୬ ରାଜ୍ୟରେ ସ୍ଥିତି ସଙ୍ଗୀନ, କେଉଁଠି ଚିକିତ୍ସା ପାଇଁ ଧାଡ଼ି… ଆଉ କେଉଁଠି ଶବ ପୋଡ଼ିବାକୁ

Covid Situation Grims In Many States

ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ସଙ୍ଗୀନ। ପ୍ରତି ରାଜ୍ୟରେ ହାହାକାର ପରିସ୍ଥିତି। ଭାରତ ସରକାରଙ୍କ ତଥ୍ୟ ଅନୁସାରେ ତିନୋଟି ରାଜ୍ୟ ଛତିଶଗଡ଼, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ପରିସ୍ଥିତି ଏପରି ଯେ, ସେଠାରେ ଏବେ କୌଣସି ବି ମୁହୂର୍ତ୍ତରେ ରୋଗୀଙ୍କ ସଂଖ୍ୟା ୧ ଲକ୍ଷରୁ କମ୍ ହେଉ ନାହିଁ । ଅପରପକ୍ଷେ ରାଜଧାନୀ ସହରକୁ ମିଶାଇ ଦେଶର ୬ଟି ପ୍ରମୁଖ ରାଜ୍ୟରେ ପରିସ୍ଥତି ଏମିତି ହୋଇଛି ଯେ, ଏହା ଭାରତର ସ୍ବାସ୍ଥ୍ୟସେବା ପ୍ରତିଛବିକୁ ଲଜ୍ଜାଜନକ ଭାବେ ଚିତ୍ରଣ କରୁଛି ।

Covid Situation Grims In Many States

କେଉଁଠି ହସ୍ପିଟାଲରେ ଶଯ୍ୟା ମିଳୁନି ତ କେଉଁଠି ଗୋଟିଏ ଶଯ୍ୟାରେ ଦୁଇଜଣଙ୍କୁ ରହିବାକୁ ପଡ଼ୁଛି ଆଉ ପୁଣି ହସ୍ପିଟାଲରେ ଆବଶ୍ୟକ ସ୍ଥଳେ ଅକ୍ସିଜେନ୍ ମିଳୁ ନାହିଁ । ଏମିତି ସ୍ଥିତିରେ ଆଗକୁ କେମିତି ପରିସ୍ଥିତି ଆୟତ୍ତକୁ ଆସିବ ତାହା ନା ଶାସକ, ପ୍ରଶାସକ କି ନେତା କାହା ମୁଣ୍ଡରେ ପଶୁ ନାହିଁ । ପ୍ରଥମେ ପ୍ରମୁଖ ରାଜ୍ୟ ଯେଉଁଠି ଦେଶର ସମସ୍ତ କ୍ଷମତା କେନ୍ଦ୍ର କେନ୍ଦ୍ରୀଭୂତ ସେଇ ଦିଲ୍ଲୀ କଥା । ଏଠାରେ ଦିନକୁ ୨୦.୨୨ ପ୍ରତିଶତ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଛି । ଗୁରୁବାରର ତଥ୍ୟ ଅନୁସାରେ ଏଠାରେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ପରତିସ୍ଥିତି ହୋଇଛି ଯେ, ରାଜ୍ୟ ସରକାର ଏବେ ସଂକ୍ରମଣର ଚେନ୍ ଭାଙ୍ଗିବା ଲାଗି ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ହେଲେ ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆସୁ ନାହିଁ । ଗତ ୨୪ ଘଣ୍ଟା ଭିତରେ ୧୬ ହଜାର ୬୯୯ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ପ୍ରମୁଖ ୧୪ ହସ୍ପିଟାଲରେ ସବୁ ଶଯ୍ୟା ଫୁଲ୍ ହୋଇଛି । ଆଉ ନୂଆ ରୋଗୀଙ୍କ ଲାଗି ଜାଗା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏବେ କିଛି ହସ୍ପିଟାଲରେ ଗୋଟିଏ ଶଯ୍ୟାରେ ଦୁଇ ରୋଗୀ ଚିକିତ୍ସା ହେଉଥିବା ଘଟଣା, ପରିସ୍ଥିତି କେତେ ଉଦବେଗଜନକ ତାହା ସ୍ପଷ୍ଟ କରୁଛି ।

Covid Situation Grims In Many States

ମଧ୍ୟପ୍ରଦେଶର ଭୋପାଳ ଓ ଇନ୍ଦୋର ସହରରେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦେଶ ପାଇଁ ଲଜ୍ଜା ସୃଷ୍ଟି କରିଛି । ଏଠି ଶବ ସତ୍କାର ପାଇଁ ଶ୍ମଶାନରେ ଜାଗା ନାହିଁ । ଧାଡ଼ି ଧାଡ଼ି ମୃତ ଦେହ ଷ୍ଟ୍ରେଚର ଉପରେ ଅପେକ୍ଷା କରୁଛି ସତ୍କାର ପାଇଁ । ହେଲେ ରାଜ୍ୟ ସରକାର ଏସବୁ ଲୁଚାଇବା ଲାଗି ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । କରୋନାରେ ମୃତ୍ୟୁ ଘଟୁଥିଲେ ବି ତାହା ଦର୍ଶାଯାଉ ନାହିଁ । ରୋଗୀଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍ ଅଭାବ ଏକ ଗୁରୁତର ସମସ୍ୟା ହୋଇଛି ।

Covid Situation Grims In Many States

କିଛି ଦିନ ତଳେ ଉତ୍ତର ପ୍ରଦେଶର ନଦୀ ପଠାରେ ଯେଉଁଭଳି ଭାବେ ଶବ ସତ୍କାରରର ଦୃଶ୍ୟ ସୋଶିଆଲ୍ ମିଡିଆରେ ଚାଲିଥିଲା ତାହା ଦର୍ଶାଉଥିଲା ରାଜ୍ୟରେ କରୋନା ସ୍ଥିତି କେତେ ଗମ୍ଭୀର । ସନ୍ଧ୍ୟାବେଳେ ଏହି ଦୃଶ୍ୟ ଜଙ୍ଗଲରେ ନିଆଁ ଲାଗିବା ଭଳି ଦିଶୁଥିଲା । ଏଠାରେ ଏବେ ଦିନକୁ ୨୭ ହଜାର ୪୨୬ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ଲକ୍ଷ୍ନୌ, କାନ୍ପୁର, ବାରଣାସୀ, ପ୍ରୟାଗରାଜରେ ସ୍ଥିତି ଗମ୍ଭୀର ରହିଥିବା ବେଳେ ମାଳମାଳ ମୃତଦେହଙ୍କୁ ଏକାଠି ସତ୍କାର କରାଯାଉଛି । ଏଠାରେ ହସ୍ପିଟାଲ୍ ଓ ଚିକିତ୍ସା ପାଇଁ ସରକାର ଡିଆରଡିଓର ସହାୟତା ନେଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଠାରେ ଦୁଇଟି ନୂଆ କୋଭିଡ୍ ହସ୍ପିଟାଲ୍ ନିର୍ମାଣ ପାଇଁ ଡିଆରଡିଓକୁ ନିର୍ଦ୍ଦେଶ ଦିଆଯାଇଛି ।

Covid Situation Grims In Many States

ଦେଶବାସୀଙ୍କ ଆଗରେ ନିଜର ନିକଟ ଭବିଷ୍ୟତର ଅବସ୍ଥାକୁ ଦର୍ପଣ ଭଳି ଦେଖାଉଛି ମହାରାଷ୍ଟ୍ର । ଯେଉଁଭଳି ଭାବେ ରୋଗୀ ଏଠାରେ ହାହାକାର ହେଉଛନ୍ତି ତାହା କାହାକୁ ଅଛପା ନାହିଁ । ଏଠାରେ ଆଉ ଘରେ ସଙ୍ଗରୋଧ କୌଣସି କାମ ଦେଉନି । ୨୦୨୦ରେ ଯେଉଁ କରୋନା ସଂକ୍ରମଣ ଦେଖା ଦେଉଥିଲା ତାହା ଯୁବକଙ୍କୁ କମ୍ ଆକ୍ରାନ୍ତ କରୁଥିଲା । ହେଲେ ଏବେ ତାହା ଆଉ ବୟସ ମାନୁ ନାହିଁ । ଏପରିକି ଶିଶୁଙ୍କୁ ଆକ୍ରାନ୍ତ କରୁଛି କରୋନା । ଏପଟେ ହସ୍ପିଟାଲରେ ଅକ୍ସିଜେନ୍, ବେଡ୍ ଓ ଚିକିତ୍ସା ବ୍ୟବସ୍ଥା ଅଭାବ ଏକ ନିତିଦିନିଆ ସମସ୍ୟା ହୋଇଛି ।

Covid Situation Grims In Many States

ଛତିଶଗଡ଼ରେ ତ ହସ୍ପିଟାଲରେ ଚିକିତ୍ସା ପାଇଁ ସ୍ଥାନ ଅଭାବ ରହିଛି ତା ସହ ମର୍ଚୁଆରୀରେ ଜାଗା ମିଳୁନି । ଫଳରେ ମୃତ ଦେହକୁ ସମ୍ମାନପୂର୍ବକ ସତ୍କାର ଏକ ସମସ୍ୟା ହୋଇ ରହିଛି । ରାଜଧାନୀ ସହର ରାୟପୁର ଓ ଦୁର୍ଗରେ ପରିସ୍ଥିତି ସଙ୍ଗୀନ । ଗଲା ୯ ଦିନ ହେଲା ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ସ୍ବାସ୍ଥ୍ୟସେବାକୁ ବିଶେଷ ପ୍ରଭାବିତ କରିଛି ।

Covid Situation Grims In Many States

ଗୁଜରାଟରେ ପରିସ୍ଥିତି ଏମିତି ହୋଇଛି ଯେ, ଆମ୍ବୁଲାନ୍ସକୁ ଶେଷରେ ଶଯ୍ୟାଭାବେ ବ୍ୟବହାର କରାଯାଇ ସେଠାରେ ରୋଗୀଙ୍କ ଚିକିତ୍ସା ଚାଲିଛି । କବରସ୍ତାନରେ ଦେଖିବାକୁ ମିଳୁଛି ଜେସିବି । ସାଧାରଣତଃ ନିଜ ପ୍ରିୟଜନଙ୍କ ଲାଗି କବର ହାତରେ ଖୋଳିବାର ପରମ୍ପରା ରହିଛି କିନ୍ତୁ ଏତେ ସଂଖ୍ୟାରେ ମୃତ ଦେହକୁ ସେହି ସମ୍ମାନ ଦେବା ସମ୍ଭବ ହୋଇପାରୁନି ପ୍ରଶାସନ ପାଖରେ । ଏଣୁ ଜେସିବି ଦ୍ବାରା ଖୋଳାଯାଉଛି କବରସ୍ତାନ । ଖାଲି ସେତିକି ନୁହେଁ ଆଗୁଆ କବରସ୍ତାନ ଖୋଳାଯାଇ ଆବଶ୍ୟକ ପୂରଣ କରିବା ପାଇଁ ରଖାଯାଉଛି । ଅହମଦାବାଦରେ ସିଭିଲ୍ ହସ୍ପିଟାଲ୍କୁ ଅକ୍ସିଜେନ୍ ଯୋଗାଣ ବନ୍ଦ ହୋଇଥିବା ବି ଖବର ଆସିଛି ।

Covid Situation Grims In Many States

ଦେଶର ଏମିତି ପରିସ୍ଥିତି ଆମ ଆଗରେ ଗତ ବର୍ଷ ଋଷ, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ସ୍ପେନ୍ ବା ଗ୍ରୀସର ଚିତ୍ରଗୁଡ଼ିକୁ ପୁଣିଥରେ ତାଜା କରି ଦେଉଛି । ଗତବର୍ଷ କରୋନା ଭୂତାଣୁ ସଂକ୍ରମଣ ଟିକେ ଖସିବା ବେଳକୁ ଆମେ ତାହାକୁ ପ୍ରସ୍ଥାନ ବୋଲି ବିଚାର କରି ଯେଉଁଭଳି ହାଲୁକା ଆଚରଣ କଲୁ ତାହା ପ୍ରସ୍ଥାନ କରୁଥିବା ଲହଡ଼ିକୁ ପୁଣିଥରେ ଫେରାଇ ଆଣିଛି । ଫଳରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଆକ୍ରାନ୍ତ ହୋଇ ଚାଲିଛି । ଓଡ଼ିଶା ବି ସେଥିରେ ପଛରେ ପଡ଼ି ନାହିଁ । ଏବେ ଏଠାରେ ଦିନକୁ ୩ ହଜାରରୁ ଅଧିକ ସଂକ୍ରମଣ ଦେଖା ଦେଉଛି । ଏହିକ୍ରମରେ ରାଜ୍ୟ ସରକାର ସତର୍କମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି ରାଜ୍ୟବାସୀ ତାହାକୁ ଠିକଣା ଭାବେ ପାଳନ କରନ୍ତି ହୁଏତ ତାହା ସଂକ୍ରମଣର ସଞ୍ଚରଣକୁ ରୋକ୍ ଦେବାରେ ସକ୍ଷମ ହୋଇପାରିବ । ନହେଲେ ଆମେ ଯେ ଆଗକୁ ଏକ ଉତ୍କଟ ପରିସ୍ଥିତିକୁ ଆବାହନ କରୁଛୁ ତାହା ନିଃସନ୍ଦେହ ।

Leave a Reply