୧୪ ଟିକିଆ ହାତୀପଲରେ ଧସ୍ତାଧସ୍ତି, ଚାଲିଗଲା ଦନ୍ତାର ଜୀବନ

କେନ୍ଦୁଝର: ତେଲକୋଇ ବନାଞ୍ଚଳରେ ଦନ୍ତାହାତୀର ମୃତ୍ୟୁ । ଗୋଳାବନ୍ଧ ଫରେଷ୍ଟ ବିଟ୍‌ ସାଲେଇକେନା ପଞ୍ଚାୟତ ଭାଡ଼ିମରା ଗାଁ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଯାଞ୍ଚ କରିବା ବେଳେ ମୃତଦେହକୁ ଠାବ କରିଛି ବନ ବିଭାଗ ।

ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ତଦନ୍ତ କରୁଥିବା ବେଳେ ପରସ୍ପର ମଧ୍ୟରେ ଲଢ଼େଇରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତିନି ଦିନ ତଳେ ଦେବଗଡ଼ ବନଖଣ୍ଡ ପାଲଲହଡାପଟୁ ୧୪ ଟିକିଆ ହାତୀପଲ ଗୋଳାବନ୍ଧ ରିଜର୍ଭ ଫରେଷ୍ଟକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୫ଟି ଛୁଆ, ୬ଟି ମାଈ ଓ ୩ଟି ଦନ୍ତାହାତୀ ।

ଗତକାଲି ରାତିରେ ହାତୀପଲକୁ ବନ କର୍ମଚାରୀ ଓ ସ୍ଥାନୀୟ ଲୋକ ସାଲେଇକେନା ଆଡ଼କୁ ଘଉଡ଼ାଇ ଦେଇଥିଲେ । ଆଜି ସେହି ହାତୀପଲର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ଶରୀରରେ କ୍ଷତ ଚିହ୍ନ ରହିଛି । ଏଣୁ ଅନ୍ୟ ଦନ୍ତାହାତୀ ଆକ୍ରମଣରେ ଏହି ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।