ଯେତିକି ପାଖଉଛି ସେତିକି ଜମୁଛି ଉପନିର୍ବାଚନୀ ପ୍ରଚାର, ଭୋଟ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ତିନି ଦଳର ପ୍ରାର୍ଥୀ ଓ ନେତା

ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ରେ ହାଇଭୋଲଟେଜ ପ୍ରଚାର । ଦିନରାତି ଭୋଟ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ତିନି ଦଳର ପ୍ରାର୍ଥୀ ଓ ନେତା । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଏବେ ଚାଲିଛି ପ୍ରଚାର ଉପରେ ପ୍ରଚାର । ଲୋକଙ୍କୁ ହାତେଇବା ପାଇଁ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥି । ଏବେ ପ୍ରଚାର ପାଇଁ ପ୍ରାର୍ଥିମାନଙ୍କ ପାଇଁ ଲାଗିଛନ୍ତି ଷ୍ଟାର ପ୍ରଚାରକ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି ବିଧାୟକ, ମନ୍ତ୍ରୀ ଓ ସାଂସଦ । ଆଜି ଦଳ ପକ୍ଷରୁ ପାତ୍ରପଡା, ଶ୍ରୀକୋଣା, ମିର୍ଜାପୁର ଏବଂ ଚାନ୍ଦିପୁର ଅଞ୍ଚଳରେ ପ୍ରଚାର କରାଯାଉଛି ।

ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା, ଜ୍ୟୋତି ପାଣିଗ୍ରାହୀ, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା ରୋଡ ଶୋ କରିବା ସହ ସମାବେଶ କରିଛନ୍ତି । ଧୀରେ ଧୀରେ ବିଜେଡି ର ଶକ୍ତି ବୃଦ୍ଧି ହେଉଛି । ସମାବେଶରେ ଲୋକ ସଂଖ୍ୟା ବୃଦ୍ଧି ହେଉଥିବାରୁ ବିଜେଡି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ବାଲେଶ୍ୱର ସଦର ଅଞ୍ଚଳରେ ଦୁଇଟି ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଟିଆଇ ପଡିଆ ଏବଂ ସିଦ୍ଧି କଲ୍ୟାଣ ମଣ୍ଡପ ରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

ସେପଟେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମୀର ମହାନ୍ତି ପ୍ରଚାର କରି ଫେରିଯାଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରଚାର ଜାରି ରଖିଛନ୍ତି । ମାନସ ଏବଂ ପ୍ରତାପ ଷଡ଼ଙ୍ଗୀ ସହରର ବିଭିନ୍ନ ଅଞ୍ଚଳ ସମେତ ପଞ୍ଚାୟତ ପଞ୍ଚାୟତ ବୁଲି ଭୋଟ ଭିକ୍ଷା କରୁଛନ୍ତି ।

କଂଗ୍ରେସ ମଧ୍ୟ ତାର ପ୍ରଚାର କରିବାରେ ପଛରେ ପଡ଼ିନାହିଁ । ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି, ସତ୍ୟ ପ୍ରକାଶ ନାୟକ, ଯଜ୍ଞେଶ୍ୱର ବାବୁ, ଅମିୟ ପାଣ୍ଡବ ସହରର ଗଳିକନ୍ଦିରେ ପ୍ରଚାର କରିବା ସହ ପଥପ୍ରାନ୍ତ ସଭା କରୁଛନ୍ତି ।

Leave a Reply