ତେଲେଙ୍ଗାନାରେ ହାସଟ୍ୟାଗ ବାଏ ବାଏ ମୋଦି ପୋଷ୍ଟର 

ହାଇଦ୍ରାବାଦ: ତେଲେଙ୍ଗାନାରେ ଲାଗିଛି ହାସଟ୍ୟାଗ ବାଏ ବାଏ ମୋଦି ପୋଷ୍ଟର। ତେଲେଙ୍ଗାନାରେ ମୋଦିଙ୍କ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଙ୍କ ଦ୍ବାରା ରେଡ ରାଜନୀତି ଚଳିବ ନାହିଁ ବୋଲି ଏଥିରେ ସ୍ପଷ୍ଟ ବାର୍ତ୍ତା ରହିଛି ।

ହାଇଦ୍ରାବାଦର ମୁଖ୍ୟ ସଡ଼କରେ ଛାଇ ଯାଇଛି ହାସଟ୍ୟାଗ ବାଏ ବାଏ ମୋଦି ବିରୋଧୀ ପୋଷ୍ଟର। ଏହି ପୋଷ୍ଟର ସବୁ ଗଣମାଧ୍ୟମରେ ହେଡଲାଇନ ପାଲଟିଥିବାବେଳେ ବଡ଼ ଅଜବ ତରିକାରେ ପ୍ରତିବାଦ କରାଯାଇଛି । ପୋଷ୍ଟରରେ ରେଡ ଡିଟରେଜଣ୍ଟ ଚିତ୍ର ବି ରହିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ରେଡ୍ ଡିଟରଜେଣ୍ଟ ଯେଉଁ ନେତାଙ୍କ ଧଳା ବାନିୟନରେ ଲାଗିଛି ସେମାନେ ପରେ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛନ୍ତି।

ସେଥିରେ ସାମିଲ ଅଛନ୍ତି ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ହିମନ୍ତ ବିଶ୍ବଶର୍ମା ପରି ଦିଗଜ ନେତା । ଏମାନଙ୍କ ଧଳା ବାନିୟନରେ ପଡିଥିବା ଦୁର୍ନୀତିର ଛିଟାକୁ ରେଡ ଡିଟରଜେଣ୍ଟ ଧୋଇବା ପରେ ଗେରୁଆ ରଙ୍ଗରେ ଉଭା ହୋଇଥିଲେ । ଏବେ କିନ୍ତୁ କେ କବିତାଙ୍କ ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୋଷ୍ଟରରେ ବାର୍ତ୍ତା ଦିଆଯାଇଛି ।

ତାଙ୍କ ସବୁଜ ଶାଢ଼ି ପୂର୍ବବତ ସବୁଜ ରହିବ ବୋଲି ଦର୍ଶାଯାଇଛି। ଏହାର ଅର୍ଥ ହେଲା କେସିଆରଙ୍କ କନ୍ୟା କେ କବିତାଙ୍କ ବିରୋଧରେ ଆସିଥିବା ଦିଲ୍ଲୀ ଲିକର କେସ ଅଭିଯୋଗ ଏକ ରେଡ ରାଜନୀତି। ଏଥିରେ କିଛି ହେବାର ନାହିଁ। କବିତା କେବେ ବି ଗେରୁଆ ଶାଢ଼ି ପିନ୍ଧିବେନି ବୋଲି ପୋଷ୍ଟରରେ କଡ଼ା ବାର୍ତ୍ତା ଦିଆଯାଇଛି।