କେବଳ ସମ୍ବିଧାନ ପାଖରେ ନ୍ୟାୟପାଳିକା ଉତ୍ତରଦାୟୀ: ପ୍ରଧାନ ବିଚାରପତି

1 min read

ସାନଫ୍ରାନ୍ସିକୋ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନା ରାଜନୈତିକ ଦଳଗୁଡିକ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ନିଜ ସ୍ୱାର୍ଥ ସାଧନା ପାଇଁ ରାଜନୈତିକ ଦଳଗୁଡିକ ନ୍ୟାୟପାଳିକାକୁ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି । ରାଜନୈତିକ ଦଳଗୁଡିକର ତ୍ରୁଟିଯୁକ୍ତ ଚିନ୍ତାଧାରା ପାଇଁ ଉପଯୁକ୍ତ ବୁଝାମଣାର ଅଭାବ କାରଣରୁ ସମ୍ବିଧାନ ଏବଂ ଗଣତାନ୍ତ୍ରିକ ସଂସ୍ଥା ସମ୍ପର୍କରେ ଜାଣିପାରୁନାହାନ୍ତି ସାଧାରଣ ଲୋକମାନେ । ସୂଚନାଥାଉକି, ଜୁଲାଇ ୧ ତାରିଖରେ ଆମେରିକାର ସାନ ଫ୍ରାନ୍ସିକୋରେ ଆୟୋଜିତ ଭାରତୀୟ-ଆମେରିକୀୟ ସଂଘର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନ ବିଚାରପତି ରମନ୍ନା ।

ଏହି ଅବସରରେ ରମନ୍ନା କହିଥିଲେ, ଆମେ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଛେ  । କିନ୍ତୁ ଏବେବି ଅନେକ ଅବଶୋଷ ରହିଯାଇଛି । ସମ୍ବିଧାନ ଦ୍ୱାରା ପ୍ରତ୍ୟେକ ସଂସ୍ଥା ଏବଂ ଲୋକମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ଓ କାର୍ଯ୍ୟକୁ ସଠିକ ଭାବେ ତୁଲାଉ ନାହାନ୍ତି । ଯିଏ କ୍ଷମତାରେ ରହୁଛି ସେ ଭାବୁଛି ଯେ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅଦାଲତରୁ ଅନୁମୋଦନ ପାଇବାକୁ ସେମାନେ ହକଦାର, ସେହିପରି ଯିଏ ବିରୋଧୀ ଦଳରେ ରହୁଛନ୍ତି ସେମାନେ ଆଶା କରୁଛନ୍ତି କି ତାଙ୍କର ରାଜନୈତିକ ଆଶାକୁ ନ୍ୟାୟପାଳିକାରୁ ପ୍ରଗତି ମିଳିବ । କିିନ୍ତୁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ସମ୍ବିଧାନ ଏବଂ କେବଳ ସମ୍ବିଧାନ ପାଖରେ ନ୍ୟାୟପାଳିକା ଉତ୍ତରଦାୟୀ ।  ତ୍ରୁଟିପୂର୍ଣ୍ଣ ବିଚାର ପାଇଁ ଲୋକମାନଙ୍କ ମଧ୍ୟରେ ଉପଯୁକ୍ତ ବୁଝାମଣା ଅଭାବରୁ ସମ୍ୱିଧାନ ଏବଂ ଗଣତାନ୍ତ୍ରିକ ସଂସ୍ଥା ସମ୍ପର୍କରେ ଜାଣିପାରୁନାହାନ୍ତି । ପ୍ରତ୍ୟେକ ସଂସ୍ଥା ଏବଂ ବ୍ୟକ୍ତି ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟ କରିବାରେ ଅସମର୍ଥ ହେଉଛନ୍ତି  । ଆଉ ଯେଉଁମାନେ ଠିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଶଂସା କରାଯାଉନାହିଁ  ।

ଏଥିସହ ସିଜେଆଇ ରମନ୍ନା ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ପେଶାଗତ ଶିକ୍ଷାନୁଷ୍ଠାନର ବିକାଶକୁ ପ୍ରଶଂସା କରିଛନ୍ତି । ରମନ୍ନା କହିଛନ୍ତି ପୂର୍ବରୁ ଲୋକମାନେ ପେଶାଗତ କୋର୍ସ ଯେମିତିକି ଆଇନ, ବ୍ୟବସାୟ ଇତ୍ୟାଦି ପାଇଁ ଦେଶ ଛାଡୁଥିଲେ କିନ୍ତୁ ଏବେ ଦେଶରେ ଭଲ ଶିକ୍ଷା ସଂସ୍ଥା ରହିଛି । ଏହା ବ୍ୟତୀତ ସେ କହିଛନ୍ତି ସରକାରଙ୍କ କିଛି ଯୋଜନା ବିଶ୍ୱବିଦ୍ୟାଳୟ ଓ କଲେଜର ଶାନ୍ତି ଭଙ୍ଗ କରୁଛି । ଭିତ୍ତିଭୂମିର ମାନେ ହେଉଛି ଦୀର୍ଘକାଳୀନ ଅଭିବୃଦ୍ଧି ଏହା କେବେବି ଅସ୍ଥିର ନହେବା ଆବଶ୍ୟକ । ସାରା ବିଶ୍ୱରେ ସରକାର ବଦଳିବା ସହ ଯୋଜନା ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ  । କିନ୍ତୁ ବଦଳିବାର ଅର୍ଥ ଏହା ନୁହେଁ ଯେ ଶିକ୍ଷା କ୍ଷେତ୍ରରେ ବିକାଶକୁ ହ୍ରାସ କରିବା । ସମ୍ବିଧାନ ନିୟମ ଅନୁଯାୟୀ ପ୍ରତି ୫ ବର୍ଷରେ ସରକାର ବଦଳାଇବାକୁ ଲୋକମାନଙ୍କ ପାଖରେ କ୍ଷମତା ଅଛି  । ସରକାର ବଦଳାଇବା କ୍ଷେତ୍ରରେ ସହରର ଶିକ୍ଷିତଙ୍କ ଅପେକ୍ଷା ଗ୍ରାମାଞ୍ଚଳ ଲୋକମାନେ ଅଧିକ ସକ୍ରିୟ ଅଛନ୍ତି  । ବିଭିନ୍ନତା ମଧ୍ୟରେ ଏକତା ଭାରତର ଏକ ସ୍ୱତନ୍ତ୍ର ପରିଚୟ  । ଆମେ ସମସ୍ତେ ଏହାକୁ ପ୍ରଶଂସା କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ପ୍ରଧାନ ବିଚାରପତି ଏନଭି ରମନ୍ନା  ।