spot_img

Latest Posts

ଭାରତ-ଚୀନ ମୁହାଁମୁହିଁ; ଡିଜିଙ୍କ ବଡ଼ ଖୁଲାସା ପରେ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଚୀନ୍ ସୀମାରେ ତିକ୍ତତା କମିବାର ନାଁ ନେଉନି। ଅରୁଣାଚଳ ପ୍ରଦେଶର ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ଭାରତୀୟ ସେନା ଏବଂ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ବା PLA ସୈନ୍ୟମାନେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଗତ ଜୁଲାଇ ମାସରୁ ଏହି ପରିସ୍ଥିତି ଲାଗି ରହିଥିବା ବେଳେ ବର୍ତ୍ତମାନ ଏହାର ସର୍ବସାଧାରଣରେ ପୁଷ୍ଟି କରିଛନ୍ତି ITBP ବା ଭାରତ-ତିବ୍ଦତ ସୀମା ପୁଲିସର ମହାନିର୍ଦ୍ଦେଶକ ଶତ୍ରୁଜୀତ ସିଂହ କପୁର। ଏବେ ବି ଦୁଇ ଦେଶର ସେନା ଏକାଧିକ ସ୍ଥାନରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ସୀମାରେ ଏହି ସ୍ଥିତିର ମୁକାବିଲା କରିବା ପାଇଁ ITBP ପକ୍ଷରୁ ନବଗଠିତ ‘ଶୌର୍ଯ୍ୟ କମାଣ୍ଡୋ’ ଟିମକୁ ମୁତୟନ କରାଯାଇଛି। ତାଙ୍କର ଏହି ବୟାନକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି। କିଛି ମାସ ଧରି ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଏହି ଖୁଲାସା ସାମ୍ନାକୁ ଆସିଛି।

ITBP ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର କହିଛନ୍ତି ଯେ ଗତ ଜୁଲାଇ ମାସରୁ ଅରୁଣାଚଳ ପ୍ରଦେଶ ସୀମାର ଏକାଧିକ ସ୍ଥାନରେ ଚୀନ୍ ସେନା ସହ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ଜୁଲାଇରେ ତକସିଂ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଥିବା ପ୍ରମୁଖ ପାଟ୍ରୋଲିଂ ପଏଣ୍ଟଗୁଡ଼ିକରେ ଭାରତୀୟ ସୁରକ୍ଷା ବାହିନୀର ପ୍ରବେଶକୁ ଚୀନ୍ ସେନା ବାଧା ଦେଉଥିବା ନେଇ ରିପୋର୍ଟ ଆସିଥିଲା।

୧୯୬୨ ମସିହାରେ ଗଠିତ ITBP ଚୀନ୍ ସହ ଥିବା ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ସୁରକ୍ଷା ଦାୟିତ୍ୱ ତୁଲାଉଛି।

ଚୀନ୍ ସୀମାକୁ ସବୁଠାରୁ କଠିନ ସୀମା ବୋଲି ବର୍ଣ୍ଣନା କରି ITBP ମୁଖ୍ୟ କହିଛନ୍ତି ଯେ ସୀମାନ୍ତରେ ଥିବା ସମସ୍ତ ୟୁନିଟ୍‌ରେ ଡ୍ରୋନ୍ ପ୍ଲାଟୁନ୍ ଗଠନ କରାଯାଇଛି। ଗଲୱାନ୍ ଭଳି ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଯୁଦ୍ଧ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥିସହ ସୀମାନ୍ତ ଅଞ୍ଚଳରେ ଭୂତଳ ଭିତ୍ତିଭୂମି ନିର୍ମାଣ ମଧ୍ୟ ଚାଲିଛି।

Latest Posts

Don't Miss