ଇଂରାଜୀରେ ଏମଏପାସ୍, ଚାକିରି ନ କରି ବିକୁଛନ୍ତି ଚା’

ପଶ୍ଚିମବଙ୍ଗ : ପାଠ ପଢ଼ିଛନ୍ତି ଏମଏ ହେଲେ କାମ ତାଙ୍କର ଚା’ ବିକିବା । ‘ଦିଦି ଗୋଟେ କଟିଙ୍ଗ୍ ଚା’, ଆଉ ତା ସାଙ୍ଗେ ଗୋଟେ ସେଲଫି…’ ଏମିତି କହି ଗ୍ରାହକ ତାଙ୍କ ଦୋକାନରେ ଚା’ ପିଅନ୍ତି । ଆମେ କହୁଛୁ ପଶ୍ଚିମବଙ୍ଗର ଇଂରାଜୀରେ ଏମଏପାସ କରିଥିବା ଟୁକୁନି ଦାସଙ୍କ କଥା । ପଶ୍ଚିମବଙ୍ଗର ହାଉଡ଼ା ରେଲୱେଷ୍ଟେସନର ପ୍ଲାଟଫର୍ମ ନମ୍ୱର ୨ରେ ସେ ଚା’ ବିକ୍ରି କରନ୍ତି । ଏମଏ ଇଂରାଜୀ ଚା’ ଦୋକାନୀ ନାମରେ ସେ ପରିଚିତ ।

 

ଟୁକୁନିଙ୍କ କହିବାନୁସାରେ, ଜଣେ ମଧ୍ୟବିତ ପରିବାରର ଝିଅ ପାଖରେ ଦୁଇଟି ବିକଳ୍ପ ରହିଥାଏ । ଗୋଟିଏ ହେଉଛି ସରକାରୀ ଚାକିରି ନଚେତ୍ ବାହାଘର । ଏହି ଦୁଇଟି ଜିନିଷ ବ୍ୟତୀତ ତା’ ପାଖରେ ତୃତୀୟ ବିକଳ୍ପ ହିଁ ନଥାଏ । ସେ ଜଣେ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିବାରୁ ପାଠ ପଢ଼ି କଠିନ ପରିଶ୍ରମ କରି ସରକାରୀ ଚାକିରି ପାଇବା ପାଇଁ ପରିବାର ଲୋକେ ପ୍ରେରିତ କରିଥିଲେ । ମାତ୍ର ବ୍ୟବସାୟ ପ୍ରତି ତାଙ୍କର ଇଚ୍ଛା ଶକ୍ତି ବଢ଼ିଥିଲା । କୈାଣସି ବଡ଼ ବ୍ୟବସାୟ ଆରମ୍ଭ କରିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ନଥିଲା । ତେଣୁ ସ୍ୱଳ୍ପ ଖର୍ଚ୍ଚରେ ଏକ ଚା’ ଦୋକାନ ଖୋଲିବାକୁ ସେ ନିଷ୍ପତ୍ତି ନେଲେ । କାରଣ ଏହା ବ୍ୟତୀତ ଅନ୍ୟ କୈାଣସି ବ୍ୟବସାୟକୁ ସେ ସୁରକ୍ଷିତ ମନେ କରୁନଥିଲେ । ୨୦୨୦ରେ ରବିନ୍ଦ୍ର ଭାରତୀ ୟୁନିଭର୍ସିଟିରେ ପାଠପଢ଼ା ସାରିବା ପରେ ସେ ଏକ ଚା’ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ଏମବିଏ ଚା’ ବାଲା ପ୍ରଫୁଲ୍ଲ ବିଲ୍ଲୋର ଏବଂ ଅଷ୍ଟ୍ରେଲିଆର ଚା’ ଦୋକାନୀ ଉପମା ବିରଦିଙ୍କ ଜୀବନ କାହାଣୀ ଏଥିପାଇଁ ତାଙ୍କୁ ପ୍ରେରଣା ଦେଇଥିଲା ।

ସେ ପ୍ରଥମେ ଛୋଟ ପିଲାଙ୍କୁ ପାଠ ପଢ଼େଇ ସେଥିରୁ କିଛି ଅର୍ଥ ସଞ୍ଚୟ କରିଥିଲେ ଏବଂ ଚଳିତ ବର୍ଷ ନଭେମ୍ୱର ୧ରେ ନିଜେ ସଞ୍ଚୟ କରିଥିବା ୧୦ ହଜାର ଟଙ୍କାରେ ଏକ ଚା’ ଦୋକାନ ଖୋଲିଥିଲେ । ମାତ୍ର ଏହି କିଛି ଦିନ ଭିତରେ ସେହି ଅଞ୍ଚଳରେ ସେ ନିଜ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏଥିସହ ଟୁକୁନି କହିଛନ୍ତିଯେ ଏଭଳି ବୃତ୍ତି ପ୍ରତି ଲୋକଙ୍କ ହୀନଭାବନା ଦେଖାଯାଉଛି । ଚା’ ବିକିବା ଅତି ନିମ୍ନମାନର ବ୍ୟବସାୟ ବୋଲି ଲୋକଙ୍କ ଧାରଣା ଥାଏ । କୈାଣସି ବୃତ୍ତି ଛୋଟ ମନେକରିବା ଉଚିତ୍ ନୁହେଁ । ସମସ୍ତ ବୃତ୍ତିକୁ ଆମକୁ ସମାନ ସମ୍ମାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

 

Leave a Reply