ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

1 min read

ଭୁବନେଶ୍ୱର: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ ।

ଆଜିର ସଫଳତା ପ୍ରମାଣ କରିଛି ଯେ, ହକି ଏବେବି ଭାରତର ପ୍ରମୁଖ କ୍ରୀଡା ଭାବେ ସ୍ଥାନ ବଜାୟ ରଖିଛି । ଓଡ଼ିଶାରେ ମଧ୍ୟ ହକି ପ୍ରତି ସମସ୍ତଙ୍କ ଭଲ ପାଇବା ରହିଛି । ଏହି ବିଜୟ ଆମ ସମସ୍ତଙ୍କ ମନରେ ଅବିସ୍ମରଣୀୟ ହୋଇ ରହିବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 5T ସଚିବ ଭିକେ ପାଣ୍ଡିଆନ ଦଳକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ସ ଭଳି ଖେଳିଥିଲେ ଏବଂ ସେମାନେ ସ୍ୱର୍ଣ୍ଣ ପାଇଁ ହକଦାର ଥିଲେ ।

ସେହିପରି କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ମଧ୍ୟ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।  ଉଲ୍ଲେଖଯୋଗ୍ୟ, ଆଜି ଏସିଆନ ଗେମ୍ସରେ ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ଜିତିଛି । ଏହି ବିଜୟ ସହ ଭାରତୀୟ ଦଳ ପାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ପ୍ରକାଶଥାଉକି, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଟିମକୁ ସ୍ପୋନ୍ସର କରିଆସୁଛନ୍ତି । ସେହିପରି ଦୁଇଦୁଇଥର ବିଶ୍ୱକପର ଆୟୋଜନ କରି ହକିକୁ ଏକ ନୂଆ ସ୍ତରକୁ ନେବା ପାଇଁ ପ୍ରୟାସ କରିଥିଲେ ଓଡ଼ିଶା ସରକାର ।