ବ୍ଲାକ୍‌ ହେଉଛି ସେମିଫାଇନାଲ ଟିକେଟ, ଅଢେଇ ଲକ୍ଷରେ ବିକୁଛନ୍ତି ଦଲାଲ

କିଏ ହାତେଇବ ବିଶ୍ବକପ ଟ୍ରଫି ? କେଉଁ ଟିମ୍ ଜିତିବ ବିଶ୍ବକପ ବାଜି । ସେମିଫାଇନାଲ ରେସ ପାଇଁ ସଜେଇ ହେଲାଣି ୱାଙ୍ଖେଡେ ଷ୍ଟାଡିୟମ । କାଉଣ୍ଟଡାଉନ ଆରମ୍ଭ କରିସାରିଲେଣି କ୍ରିକେଟ ଫ୍ୟାନ୍ସ ଠିକ୍ ଏତିକି ବେଳେ ମାତିଛନ୍ତି କଳାବଜାରୀ । ଲକ୍ଷାଧିକ ମୂଲ୍ୟରେ ଟିକେଟ ବ୍ଲାକ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ବାନ୍ଧିଛି ମୁମ୍ବାଇ ପୋଲିସ ।

ପୁଣି ଥରେ ସେମିଫାଇନାଲ ରେସ୍ରେ ସାମିଲ ହୋଇଛନ୍ତି ଭାରତ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଏଥର ସାଉଥ ଆଫ୍ରିକା ସହ ସେମିଫାଇନାଲ ଖେଳିବେ ଏହି ୩ ଦଳ । ଗତ ଥର ବିଶ୍ବକପ ରେସ୍ରୁ ମାତ୍ର ପାଦେ ପାଦେରେ ନିରାଶ ହେବା ପରେ ଏବେ ପୁଣି ଥରେ ଟ୍ରଫି ହାତେଇବାକୁ ଉଦ୍ୟମ କରିବେ ୩ ଦଳ । ମ୍ୟାଚକୁ ନେଇ ଖେଳାଳୀଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ରହିଛି ସେତିକି ଉତ୍ସାହିତ ଅଛନ୍ତି ଦର୍ଶକ ।

ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଗତ ଥରର ଭୁଲକୁ ସଜାଡି ଏଥର ଫାଇନାଲ ଟିକେଟ ହାତେଇବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ । ଏହାରି ମଧ୍ୟରେ ଭାରତ ଓ ନ୍ୟୁଜିଲାଣ୍ଡ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ସଜବାଜ ହେଲେଣି ଦର୍ଶକ । କେମିତି ଟିକେଟ ଖଣ୍ଡେ ମିଳିବ ଆଉ ୱାଙ୍ଖେଡେର ଦର୍ଶକ ଗ୍ୟାଲେରୀରେ ବସି ହାଇଭୋଲଟେଜ ମ୍ୟାଚ ଦେଖିବେ ପ୍ରଶଂସକ ।

ହେଲେ ବିଶ୍ବକପ ସେମିଫାଇନାଲ ମ୍ୟାଚ ପୂର୍ବରୁ ଟିକେଟ ବ୍ଲାକ୍ ହେବା ନେଇ ଆସୁଛି ଅଭିଯୋଗ । ମହାରାଷ୍ଟ୍ରର ଉତ୍ତର ମଲାଡରୁ ଆକାଶ କୋଠାରୀ ନାମକ ଯୁବକକୁ ଗିରଫ କରିଛି ମୁମ୍ବାଇ ପୋଲିସ । ୨୭ ହଜାରରୁ ଅଢେଇ ଲକ୍ଷ ଟଙ୍କାରେ ସେମିଫାଇନାଲ ଟିକେଟ ବିକ୍ରି କରୁଥିଲା ଦଲାଲ । ପ୍ରକୃତ ଟିକେଟ ମୂଲ୍ୟର ୪ ରୁ ୫ ଗୁଣ ଅଧିକ ଦରରେ ସେ ଟିକେଟ ବିକ୍ରି କରୁଥିଲା । ମହାରାଷ୍ଟ୍ରରେ କିଛି ଦିନ ତଳେ ଏକ ହ୍ବାଟସଆପ୍ ମେସେଜ ପ୍ରତି ଗ୍ରୁପରେ ଭାଇରାଲ ହୋଇଥିଲା । ଯେଉଁଥିରେ ଅତି ସହଜରେ ଟିକେଟ ଉପଲବ୍ଧ ଥିବା ଦର୍ଶାଯାଇଥିଲା । ଏହି ମେସେଜ ଗ୍ରୁପରୁ ଗ୍ରୁପକୁ ବୁଲିବା ପରେ ପୋଲିସ ନଜରକୁ ଆସିଥିଲା । ପୋଲିସ ଘଟଣାର ତଦନ୍ତ କରି ଆକାଶ କୋଠାରୀକୁ ବାନ୍ଧିଛି । ଘଟଣାର ତଦନ୍ତ ଚାଲିଛି । ସେପଟେ ଏହି ଘଟଣାରେ କଳାବଜାରୀ ରାକେଟ କାମ କରୁଥିବା ସନ୍ଦେହ କରୁଛି ପୋଲିସ ।