ଚବିଶ ପାଇଁ କିଏ ଯୋଦ୍ଧା? କାହାକୁ ମୈଦାନକୁ ଉତ୍ତାରିବ କଂଗ୍ରେସ

ଭୁବନେଶ୍ବର: ପୁରୁଖା ଅଭିଜ୍ଞ ନେତାଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ମାନସମଂଥନ ଆରମ୍ଭ କରିଛି କଂଗ୍ରେସ । ଏଆଇସିସିସି ଦୁଇଟି ପର୍ଯ୍ୟାୟରେ ଟିକେଟ ତାଲିକା ପ୍ରକାଶ ପରେ ବି ଓଡ଼ିଶାର ଜଣଙ୍କ ନାଁ ବି ଘୋଷଣା କରାଯାଇନାହିଁ । ଓଡ଼ିଶାରେ କିଏ କେଉଁଠୁ ଲୋକସଭା ପ୍ରାର୍ଥୀ ହେବେ ତାହାର ଅଙ୍କ ଛିଣ୍ଡିପାରୁନାହିଁ । ପିସିସି ସଭାପତି କହିଛନ୍ତି ବହୁ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ ହେବା ପାଇଁ  ଦଳ ପ୍ରସ୍ତାବ ଦେଇଛି । ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ବରିଷ୍ଠନେତାମାନେ ପୁରୁଖା ନେତାଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

କିଏ କେଉଁଠୁ ଲଢିବେ ? ଚବିଶ ନିର୍ବାଚନରେ କିଏ କିଏ ହେବେ କଂଗ୍ରେସ ଯୋଦ୍ଧା । ନୂଆ, ପୁରୁଣା କି ପୁରୁଖା କାହାକୁ ମୈଦାନକୁ ଓହ୍ଲାଇବ ଦଳ । ଭୁବନେଶ୍ବରରୁ ଦିଲ୍ଲୀ ଯାଏ ଚାଲିଛି କସରତ । ସ୍ଥିତିକୁ ଦେଖି ଦଳ ଷ୍ଟଲୱାର୍ଟଙ୍କୁ ଉତ୍ତାରିବାକୁ ଚିନ୍ତା କରୁଛି । ପିସିସିର ପ୍ରସ୍ତାବକୁ ସମର୍ଥନ କରିଛନ୍ତି ସୁର ଓ ଶରତ ରାଉତ । ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ କଂଗ୍ରେସ ୮୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି । ହେଲେ ଏହି ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ଲୋକସଭା ଆସନ ପାଇଁ କଂଗ୍ରେସ ଦଳର ଷ୍ଟଲୱାର୍ଟଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ କସରତ ଆରମ୍ଭ କରିଛି । ଭୁବନେଶ୍ବର ଆସନ ପାଇଁ ଦଳ ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସୁର ନିର୍ବାଚନ ଲଢିବେନି ବୋଲି ଖୋଲା ଘୋଷଣା କରିଛନ୍ତି ।

ତେଣୁ ଭୁବନେଶ୍ବରରୁ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ଦଳ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛି । ଏହାସହ ଛାତ୍ର କଂଗ୍ରେସ ସଭାପତି ୟାସର ନଓ୍ବାଜଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେହିପରି ପୁରୀ ସଂସଦୀୟ କ୍ଷେତ୍ରରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଟକରୁ ଏଆଇସିସି ସମ୍ପାଦକ ଶରତ ରାଉତ, ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ନବରଙ୍ଗପୁରରେ ଭୁଜବଳ ମାଝୀ, କଳାହାଣ୍ଡିରୁ ଭକ୍ତଚରଣ ଦାସଙ୍କ ଭଳି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଦଳ ମଇଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି । ଯାହାକୁ ସ୍ବାଗତଯୋଗ୍ଯ କହିଛନ୍ତି ସୁରେଶ ରାଉତରାୟ । ଅନ୍ୟପଟେ କିଛି ନେତା ବି ଖୋଲାଖୋଲି ଲୋକସଭା ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରାଜନୈତିକ ସମୀକ୍ଷକମାନେ କଂଗ୍ରେସ ଟିକେଟ ପ୍ରକ୍ରିୟାକୁ ନେଇ କିନ୍ତୁ ରଖିଛନ୍ତି ଭିନ୍ନମତ।

ଆଗୁଆ ଟିକେଟ ବାଣ୍ଟିବାକୁ କସରତ ଆରମ୍ଭ କରିଥିବା ଉଭୟ ବିଧାନସଭା ଓ ଲୋକସଭାରେ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ବନ୍ଦରେ ପଡ଼ିଛି ରାଜ୍ଯ କଂଗ୍ରେସ । ଓଡ଼ିଶା ଓ ଦିଲ୍ଲୀରେ ପ୍ରାର୍ଥୀ ଚୟନ ନେଇ ୩ଟି ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇପାରିନାହିଁ ଦଳ । ପିସିସି ସଭାପତିଙ୍କ ଯୁକ୍ତି ହେଉଛି ବହୁନେତାଙ୍କୁ ନିର୍ବାଚନ ଲଢିବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ହେଲେ ବିଡ଼ମ୍ବନାର ବିଷୟ ପିସିସି ସଭାପତି ନିଜେ କେଉଁଠି ଲଢିବେ ତାହା ଜାଣିନଥିବା କହିଛନ୍ତି। ପ୍ରଗମନ ଆପରେ ଆଗୁଆ ଟିକେଟ ଚୟନ କରିବା ରଣନୀତି କଂଗ୍ରେସର ଫେଲ ମାରିବା ପରେ ଦଳ ଏବେ  ଚିରାଚରିତ ଟିକେଟ ବଣ୍ଟନ ପ୍ରକ୍ରିୟା ଜାରି ରଖିଛି ।