ପଦାରେ ପଡିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅପାରଗତା । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର । ପରୀକ୍ଷାର 2ରୁ 3 ଦିନ ପୂର୍ବରୁ ୟୁଟ୍ୟୁବରେ ଅପଲୋଡ଼ ହେଉଛି ପ୍ରଶ୍ନ ପତ୍ର ସହିତ ଉତ୍ତର। ଯାହାକୁ ନେଇ ପୁଣି ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅପାରଗତା ପଦାରେ ପଡିଛି । ଭଦ୍ରକ ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଓ ତାର ଉତ୍ତର 2 ରୁ 3 ଦିନ ପୂର୍ବରୁ ଆସି ଯାଉଛି ୟୁଟ୍ୟୁବ ଚ୍ୟାନେଲରେ । ଯାହା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକଙ୍କୁ ଆଶ୍ଚର୍ଯ୍ୟ କରିଛି। ଛାତ୍ରଛାତ୍ରୀ ମାନେ ବର୍ଷ ତମାମ ଯାହା ପଢ଼ନ୍ତି ତାର ଉତ୍କର୍ଷତା ଦେଖାଇବା ପାଇଁ ବାର୍ଷିକ ପରୀକ୍ଷା କରାଯାଇଥାଏ। ସେଥିପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାନ୍ତି। ତେବେ ଚଳିତ ବର୍ଷ ପିଲା ମାନଙ୍କୁ ଆଉ ପରିଶ୍ରମ କରିବାକୁ ପଡୁ ନାହିଁ । ଆଜିର ପରୀକ୍ଷାର ଉତ୍ତର ଗତ କାଲି ଠାରୁ ଗୋଟିଏ ନିର୍ଧିଷ୍ଟ ୟୁଟ୍ୟୁବ ଚ୍ୟାନେଲରେ ଆସି ଯାଉଛି । ଆଉ ପିଲା ତାହା ଦେଖି ଓ ଲେଖି ପରୀକ୍ଷା କେନ୍ଦ୍ର କୁ ଆସି ପରୀକ୍ଷା ସମୟ ଶେଷ ହେବା ପୂର୍ବରୁ ଉତ୍ତର ଲେଖି ପଳାଇ ଯାଉଛନ୍ତି।ଏମିତି ଘଟଣା ଗତ ତିନି ଦିନ ହେବ ଦେଖା ଯାଉ ଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଆଜି ସପ୍ତମ ଶ୍ରେଣୀର ଗଣିତ ପରୀକ୍ଷା ଥିଲା। ଯାହା ପ୍ରଶ୍ନ ପଡିଥିଲା ତାର ଉତ୍ତର ଗତ 3 ଦିନ ପୂର୍ବରୁ ନଲେଜ୍ ଓ୍ବିଥ୍ ନିଲୁ ନାମକ ୟୁଟ୍ୟୁବ ଚ୍ୟାନେଲରେ ଆସିଥିଲା । ଯାହାକୁ ନେଇ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ଏହି ପ୍ରଶ୍ନପତ୍ର ପରୀକ୍ଷାର ତିନି ଦିନ ପୂର୍ବରୁ ସଂପୃକ୍ତ ଚ୍ୟାନେଲ ହାତକୁ ଗଲା ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି।

ଯଦି ପ୍ରଶ୍ନ ପତ୍ର ଲିକ କରିବାର ଥିଲା ତେବେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କାହିଁକି ପରୀକ୍ଷା କରାଉଛି ତାହା ମଧ୍ୟ ପ୍ରଶ୍ନ ଉଠିଛି । କେବଳ ଅଙ୍କ ନୁହଁ ଆଗାମୀ ଦିନରେ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନ ୟୁଟ୍ୟୁବ ଚାନେଲରେ ଅପଲୋଡ଼ ହୋଇଥିବା ବେଳେ ତାହା ବି ଚଳିତ ବର୍ଷର ପ୍ରଶ୍ନପତ୍ର ନୁହଁ ତ ବୋଲି ପ୍ରଶ୍ନ ଉଠିଛି । ଯାହାକୁ ନେଇ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଅବିଭାବକ ମହଲରେ ଦାବି ହୋଇଛି। ଅନ୍ୟପଟେ ଘଟଣା ସଂପର୍କରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରାଯିବା ପରେ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ଦେଇନାଥିଲେ ମଧ୍ୟ ଘଟଣା ସଂପର୍କରେ ଯାଞ୍ଚ କରାଯିବାର ପ୍ରତିଶୃତି ଦେଇଛନ୍ତି।

ରେଳ ଧାରଣାରୁ ଛାତ୍ରଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭଦ୍ରକ: ବାଉଦପୁର ନିକଟସ୍ଥ ରେଳଧାରଣ ଯୁବକଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର । ମୃତଦେହ ପଡ଼ିଥିବା ବେଳେ ଶରୀରରୁ ମୁଣ୍ଡ ଓ ଡାହାଣ ହାତ ଗାଏବ ହୋଇଯାଇଛି । ମୃତକ ଜଣଙ୍କ ହେଲେ ରଞ୍ଜନ ସାମନ୍ତରା । ତେବେ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପାରିପାର୍ଶିକ ପରିସ୍ଥିତିକୁ ନେଇ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

ରାନ୍ଦିଆ ଓ ବାଉଦପୁର ଷ୍ଟେସନ ମଝି ଥିବା ସାଳନ୍ଦୀ ବ୍ରିଜ ରେଳ ଧାରଣା ନିକଟରୁ ଭଦ୍ରକ ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରିଛି । ସାବରଙ୍ଗ ଥାନା ଅଧୀନସ୍ଥ ବ୍ରହ୍ମପୁର ଗାଁର ନିରଞ୍ଜନ ସାମନ୍ତରାଙ୍କ ପୁଅ ରଞ୍ଜନ ଭଦ୍ରକ ସହରରେ ଥିବା କନିକା ମେସରେ ରହି ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପଢୁଥିଲେ । ଗତ ରାତିରୁ ରଞ୍ଜନ ମେସକୁ ଫେରି ନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ରେଲୱେ ପୋଲିସ ଏକ ଯୁବକଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଘର ଲୋକେ ଖବର ପାଇଥିଲେ । ମେଡିକାଲରେ ପହଞ୍ଚି ରଞ୍ଜନଙ୍କ ମୃତଦେହକୁ ଚିହ୍ନଟ କରିଥିଲେ ପରିବାର ଲୋକେ । ରଞ୍ଜନଙ୍କ ମୁଣ୍ଡ ଓ ଡାହାଣ ହାତଟି ନଥିବା ବେଳେ ଶରୀରରେ ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନାହିଁ । ଆଖପାଖ ଅଞ୍ଚଳରେ ପୋଲିସ ଖୋଜାଖୋଜି ପରେ ମଧ୍ୟ ମୁଣ୍ଡ ଓ ହାତ ମିଳିନାହିଁ । ହତ୍ୟା ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ରେଲୱେ ପୋଲିସ ।

୫ ବର୍ଷ ଶିଶୁଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଅଟକ ଅଭିଯୁକ୍ତ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ୫ ବର୍ଷ ଶିଶୁଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଟକ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଯୁବକ ଜଣକ ହେଲେ ବାବୁଲା ଜେନା l ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗତ ଗୁରୁବାର ଘଟିଥିଲା ଘଟଣା । ଏନେଇ ନିଖୋଜ ଶିଶୁର ପରିବାର ପକ୍ଷରୁ ଶୁକ୍ରବାର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଏକ ମିସିଙ୍ଗ ରିପୋର୍ଟ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଶନିବାର ଏକ ମହୁଲ ଗଛ ମୂଳରୁ ନିଖୋଜ ଶିଶୁର ରକ୍ତ ଜୁଡୁବୁଡୁ ଶବକୁ ଉଦ୍ଧାର କରିଥିଲା ପୋଲିସ । ପ୍ରାଥମିକ ତଦନ୍ତରୁ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ଅଧିକ ଖୋଲାତାଡ଼ କରୁଥିଲା ପୋଲିସ । ଖୋଳତାଡ଼ ପରେ ପୋଲିସ ମୃତଦେହ ପଡ଼ିଥିବା ସ୍ଥାନରୁ ଶହେ ମିଟର ଦୂରରେ ଥିବା ଏକ ଘରେ ରକ୍ତ ଛିଟା ପଡ଼ିଥିବା ଦେଖିଥିଲା । ଏହାପରେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଥିଲା । ସେହି ଘରେ ରହୁଥିବା ବାବୁଲା ଜେନାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ୩ ଦିନ ଧରି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଜେରା କରିବା ପରେ ଅଭିଯୁକ୍ତ ବାବୁଲା ଜେନାକୁ ଗିରଫ କରାଯାଇଛି ।