ରୂପାନ୍ତରିତ ଆଇଆରସି ସରକାରୀ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ରାଜ୍ଯ ଶିକ୍ଷା ବିପ୍ଳବରେ ଆଉ ଏକ ଫର୍ଦ୍ଦ । ରୂପାନ୍ତରିତ ଭୁବନେଶ୍ବର ନୟାପଲ୍ଲୀ ଆଇଆରସି ସରକାରୀ ଉଚ୍ଚ ବିଦ୍ଯାଳୟର ଲୋକାର୍ପଣ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଏହାକୁ ଏକ ଡ୍ରିମ୍ ପ୍ରୋଜେକ୍ଟ ଭାବେ ନିର୍ମାଣ କରିଥିବା ବେଳେ ଏହି ଅତ୍ୟାଧୁନିକ ମଡେଲ୍ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି ନବୀନ ।

ସ୍କୁଲରେ ରହିଛି ୩୫ଟି ହାଇଟେକ କ୍ଲାସ ରୁମ । ଦୁଇ ହଜାର ପିଲା ପାଠ ପଢ଼ିବାର କ୍ଷମତା ରହିଛି । କ୍ଳାସରୁମରେ ସିସିଟିଭି, ସ୍ମାର୍ଟ ବୋର୍ଡ, ଭିଡିଓ କନ୍ଫରେନିଂର ବ୍ୟବସ୍ଥା ରହିଛି । ଏହାସହ ୧୨ଟି ନୂତନ ଅତ୍ୟାଧୁନିକ ଶ୍ରେଣୀଗୃହ, ଇ-ଲାଇବେରୀ ଓ ବୈଜ୍ଞାବିକ ପ୍ରୟୋଗଶାଳା ନିର୍ମାଣ ହୋଇଛି । ଏପରିକି ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସଂଖ୍ୟାରେ ନୂତନ ଶୌଚାଳୟ ନିର୍ମାଣ କରାଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ଚକାଚକ ରୁମ ନିର୍ମାଣ ହୋଇଛି । ସ୍କୁଲର ବାର୍ଷିକ ଉତ୍ସବ ହେଉ ଅବା ସଭା, ସମିତି, ଏଥିପାଇଁ ତିଆରି ହୋଇଛି ମୁକ୍ତକାଶ ରଙ୍ଗମଞ୍ଚ । ଶ୍ରେଣୀଗୃହର କାନ୍ଥରେ ଭାଷା, ସାହିତ୍ୟ ଓ ସଂସ୍କୃତିର କଥା । ପିଲାମାନଙ୍କ ପାଇଁ ଦୁଇଟି ସାଇକେଲ ଷ୍ଟାଣ୍ଡ ଓ ଛାତ୍ରୀ ନିବାସ ମଧ୍ଯ ନିର୍ମାଣ କରାଯାଇଛି ।

କେବଳ ପାଠ ପଢା ନୁହେଁ ଛାତ୍ରଛାତ୍ରୀଙ୍କ ଖେଳକୁଦରେ ଦକ୍ଷତା ବଢିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଫୁଟବଲ, ଟେନିସ୍ କୋର୍ଟ, ଭଲି ଓ କବାଡ଼ି ମଇଦାନ ନିର୍ମାଣ  କରାଯାଇଛି । ଛାତ୍ରଛାତ୍ରୀଙ୍କ ମନରେ ଜୋସ ଭରିବା ପାଇଁ ଦେଶ ବିଦେଶର ଖେଳାଳିଙ୍କ ଚିତ୍ର କାନ୍ଥରେ ଅଙ୍କା ଯାଇଛି । ସେହିପରି ପିଲା ନିଜକୁ ଫିଟ୍ ରଖୁବାକୁ ଜିମ୍ ଓ ସାଇକେଲିଂ ଟ୍ରାକ୍ ଓ ଜଗିଂ ଟ୍ରାକ୍ ପ୍ରସ୍ତୁତ କରାଯାଇଛି ।

୧୯୮୩ ମସିହାରେ ଆଇଆରସି ଭିଲେଜରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୭୦୦ ଟପିଲା ପରେ ଶ୍ରେଣୀ ଗୃହରେ ବସିବାକୁ ଅସୁବିଧ ହେଉଥିଲା । ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୨୦୨୨ ମସିହାରେ ଏହି ସ୍କୁଲକୁ ପୁନଃ ନିର୍ମାଣ କରିବାକୁ ଯୋଜନା କରିଥିଲେ ରାଜ୍ୟ ସରକାର । ଏହି ସ୍କୁଲ ରାଜ୍ଯ ସରକାରଙ୍କ ସ୍ବପ୍ନର ପ୍ରକଳ୍ପ ହୋଇଥିବା ବେଳେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଡିଏ ଉପାଧ୍ଯକ୍ଷ ବଲବନ୍ତ ସିଂହ ବାରମ୍ବାର ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିଥିଲେ ।