ଅଧିକ କଫି ପିଉଥିଲେ ସାବଧାନ ! ହୋଇପାରେ ଏହି ସବୁ ରୋଗ

ବ୍ୟୁରୋ ରିପୋର୍ଟ:  ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଚା’ କିମ୍ବା କଫିରୁ ହୋଇଥାଏା ରିଫ୍ରେଶ୍ ରହିବାକୁ ଆଜିକାଲିର ଯୁବବର୍ଗ ମୁଖ୍ୟତଃ କଫି ସେବନ ଉପରେ ଗୁରୁତ୍ୱ ଦେଇଥାନ୍ତି। ପାଠପଢ଼ା ସମୟରେ ରାତି ଅନିଦ୍ରା ରହିବା ପାଇଁ ପିଲାମାନେ କଫି ସେବନ ଉପରେ ଗୁରୁତ୍ୱ ଦେଇଥାନ୍ତି। କଫିରେ ଥିବା କ୍ୟାଫିନ୍ ତୁରନ୍ତ ଶକ୍ତି ଯୋଗାଇଥାଏ। ଏହାର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ହୋଇପାରେ। ପ୍ରତିଦିନ କେତେ ମାତ୍ରାରେ କଫି ପିଇବା ଉଚିତ୍‌ ଜାଣିରଖନ୍ତି ।

ଏକ୍ସପର୍ଟଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ୪ଶହ ମିଲିଗ୍ରାମରୁ ଅଧିକ କ୍ୟାଫିନ୍ ଗ୍ରହଣ କରିବା ଉଚିତ ନୁହେଁ। ଏକ କପ୍ କଫିରେ ୯୫ ମିଲିଗ୍ରାମ କ୍ୟାଫିନ୍ ଥାଏ। ତେଣୁ ଦିନ ସାରା ଆପଣ ୪ କପ୍ କଫି ଗ୍ରହଣ କଲେ ଏହା ଶରୀର ପାଇଁ ଯଥେଷ୍ଟ । ୪ରୁ ୬ ବର୍ଷର ଛୋଟ ଛୁଆ ଯଦି କଫି ସେବନ କରୁଛନ୍ତି ତେବେ ସେମାନେ ୪୫ ମିଲିଗ୍ରାମରୁ ଅଧିକ କ୍ୟାଫିନ୍ ସେବନ କରିବା ଉଚିତ ନୁହେଁ। ୭ରୁ ୧୨ ବର୍ଷର ପିଲା ୭୦ ମିଲିଗ୍ରାମ ମଧ୍ୟରେ କ୍ୟାଫିନ୍ ସେବନ କରିବା ଉଚିତ।

ମାତ୍ର କେତେକଙ୍କର ଅଭ୍ୟାସ ଥରେ କିମ୍ବା ୨ ଥର ନୁହେଁ ବରଂ ବାରମ୍ବାର କଫି ଓ ଚା’ ପିଇବା। ବିଶେଷ କରି କେତେକ ଲୋକେ ଖାଦ୍ୟ ଖାଇବା ପରେ ମଧ୍ୟ କଫି ଓ ଚା’ ପିଇଥାଆନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଭୋଜନ ପରେ ତୁରନ୍ତ କଫି ପିଅନ୍ତୁ ନାହିଁ। ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡେ। ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ। ପୋଷକ ତତ୍ତ୍ୱ ମଧ୍ୟ ମିଳିନଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ କଫି ପିଇବା ଦ୍ୱାରା ଏସିଡିଟି ମାତ୍ରା ବୃଦ୍ଧି ପାଇଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ କଫି ପିଇବା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇଥାଏ।

ଜଣେ ଉଚ୍ଚ ରକ୍ତଚାପ ରୋଗୀ ହୋଇଥିଲେ ଅଧିକ କ୍ୟାଫିନ୍‌ ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। କାରଣ ଏହାକୁ ପିଇବା ପରେ ପରେ ରକ୍ତଚାପ କ୍ଷୀପ୍ର ବେଗରେ ବଢ଼ି ଯାଇଥାଏ । ଏହାଦ୍ୱାରା ହାର୍ଟବିଟ୍‌ ମଧ୍ୟ ବଢ଼ିପାରେ। ଫଳରେ ବିଭିନ୍ନ ହୃଦରୋଗ ବାହାରିବାର ବି ଆଶଙ୍କା ଦେଖାଦିଏ ।

ଅଧିକ କଫି ସେବନ କଲେ ପେଟ ରୋଗ ବି ବାହାରିଥାଏ। ଯେପରି ଅଧିକ ହରମୋନ ରିଲିଜ ଯୋଗୁ ଗ୍ୟାସ୍‌ ସମସ୍ୟା ଆରମ୍ଭ ହୋଇଥାଏ। ଫଳରେ ଆପଣ ଗ୍ୟାଷ୍ଟ୍ରିକ, ଏସିଡିଟି, ଡାଇରିଆ ଆଦି ରୋଗ ଭୋଗି ପାରନ୍ତି। ଅଧିକ କଫି ସେବନ ଦ୍ୱାରା ଖୁବ୍‌ ନକରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିପାରେ।