spot_img

Latest Posts

ଗ୍ରିନ୍ କ୍ୟାମ୍ପସ ହେବ ରେଭେନ୍ସା, ପ୍ରତି ଶନିବାର ‘ଇ-ଭେଇକିଲ୍ ଡେ’

ନନ୍ଦିଘୋଷ ବ୍ୟୁରୋ : ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ରୂପରେଖ। ଗ୍ରିନ୍ କ୍ୟାମ୍ପସ ହେବ କଟକ ରେଭେନ୍ସା। ପରିବେଶ ଅନୁକୂଳ କ୍ୟାମ୍ପସ ଗଢ଼ିବା ପାଇଁ ନିଆଯାଉଛି ଏକାଧିକ ବଡ଼ ପଦକ୍ଷେପ। ଉଭୟ କ୍ୟାମ୍ପସର ପ୍ରତି ବିଭାଗରେ ସୋଲାର ପ୍ୟାନେଲ ଲଗାଯିବା ସହ ବର୍ଷାଜଳ ସଂରକ୍ଷଣ, ଅଧିକ ବୃକ୍ଷରୋପଣ ଏବଂ ଇ-ରିକ୍ସାର ବ୍ୟବହାର ବଢ଼ାଯିବ। ପ୍ରତି ଶନିବାର କ୍ୟାମ୍ପସରେ ପାଳନ ହେବ ‘ଇ-ଭେଇକିଲ୍ ଡେ’। ଏହି ଦିନ କ୍ୟାମ୍ପସ ଭିତରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ରହିବ। ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଚାଲିଚାଲି ଯାତାୟାତ କରିବେ। ତେବେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଇ-ରିକ୍ସା ବ୍ୟବହାରର ସୁବିଧା ରହିବ। ଏଥିପାଇଁ କ୍ୟାମ୍ପସରେ ଇ-ରିକ୍ସା ସଂଖ୍ୟା ମଧ୍ୟ ବଢ଼ାଯିବ। ବର୍ତ୍ତମାନ ରେଭେନ୍ସାରେ ୫୫ କିଲୋୱାଟ୍ କ୍ଷମତାର ସୋଲାର ପ୍ୟାନେଲ ରହିଛି। ବିଶ୍ୱବିଦ୍ୟାଳୟର ବାର୍ଷିକ ବିଦ୍ୟୁତ ବିଲ୍ ୩ କୋଟିରୁ ଅଧିକ ଟଙ୍କା ଆସୁଥିବାରୁ ସୋଲାର ଶକ୍ତିର ବ୍ୟବହାର ବଢ଼ିଲେ ବିଦ୍ୟୁତ ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି କୁଳପତି କହିଛନ୍ତି।

ସେହିପରି, ରେଭେନ୍ସାର ଛାତ ପ୍ରକଳ୍ପରେ ବର୍ଷାଜଳ ସଂରକ୍ଷଣ କରି ତାହାକୁ ବ୍ୟବହାର କରିବାର ଯୋଜନା ରହିଛି। କ୍ୟାମ୍ପସରେ ପ୍ରତିବର୍ଷ ବୃକ୍ଷରୋପଣ କରାଯିବା ସହ ସବୁଜ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସାରେ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ତେବେ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ ମଧ୍ୟ କ୍ୟାମ୍ପସର ମୌଳିକ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି। ବର୍ଷା ହେଲେ କ୍ୟାମ୍ପସରେ ଆଣ୍ଠୁଏ ପାଣି ଜମି ରହୁଥିବା, କ୍ଲାସ୍‌ରୁମ୍‌ର ସଠିକ୍ ବ୍ୟବସ୍ଥା ନଥିବା ଏବଂ ଅଣଛାତ୍ରଙ୍କ ପ୍ରବେଶ ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହା ସହ କ୍ୟାମ୍ପସରେ ଶୈକ୍ଷିକ ପରିବେଶ ଅଧିକ ସୁଦୃଢ଼ କରିବାକୁ ମଧ୍ୟ ଛାତ୍ରଛାତ୍ରୀ ଦାବି କରିଛନ୍ତି।

Latest Posts

Don't Miss