ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ ପୁରୁଷଙ୍କ ପାଇଁ ପୁରୁଷ ତିଆରି କରିଛନ୍ତି ନିୟମ

ନୂଆଦିଲ୍ଲୀ: ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପାଇଁ ୮୦ ଜଣ ମହିଳା ଅଧିକାରୀ କରିଥିବା ଆବେଦନ ଉପରେ ଗୁରୁବାର ଦିନ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମହିଳାଙ୍କ ପାଇଁ ମେଡିକାଲ ଫିଟନେସ୍ ଆବଶ୍ୟକତା ‘ମନମୁତାବକ’ ଓ ‘ତର୍କହୀନ’ ଅଟେ । ସର୍ବୋଚ୍ଚୋ ଅଦାଲତ କହିଛନ୍ତି ଯେ, ‘ ଆମକୁ ଏହା ବୁଝିବାକୁ ପଡିବ ଯେ, ଆମ ସମାଜର ସରଞ୍ଚନା ପୁରୁଷଙ୍କ ଦ୍ୱାରା ପୁରୁଷଙ୍କ ପାଇଁ ତିଆରି ହୋଇଛି । ଯଦି ଏଥିରେ ପରିବର୍ତ୍ତନ ନହୁଏ ତେବେ ମହିଳାଙ୍କୁ ସମାନ ଅବସର ମିଳିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ସେନା ପାଇଁ ଝଟକା ଭାବେ ବିବେଚନା କରାଯାଉଛି ।

ସେନାର ବାର୍ଷିକ ଗୋପନୀୟ ରିପୋର୍ଟ (ଏସିଆର) ମହିଳାଙ୍କ ପାଇଁ ଭେଦଭାବପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେନାର ଏହି ତରିକା ମହିଳାଙ୍କୁ କେବେ ମଧ୍ୟ ସମାନ ଅଧିକାର ଦେବ ନାହିଁ । ସ୍ଥାୟୀ କମିଶନ ପାଇବା ପାଇଁ ଯୋଗ୍ୟ ମହିଳା ଅଧିକାରୀଙ୍କୁ ଦୁଇ ମାସ ମଧ୍ୟରେ ତୁରନ୍ତ ପଦଭାର ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି । ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ମୁଲ୍ୟାଙ୍କନର ତରିକା ପ୍ୟାଟର୍ଣ୍ଣ ଦ୍ୱାରା ଏସଏସସି (ସର୍ଟ ସର୍ଭିସ କମିଶନ) ମହିଳା ଅଧିକାରୀଙ୍କୁ ମାନସିକ ଓ ଆର୍ଥିକ କ୍ଷତି ହୋଇଥାଏ ।

ସୁପ୍ରିମକୋର୍ଟ ଫେବ୍ରୁଆରୀ ୧୭,୨୦୨୦ର ନିଜ ଫୈସଲାରେ ସର୍ଟ ସର୍ଭିସ କମିଶନ ସମସ୍ତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଗତବର୍ଷ କେନ୍ଦ୍ର ସରକାରଙ୍କୁ ନିଜ ପୁରୁଷ ସମକକ୍ଷଙ୍କ ସହିତ ସେନାର ସମସ୍ତ ଯୁଦ୍ଧ ଲଢୁନଥିବା ଅଙ୍ଗରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ ।

Leave a Reply