ଦେଶରେ ବଢୁଛି ସଂକ୍ରମଣ ! ଜାଣନ୍ତୁ କେଉଁ ରାଜ୍ୟର କଣ ରହିିଛି ପରିସ୍ଥିତି ଏବଂ କଣ ରହିଛି ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକୁଛି ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ କ୍ରମାଗତ ୧୧ ସପ୍ତାହ ହ୍ରାସ ପାଇବା ପରେ ଗତ ଦୁଇ ସପ୍ତାହରେ ଆକ୍ରାନ୍ତ ସଂଖ୍ୟା ପୁଣି ବଢିଛି । ଗତ ତିନି ଦିନ ଧରି, ୨୫୦୦ରୁ ଅଧିକ ମାମଲା ରିପୋର୍ଟ କରାଯାଉଛି । ୧୮ ରୁ ୨୪ ଏପ୍ରିଲ ମଧ୍ୟରେ, ୧୫,୭୦୦ରୁ ଅଧିକ ନୂଆ ଆକ୍ରାନ୍ତି ଚିହ୍ନ ଟ ହୋଇଛନ୍ତି । ତେବେ ଗତ ସପ୍ତାହରେ ୩ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ତାହ ବଢି ୧୨ ରାଜ୍ୟରେ ପହଞ୍ଚିଛି । ପାଖାପାଖି ୧୨ରୁ ଅଧିକ ରାଜ୍ୟ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି । ତେଣୁ ଅନେକ ରାଜ୍ୟ ପୁନର୍ବାର ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବାକୁ ଯାଉଛନ୍ତି ।

ଗତ ସପ୍ତାହ ପର୍ଯ୍ୟନ୍ତ କେବଳ ଦିଲ୍ଲୀ, ହରିୟାଣା ଏବଂ ୟୁପିରେ ମାମଲା ବୃଦ୍ଧି ପାଉଥିବାର ଦେଖାଯାଇଥିଲା, କିନ୍ତୁ ବର୍ତ୍ତମାନ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ପଞ୍ଜାବରେ ମଧ୍ୟ ମାମଲା ବୃଦ୍ଧି ପାଇଛି । ୧୨ଟି ରାଜ୍ୟ ବ୍ୟତୀତ, କେନ୍ଦ୍ର ଶାସିତ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଦିଲ୍ଲୀରେ ସୋମବାର ଦିନ କ୍ରମାଗତ ଭାବେ ଚତୁର୍ଥ ଦିନରେ ଏକ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି । ସଂକ୍ରମଣ ହାର ମଧ୍ୟ ୬.୪୨ ପ୍ରତିଶତରେ ପହଞ୍ଚିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପ୍ରୟୋଗ ନକଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ୧୮ ରୁ ୫୯ ବର୍ଷର ଲୋକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ମଧ୍ୟ ଘୋଷଣା କରାଯାଇଛି ।

ଉତ୍ତର ପ୍ରଦେଶରେ ମଧ୍ୟ କରୋନାର ସଂକ୍ରମଣ ବୃଦ୍ଧି ପାଉଛି ।  ଅଧିକାଂଶ ଆକ୍ରାନ୍ତ ଦିଲ୍ଲୀ ନିକଟସ୍ଥ ଗୌତମ ବୁଦ୍ଧ ନଗର ଏବଂ ଗାଜିଆବାଦରୁ ଆସୁଛି । ରାଜଧାନୀ ନିକଟରେ ଥିବା ଏନସିଆର ଅଞ୍ଚଳରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୟୁପି ସରକାର ଏପ୍ରିଲ ୧ରେ ମାସ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇଦେଇଥିଲେ, କିନ୍ତୁ ଏବେ ଏହାକୁ ପୁନର୍ବାର ବାଧ୍ୟତାମୂଳକ କରାଯାଇଛି ।

ଦିଲ୍ଲୀର ପଡୋଶୀ ରାଜ୍ୟ ହରିୟାଣାରେ କରୋନା ସଂକ୍ରମଣ ହାର ୫.୧୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଏପ୍ରିଲ ୧ ରେ ୦.୪୦ ପ୍ରତିଶତ ଥିଲା। ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ଚାରିଟି ଜିଲ୍ଲା – ଗୁରୁଗାଓଁ, ଫରିଦାବାଦ, ସୋନିପାତ ଏବଂ ଜଞ୍ଜରରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

ଫେବୃଆରୀ ୨୮ ରୁ କର୍ଣ୍ଣାଟକରେ କରୋନା ପାଇଁ ଥିବା ପ୍ରତିବନ୍ଧକ ହଟାଯାଇଛି । କିନ୍ତୁ ବର୍ତ୍ତମାନ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ହେବା ସହ ଏଠାରେ ସଂକ୍ରମଣ ହାର ୧.୯ ପ୍ରତିଶତ ଅତିକ୍ରମ କରିଛି ।

ତେଲେଙ୍ଗାନାରେ ଏହି ମାସ ଆରମ୍ଭରୁ ମାସ୍କ ପ୍ରତିବନ୍ଧକକୁ ହଟାଯାଇଥିଲା, ଯାହା ବର୍ତ୍ତମାନ ପୁଣି କାର୍ଯ୍ୟକାରୀ ହୋଇଛି । ଏବଂ ଏଠାରେ, ମାସ୍କ ନପିନ୍ଧିଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଆନ୍ଧ୍ରପ୍ରଦେଶରେ ମାସ୍କ ପିନ୍ଧିବାକୁ ସରକାର ପୁଣି ବାଧ୍ୟତାମୂଳକ କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ ୧୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଉଛନ୍ତି ।

ଛତିଶଗଡ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି।