ନନ୍ଦିଘୋଷ ବ୍ୟୁରୋ : ଭାଙ୍ଗି ପଡ଼ିଛି ଶହ ଶହ ପକ୍ଷୀଙ୍କ ବସା । କାନ୍ଦୁଛି ହେନ୍ତାଳ ବଣ । କାନ୍ଦୁଛନ୍ତି ହଜାର ହଜାର ପକ୍ଷୀଙ୍କ ମା’ । ଅଥଚ ନିଘୋଡ଼ ନିଦରେ ବନବିଭାଗ । ଯେଉଁଠି ବର୍ଷ ତମାମ ଦେଶୀୟ ଓ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଲାଗି ରହିଥାଏ । ଆଜି ସେହି ବଣ ଶ୍ମଶାନ ପାଲଟିଛି । ଗୋଟିଏ ରାତିର ଲଘୁଚାପ ବର୍ଷା ଓ ପବନ ସବୁ କିଛି ଛାରଖାର କରିଦେଇଛି । ପବନର ବେଗ ସହି ନପାରି ଶହ ଶହ ଛୁଆ ମା’ କୋଳରୁ ଖସି ପଡ଼ିଛନ୍ତି । ନଦୀରେ ପଡ଼ି ଛଟପଟ ହୋଇ ମରୁଛନ୍ତି । ହେଲେ ପକ୍ଷୀଙ୍କ ସୁରକ୍ଷା କଥା ଭୁଲି ଯାଇଛି ବନବିଭାଗ । ଜଣେ ବି କର୍ମଚାରୀ ଆସୁନାହାଁନ୍ତି କି କାଠି ଥୋଇ ନାହାଁନ୍ତି । ହେନ୍ତାଳ ବଣରେ ବର୍ଷ ତମାମ ଦେଶୀ ଧଳା ଓ କଳା ବଗ, ମାଛରଙ୍କା, ପାଣିକୁଆ ବସା ବାନ୍ଧି ରହିଥାନ୍ତି । ସେପ୍ଟେମ୍ବର ଅକ୍ଟୋବର ଆସିଲେ ଏହି ବଣକୁ ସୁଦୁର ସାଇବେରିଆ, ମଧ୍ୟ ଏସିଆ, ୟୁରୋପରୁ ହଜାର ବିଦେଶୀ ପକ୍ଷୀ ଉଡି ଆସନ୍ତି । ପକ୍ଷୀ ମାନଙ୍କ କୋଳାହଳରେ ମୁଖରିତ ହୁଏ ପୁରା ପରିବେଶ । ପ୍ରତିଦିନ ଶହ ଶହ ବାଟୋଇ, ପକ୍ଷୀ ପ୍ରେମୀ, ଫଟୋଗ୍ରାଫର ଏଠାକୁ ଦୌଡି ଆସନ୍ତି । ତେଣୁ ତୁରନ୍ତ ଏହି ବଣକୁ ବର୍ଡ ସାଂକଚୁଆରୀ ମାନ୍ୟତା ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।

