ଦେଶବାସୀଙ୍କୁ ଆକର୍ଷିତ କରିଛି ଓଡ଼ିଶାର ବିକାଶ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ବର: ଆମ ରାଜ୍ୟ ଓଡ଼ିଶାର ବିକାଶ ସାରା ଦେଶବାସୀଙ୍କୁ ଆକର୍ଷିତ କରିଛି । ଓଡ଼ିଶା ଆଗକୁ ବଢୁଛି। ଆମର କାର୍ଯ୍ୟ ଏହା ପ୍ରଦର୍ଶିତ କରୁଛି । କୋଳାହଳ ନକରି ଆମେ ଏହି କାର୍ଯ୍ୟ କରି ଚାଲିଛନ୍ତି । ନ୍ୟୁଜ-୧୮ ପକ୍ଷରୁ ରାଇଜିଂ ଓଡ଼ିଶା କନକ୍ଲେଭର ଶୁଭାରମ୍ଭ କରିବା ଅବସରରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଇଜିଂ ଓଡ଼ିଶା ଶୀର୍ଷକକୁ ବିବେଚନା କରିଥିବାରୁ ଓଡ଼ିଶ ବିକାଶ ଦେଶବାସୀଙ୍କୁ ଆକର୍ଷିତ କରିଛି ।

ଏହି ଅବସରରେ ଓଡ଼ିଶା ରୂପାନ୍ତରଣର କାହାଣୀ କହିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ‘ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ରୂପାନ୍ତରଣ ଓ ସଶକ୍ତୀକରଣର କାହାଣୀ ପାଲଟିଛି । ବିପର୍ଯ୍ୟୟ ପ୍ରଶମନ ଏବଂ ଖାଦ୍ୟ ନିରାପତ୍ତା, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ ପାଲଟିଛି । ଆନ୍ତର୍ଜାତିକ ସ୍ତରର କ୍ରୀଡା ଆୟୋଜନ ସହ ପ୍ରଗତି କରି ବିଶ୍ଵସ୍ତରୀୟ ମଡେଲ ପାଲଟିଛି । ସ୍କୁଲଗୁଡିକର ରୂପାନ୍ତରଣ ପରେ ମାଲକାନଗିରି ଜିଲ୍ଲାର ଛାତ୍ର ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ବୋର୍ଡରେ ପଢିବାର ସୁଯୋଗ ପାଇଛନ୍ତି ।’

ଆଗକୁ ସେ କହିଛନ୍ତି, ‘ନିବେଶ କ୍ଷେତ୍ରରେ ସାରା ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା । ଅନେକ ବର୍ଷ ଧରି ଓଡ଼ିଶା ରାଜସ୍ଵ ବଳକା ରାଜ୍ୟ ହୋଇ ରହିଛି । ଆର୍ଥିକ ବିକାଶ କ୍ଷେତ୍ରରେ ଅନେକ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଆଗାମୀ କିଛି ବର୍ଷ ମଧ୍ୟରେ ଦେଶର ପ୍ରଥମ ୩ ରାଜ୍ୟ ମଧ୍ୟରେ ରହିବ ଓଡ଼ିଶା । ସବୁ କିଛି ରାଜ୍ୟ ସରକାରଙ୍କ ରୂପାନ୍ତରଣ ମଡେଲ ଓ 5T ପ୍ରୟାସ ଯୋକୁଁ ହୋଇପାଇଛି। ଏହି ରାଇଜିଂ ଓଡ଼ିଶା ରାଜ୍ୟର ସାଢେ ୪ କୋଟି ଲୋକଙ୍କ ରୂପାନ୍ତରଣର କାହାଣୀ ଓ ସମସ୍ତେ ମୋର ପରିବାର ।’