spot_img

Latest Posts

ତେଜିଲା ଡାଲମିଆ ରିଫେକ୍ଟୋରିଜ୍ ବିବାଦ : ପୂନଃ ନିଯୁକ୍ତି ଓ ବକେୟା ଦରମା ପ୍ରଦାନ ଦାବିରେ ଯୁଦ୍ଧଂଦେହୀ ଡାକରା

ବାଲେଶ୍ବର : ହକ୍ ପାଇଁ ଅଣ୍ଟା ଭିଡ଼ିଲେ ଶ୍ରମିକ । ପୂନଃ ନିଯୁକ୍ତି ଦାବିରେ ଯୁଦ୍ଧଂଦେହୀ ଡାକରା । ଜାତୀୟ ରାଜପଥ ଅବରୋଧ ପାଇଁ ମିଳିତ ସଂଗଠନର ଘୋଷଣା । ରୋଜଗାର ଗଲା । ଭବିଷ୍ଯତ ଅନ୍ଧାର ହୋଇଗଲା । ପିଲାଙ୍କ ପାଠପଢାରେ ବନ୍ଧା ହେଲାଣି ଡୋରୀ । ତେଣୁ କମ୍ପାନୀ ବିରୋଧରେ ଜୋରଦାର ସଂଗ୍ରାମ ପାଇଁ ଯୋଜନା ଆରମ୍ଭ କରିଛି ମିଳିତ ଶ୍ରମିକ ସଂଗଠନ । ବାଲେଶ୍ବରରେ ଥିବା ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ କମ୍ପାନୀରେ । ବାରମ୍ବାର ତ୍ରିପାକ୍ଷିକ ବୈଠକ ବସିଛି । ବିର୍ଲା ଟାୟାରରେ କାମ କରିଥିବା ଶ୍ରମିକ ମାନଙ୍କୁ ପୁନଃନିଯୁକ୍ତି ଦେବାକୁ ଶ୍ରମିକ ସଂଗଠନ ଦାବି କରିଚାଲିଛି । ହେଲେ ବିଭିନ୍ନ ବାହାନାକରି ପୁରୁଣା କମ୍ପାନୀକୁ କିଣିଥିବା ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ ଏହାକୁ ଏଡ଼ାଇ ଚାଲିଛି । ଏପରିସ୍ଥିତିରେ ପ୍ରଶାସନର ନୀରବତା ସମସ୍ତଙ୍କୁ ଚକିତ କରିଛି । ୨୦୨୦ ରେ ପୁରୁଣା କମ୍ପାନୀ ବିର୍ଲା ଟାୟାର ବନ୍ଦ ଘୋଷଣା କରିବା ପରେ ଶ୍ରମିକମାନେ ଦିନ ମଜୁରିଆ ଭାବେ ପରିବାର ଚଳାଇଛନ୍ତି । ଭବିଷ୍ଯତ ତିଆରି କରିବାକୁ ଆଶାକରି ଯାହା ପାଇଁ ଅଧା ଜୀବନ ଦେଇଥିଲେ, ସେହି କମ୍ପାନୀ ଆଜି ତାଙ୍କୁ ଦୟନୀୟ ଅବସ୍ଥାରେ ଛାଡ଼ି ଦେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

କମ୍ପାନୀ କ୍ଷତିରେ ଚାଲୁଥିବା ଦର୍ଶାଇ ବିର୍ଲା ଟାୟାର କମ୍ପାନୀ ୨୦୨୦ ମାର୍ଚ୍ଚ ମାସ ୧୨ ତାରିଖରେ ବନ୍ଦ ଘୋଷଣା କରିଥିଲା । ସେହିଦିନ ପର୍ଯ୍ୟନ୍ତ ୬୫୦ ସ୍ଥାୟୀ ଓ ୫୨୫ ଅସ୍ଥାୟୀ କର୍ମଚାରୀଙ୍କର ୨୪ ମାସର ଦରମା ବାକି ରହିଥିଲା । ଶ୍ରମିକ ସଂଗଠନ ଓ ବିର୍ଲା ଟାୟାରକୁ କଞ୍ଚାମାଲ ଯୋଗାଇଥିବା କମ୍ପାନୀମାନଙ୍କ ତରଫରୁ ମାମଲା NCLTରେ ପହଞ୍ଚିଥିଲା । NCLTର ନିର୍ଦ୍ଦେଶ ଅନୁସାରେ ଏହି କମ୍ପାନୀକୁ ଡ଼ାଲମିଆ ରିଫେକ୍ଟୋରିଜ୍ ଲିମିଟେଡ଼ ହାତକୁ ନେଇଥିଲା । ପୁରୁଣା କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ, ପୁରୁଣା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଅବସର ବୟସ ୬୦ ବର୍ଷରୁ ଉର୍ଦ୍ଧ ବୟସର ଶ୍ରମିକଙ୍କୁ ଅବସର କାଳୀନ ସମସ୍ତ ସୁବିଧା ପ୍ରଦାନ କରିବା, ପୂର୍ବ କମ୍ପାନୀକୁ କଞ୍ଚାମାଲ ଯୋଗାଇଥିବା କମ୍ପାନୀ ମାନଙ୍କର ବକେୟା ପୈଠକରିବା ଭଳି ଏକାଧିକ ସର୍ତ୍ତ ରହିଥିଲା । ଏନେଇ ପ୍ରଶାସନ, ଶ୍ରମିକ ସଂଗଠନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ବୈଠକ ବସିଛି । ହେଲେ ବୈଠକରେ ସମସ୍ତ ସର୍ତ୍ତ ମାନିବାକୁ ରାଜି ହୋଇ ବାସ୍ତବରେ ଶ୍ରମିକଙ୍କୁ ଠକି ଚାଲିଛି କମ୍ପାନୀ । ଏନେଇ ଆସନ୍ତା ୨୯ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବାକୁ ମିଳିତ ଶ୍ରମିକ ସଂଗଠନର ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେପଟେ ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ସୂଚନା ନଥିବା ଜିଲ୍ଲାପାଳ ମନ୍ତବ୍ୟ ଦେବା ନିଆଁରେ ଘିଅ ଢାଳିବା ଭଳି ସ୍ଥିତି ସୃଷ୍ଟି କରିଛି। ଠକୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ସହଯୋଗ କରୁଛି ଜିଲ୍ଲା ପ୍ରଶାସନ । ପାରିବାରିକ ସ୍ଥିତି ବିଗୁଡୁଥିବାରୁ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ଶ୍ରମିକ ।

Latest Posts

Don't Miss