ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାନିଟାରୀ ଇନ୍ସପେକ୍ଟରଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଲା ବିଏମସି

ଭୁବନେଶ୍ୱର: କଥା ଦେଇ କଥା ରଖିଲା ବିଏମସି । କାର୍ଯ୍ୟରତ ଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନବ ନିଯୁକ୍ତ ସାନିଟାରୀ ଇନ୍ସପେକ୍ଟରଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଲା ବିଏମସି । ଗତ ୩୦ ତାରିଖ ରାତିରେ ରାଜମହଲ ଛକରେ ସଡ଼କ ଦୁର୍ଘଟଣାରେ ସାନିଟାରୀ ଇନ୍ସପେକ୍ଟର ପି. ରିତିକ ରୋହନଙ୍କର ମୃତ୍ୟୁ ଘଟିଥିଲା । ମୃତ ରିତିକ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କର ମୃତ୍ୟୁ ପରେ ସଂପୂର୍ଣ୍ଣ ପରିବାର ବେସାହାରା ହୋଇଯାଇଥିଲା ।

ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ବିଏମସିରେ ନିଯୁକ୍ତି ଦେବାକୁ ଦାବି ହୋଇଥିଲା । ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଏମସି । ମୃତକଙ୍କ ବଡ଼ଭାଇ ପି. ହୃତିକ ରୋଶନଙ୍କୁ ସାନିଟାରୀ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଛି । ରୋଶନ ଡେପୁଟି କମିଶନର ଶୁଭେନ୍ଦୁ ସାହୁଙ୍କ ଉପସ୍ଥିତିରେ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ବିଏମସିର ପଦକ୍ଷେପକୁ ହୃତିକଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।