ଆଶୀର୍ବାଦ ନେଇ ପଟୁଆରରେ ଦୀପାଳି, ଝାରସୁଗୁଡ଼ାରେ ବିଶାଳ ରାଲି

ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ନାମାଙ୍କନ ଦାଖଲ ପୂର୍ବରୁ ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଗୌରବାନ୍ବିତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛି, ସେଥିପାଇଁ ମାଆଙ୍କୁ ସାହସ ମାଗିଛନ୍ତି ଦୀପାଳି । ଏହାସହ ବାପାଙ୍କ ନାଁ ରଖିବାକୁ ଶକ୍ତି ଓ ସଦବୁଦ୍ଧି ମାଗିଛନ୍ତି ଦୀପାଳି ।

ବାପାଙ୍କ ପରି ଝାରସୁଗୁଡ଼ାବାସୀଙ୍କ ପାଇଁ କିଛି କରିବାର ଆଶା ରଖିଥିବା ସେ କହିଛନ୍ତି । ସ୍ବର୍ଗତ ନବକିଶୋର ଦାସ ଚାହୁଁଥିଲେ ଦୀପାଳି ରାଜନୀତିକୁ ଆସନ୍ତୁ ବୋଲି । ଦୀପାଳିଙ୍କ ଜୀବନର ବଡ଼ ଦିନ ଆରମ୍ଭ ହେଉଥିବା ବେଳେ, ବାପା ନାହାନ୍ତି ବୋଲି କହି ଭାବବିହ୍ବଳ ହୋଇପଡ଼ିଥିଲେ । ହେଲେ ସେ ଭାଙ୍ଗିଯିବେନି ବରଂ ଆହୁରି ଶକ୍ତିଶାଳୀ ହେବେ । ବିକାଶର ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବି । ମହିଳାଙ୍କ ବିକାଶକୁ ଆଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବି ବୋଲି କହିଛନ୍ତି ଦୀପାଳି ।

ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକ ସାମିଲ ହୋଇଛନ୍ତି । ଏଥିସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ଟୁକୁନି ସାହୁ, ରିତା ସାହୁ, ପ୍ରତାପ ଜେନା, ପ୍ରତାପ ଦେବ, ପଦ୍ମନାଭ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହିତ ଦଳୀୟ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।