କର୍ଣ୍ଣାଟକ ସରକାରରେ ବିଭାଗ ବଣ୍ଟନ; ଅର୍ଥ ବିଭାଗ ନିଜ ପାଖରେ ରଖିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଲା

ବେଙ୍ଗାଲୁରୁ: ସମ୍ପ୍ରସାରିତ ହେଲା କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ । ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ । ଶପଥ ଗ୍ରହଣ ପରେ ନୂଆ ମନ୍ତ୍ରୀମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ମୋଟ ମନ୍ତ୍ରୀଙ୍କ ସଂଖ୍ୟା ଏବେ ୩୪ରେ ପହଞ୍ଚିଛି । ପ୍ରକାଶଥାଉକି ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ ୮ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଥିଲେ । ସିଦ୍ଧରାମୈୟାଙ୍କ ହାତରେ ଅର୍ଥ, କ୍ୟାବିନେଟ ବ୍ୟାପାର ସମେତ ୬ରୁ ଅଧିକ ବିଭାଗ ଥିବାବେଳେ ଶିବକୁମାରଙ୍କ ହାତରେ ରହିଛି ୨ ବିଭାଗ ।ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ନିଜ ପାଖରେ ଅର୍ଥ ବିଭାଗ ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମେଜର ଏବଂ ମିଡିୟମ ଜଳସେଚନ ଓ ବେଙ୍ଗାଲୁରୁ ସିଟି ଉନ୍ନୟନ ବିଭାଗ ମିଳିଛି । ଏଚକେ ପାଟିଲଙ୍କୁ ଆଇନ ଏବଂ ସଂସଦୀୟ ବ୍ଯାପାର ବିଭାଗ ମିଳିଛି ।

ଏହା ବ୍ୟତୀତ ଦିନେଶ ଗୁଡ୍ଡୁଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, କୃଷ୍ଣ ବେୟରେ ଗୌଡ଼ାଙ୍କୁ ରାଜସ୍ୱ ବିଭାଗ ଦିଆଯାଇଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା ଚୁତ୍ତପୁରରୁ ବିଧାୟକ ପ୍ରିୟାଙ୍କ ଖଡଗେଙ୍କୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ବିଭାଗ ମିଳିଛି । କେ ଜେ ଜର୍ଜଙ୍କ ପାଖରେ ଶକ୍ତି ବିଭାଗ ରହିବ । ସେହିପରି କେ ଏଚ୍ ମୁନିୟପ୍ପାଙ୍କୁ ଫୁଡ୍ ଏବଂ ସିଭିଲ ସପ୍ଲାଇ ଏବଂ କଞ୍ଜୁମର ଆଫେୟାର୍ସର ଦାୟିତ୍ୱ ଦିଆଯାଇଛି । ରାମଲିଙ୍ଗା ରେଡ୍ଡୀଙ୍କୁ ଟ୍ରାନ୍ସପୋର୍ଟ ବିଭାଗ ମିଳିଛି । ସେହିପରି ଏନ୍ ଚାଲୁଭରାୟସ୍ୱାମୀଙ୍କୁ କୃଷି ବିଭାଗ ମିଳିଛି ।

ବେଲାଗାଭି ଗ୍ରାମାଞ୍ଚଳ ଆସନରୁ ଜିତିଥିବା ୪୮ ବର୍ଷୀୟ ଲକ୍ଷ୍ମୀ ହେବ୍ବାଲକରଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ କରାଯାଇଛି। ସେ ଏଠାରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିଛନ୍ତି । ଏମାନଙ୍କ ବ୍ୟତୀତ ଡାକ୍ତର ଏଚ୍‌ସି ମହାଦେବାପ୍ପାଙ୍କୁ ସାମଜିକ କଲ୍ୟାଣ ବିଭାଗ ମିଳିଛି । ବଲ୍ଲାରି ବିଧାୟକ ବି ନଗେନ୍ଦ୍ର କ୍ରୀଡ଼ା ଓ କନ୍ନଡ ସଂସ୍କୃତି ବିଭାଗ ପାଇଛନ୍ତି । ମନ୍ତ୍ରିମଣ୍ଡଳ ପାଇଥିବା ଅଧିକାଂଶ ସଦସ୍ୟ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି ।

कर्नाटक सरकार में विभागों का बंटवारा

ଶନିବାର ହିଁ କଂଗ୍ରେସ ସରକାରର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରି ଏଥିରେ ୨୪ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଥିଲା । ରାଜ୍ୟରେ ଦଳ କ୍ଷମତାକୁ ଆସିବାର ଏକ ସପ୍ତାହ ପରେ ମନ୍ତ୍ରିମଣ୍ଡଳର ସମସ୍ତ ୩୪ ପଦ ପୂରଣ କରାଯାଇଛି । ମନ୍ତ୍ରିମଣ୍ଡଳରେ ୨୩ ବିଧାୟକଙ୍କ ବ୍ୟତୀତ ଏନ ଏସ୍ ବୋସରାଜୁଙ୍କୁ ସାମିଲ କରି କଂଗ୍ରେସ ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ବୋସରାଜୁ ଏବେ ବିଧାନପରିଷଦ ବା ବିଧାନସଭାର ସଦସ୍ୟ ନାହାନ୍ତି । ତାଙ୍କୁ ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମିଳିଛି ।