ଭୁବନେଶ୍ବର: ବଢୁଛି ଯୁବ କଂଗ୍ରେସ କଳି । କାହା ଇସାରାରେ ଯୁବ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି, ତାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯୁବ କଂଗ୍ରେସର ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଜେପି ଦ୍ବାରା ପରିଚାଳିତ ହୋଇ କାମ କରୁଥିବା ଅଭିଯୋଗ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ ବିବାଦକୁ ଉଗ୍ର କରିଛି । ନିର୍ବାଚନ ସମୟରେ ଛାମୁଆ ସଂଗଠନ ବିଗିଡ଼ିଯିବା ନେଇ ଚିନ୍ତାରେ ପଡ଼ିଛି ଦଳ । ଯାହାକୁ ନେଇ ଉଷ୍ମ ହୋଇଛି କଂଗ୍ରେସ ଶିବିର ।

ପଦ୍ମ ନଚାଉଛି ହାତକୁ ! ମୁଖ୍ୟ ସେନାପତି ସାଜିଛନ୍ତି ଯୁବ ନେତା । ଏପରି ଆକ୍ଷେପ ଓ ପ୍ରତି ଆକ୍ଷେପ ନେଇ ମୁହାଁମୁହିଁ ହୋଇଛନ୍ତି ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ । ବେଶ୍‌ କିଛି ଦିନ ପରେ ଯୁବ କଂଗ୍ରେସ କିଛି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା । ତାହା ଏବେ ଦଳ ପାଇଁ ବୁମେରାଂ ସାଜିଛି  । ବିଜେପି କଥାରେ ପରିଚାଳିତ ହୋଇ କିଛି ଯୁବ କଂଗ୍ରେସ ନେତା ରାଲି ଆୟୋଜନ କରିଥିଲେ ବୋଲି ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା ସାଂଘାତିକ ଅଭିଯୋଗ କରିବା ପରେ ଏହାର ଦୃଢ଼ ଜବାବ ଦେଇଛନ୍ତି ବିରୋଧୀ ଗୋଷ୍ଠୀ  । ଯେଉଁମାନେ ଏପରି ଅଭିଯୋଗ କରୁଛନ୍ତି, ସେମାନେ ବିଜେପି କି ଅନ୍ୟଦଳ ସହ ମିଶି କାମ କରୁଥିବେ ବୋଲି ଯୁବ କଂଗ୍ରେସର ଅନ୍ୟତମ ସାଧାରଣ ସମ୍ପାଦକ ନଳିନୀକାନ୍ତ ନାୟକ କହିଛନ୍ତି । ଏବେ ଯୁବ କଂଗ୍ରେସର କେହି ସଭାପତି ନାହାନ୍ତି । ଏଥିପାଇଁ କ’ଣ କୌଣସି କାର୍ଯ୍ୟକ୍ରମ ହେବ ନାହିଁ କି ବୋଲି ପ୍ରଶ୍ନ ସେ କରିଛନ୍ତି  ।

ରାଲିକୁ ନେଇ ରାଜ୍ୟ ଯୁବ କଂଗ୍ରେସରେ ଗୋଷ୍ଠୀ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ରାଜ୍ୟ ନେତୃତ୍ବଙ୍କ ଚିନ୍ତା ବଢ଼ିଛି । ତେବେ ଖୁବଶୀଘ୍ର ଦୁଇ ଗୋଷ୍ଠୀଙ୍କୁ ଏକାଠି କରି ପିସିସି ସଭାପତିଙ୍କ ସହିତ ବୈଠକ ବସି ସମାଧାନର ବାଟ ବାହାର କରାଯିବ ବୋଲି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ରାଜ୍ୟ କଂଗ୍ରେସରେ ଛାମୁଆ ଯୁବ ସଂଗଠନ ଭାଗଭାଗ ହୋଇଯାଇଛି । ଦଳର ମଙ୍ଗୁଆଳ କିନ୍ତୁ ଏ କଥାରେ ବିଶେଷ ମୁଣ୍ଡ ନପୂରାଇ ଭିନ୍ନ ମତ ରଖୁଥିବାରୁ ଦଳରେ ବଢୁଛି ଅନ୍ତଃ କନ୍ଦଳ ।