କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ,  ଜାଣନ୍ତୁ କେଉଁ ରାଶିକୁ ମିଳିବ ଶୁଭ ଫଳ

ପୁରୀ: ଆଗାମୀ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ପଡୁଥିବା ହେତୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ଵତନ୍ତ୍ର ନୀତି । ତେବେ ପରମ୍ପରା ଅନୁସାରେ କୁମାର ପୂର୍ଣ୍ଣିମୀ ଦିନ ଚକ୍ରରାଜ ସୁଦର୍ଶନଙ୍କ ଚାରିଆଶ୍ରମ ବିଜେ ନୀତି ରହିଛି । ଏନେଇ ପରିକ୍ରମା କାର୍ଯ୍ୟ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ  ସମ୍ପନ୍ନ କରାଯିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିବା ବେଳେ ପାଳିଆ ସେବାୟତଙ୍କ ସହଯୋଗ ଲୋଡ଼ାଯାଇଛି । ପ୍ରାୟ ୧ଘଣ୍ଟା ୧୯ ସେକଣ୍ଡ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ଦେଖିବାର ସୁଯୋଗ ମିଳୁଥିବା ବେଳେ  ୬ଟି ରାଶି ପାଇଁ ଅଶୁଭ ଓ ଅନ୍ୟ ୬ଟି ରାଶି ପାଇଁ  ଶୁଭଫଳ ରହିଥିବା ଜୌତିର୍ବିଦ ମତ ରଖିଛନ୍ତି।

ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଆରମ୍ଭ ହେବ ଗ୍ରହଣର ସ୍ପର୍ଶ ସମୟ। ରାତି ୨ଟା ୨୪ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ । ମୋଟ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ ରହିବ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ। ଏନେଇ ଶ୍ରୀମନ୍ଦିରର ସ୍ଵତନ୍ତ୍ରତାକୁ ଦୃଷ୍ଟିରେ ରଖି ଗ୍ରହଣ ସ୍ପର୍ଶ ହେବା ମାତ୍ରେ ମହାପ୍ରଭୁଙ୍କର ଦେଵନୀତି ଆରମ୍ଭ କରାଯିବ। ଏହି ଦିନ ପରମ୍ପରା ଅନୁସାରେ ଚକ୍ରରାଜ ସୁଦର୍ଶନ ମାର୍କେଣ୍ଡେୟ , ଅଙ୍ଗିରା, ଭୃଗୁ ଓ କଣ୍ଡୁ ଆଦି ଚାରି ଆଶ୍ରମକୁ ବିଜେ କରିଥାନ୍ତି । ଏଣୁ ଏହି ଚାରି ଆଶ୍ରମ ବିଜେ କରି ସିଂହାସନକୁ ପ୍ରତ୍ୟାବର୍ତ୍ତନ ନୀତି କାର୍ଯ୍ୟ ପାକତ୍ୟାଗ ପୂର୍ବରୁ କରିବା ନେଇ ନୀତି ସବ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଷ ପରେ ଶ୍ରୀଜିଉଙ୍କ ମହାସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ପୂର୍ଣ୍ଣମୀ ଦିନ ସୁଦର୍ଶନଙ୍କ ଚାରିଆଶ୍ରମ ବିଜେ ଭଳି ବିଶେଷ ନୀତି ରହିଥିବା ବେଳେ ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ବ୍ରତ ଶଙ୍କଳ୍ପ ନୀତି ସମ୍ପାଦନ କରାଯିବ । ଏନେଇ ପାଳିଆ ସେବକଙ୍କ ସହଯୋଗ ଲୋଡିଛି ପ୍ରଶାସନ। ଅନ୍ୟପଟେ ଜ୍ୟୋତିର୍ବିଦଙ୍କ ମତ ଅନୁସାରେ ଆଗାମୀ ଗ୍ରହଣ  ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଅଶୁଭ ଥିବା ବେଳେ ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ରାଶି ପାଇଁ ଶୁଭ ଫଳଦାୟକ ।