ମହାଶିବରାତ୍ରିରେ ଭକ୍ତ ନିରାଶ, ୧୪୪ ଯୋଗୁଁ ଶୈବ ପିଠ ଖାଁ ଖାଁ..

1 min read
v

ଆଜି ମହାଶିବରାତ୍ରି । ରାଜ୍ୟର ସମସ୍ତ ଶୈବ ପୀଠ ଚଳଞ୍ଚଳ ହୋଇ ଉଠିଛି । କରୋନା କଟକଣା ଯୋଗୁ ବିଭିନ୍ନ ଶୈବ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ରାଜ୍ୟର ଏକ ପ୍ରମୁଖ ଶୈବ ପୀଠ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିରରେ ମଧ୍ୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ହେଲେ ରୀତିନୀତି ଅନୁସାରେ ପୂଜାର୍ଚନା ଚାଲୁ ରହିଛି । ଭକ୍ତଙ୍କୁ ମନ୍ଦିରରେ ଦର୍ଶନ ପାଇଁ ବାରଣ ରଖାଯାଇଛି । ଯାନୀ ଯାତ୍ରାକୁ ବନ୍ଦ ରଖାଯାଇଛି । ମଧ୍ୟରାତ୍ରିରେ ମହାଦୀପ ଉଠିବା ପାଇଁ ମନ୍ଦିର କମିଟି ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

ସେହିଭଳି ପ୍ରଶାସନିକ କଟକଣା ଯୋଗୁଁ ତୁମୁଡ଼ିବନ୍ଧର ପ୍ରଶିଦ୍ଧ ଶୈବପୀଠ ଜଲେଶପଟ୍ଟା ଏବେ ଖାଁ ଖାଁ । ମହାଶିବରାତ୍ରୀ ହୋଇଥିବା ବେଳେ ମନ୍ଦିର ନିକଟରେ କେହି ଭକ୍ତ ଦେଖାଯାଉନାହାନ୍ତି । ଅନ୍ୟପଟେ ଯେଉଁ ଭକ୍ତ ଆସୁଛନ୍ତି ସେମାନେ ନିରାଶ ହୋଇ ଫେରୁଥିବା ଦେଖାଯାଇଛି । ସେପଟେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆମେ ନିୟମ ପାଳନ କରୁଛୁ ବୋଲି କହିଛନ୍ତି ମନ୍ଦିର ପୂଜକ ଓ ସଭାପତି ।

ସେହିଭଳି କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ମହାଶିବରାତ୍ରୀ ପାଳିତ ହେଉଛି । ତେବେ କୋଭିଡ୍ କଟକଣା କାରଣରୁ ପୀଠ ପରିସରରେ ୧୪୪ ଧାରା ଜାରି କରାଯାଇ ଭକ୍ତଙ୍କ ଗମନାଗମନକୁ ବାରଣ କରାଯାଇଛି । ପୂଜକମାନେ କେବଳ ପୀଠରେ ଉପସ୍ଥିତ ରହି ବିଧି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ରାତି ୧୨ଟା ପରେ ଏଠାରେ ମହାଦୀପ ଉଠିବ।

ଅନ୍ୟପଟେ କଟକ ଜିଲ୍ଲା ବଡମ୍ବା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ବାବା ସିଂହନାଥ ଦେବଙ୍କ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା ଲଗାଯାଇଛି । ସ୍ଥାନୀୟ ତହସିଲଦାର ତଥା ବଡମ୍ବା ଦେବୋତ୍ତର ବିଭାଗ ମୁଖ୍ୟ ଦେବଦତ୍ତ ମାହାନ୍ତ ଏହି କଟକଣା ଲାଗୁ କରିଛନ୍ତି । ଚଳିତ ବର୍ଷ ମହାଶିବରାତ୍ରି (ଜାଗର) ଯାତ୍ରା ସିଂହନାଥଙ୍କ ପୀଠରେ ହେବ ନାହିଁ । କୋଭିଡ -୧୯ ସଂକ୍ରମଣ ବଡମ୍ବା ଅଞ୍ଚଳରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବଡମ୍ବା ଦେବୋତ୍ତର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ଅପର ପକ୍ଷରେ ବ୍ଲକରେ ଅନ୍ୟ ଶୈବପୀଠରେ ଭକ୍ତ ମାନେ କୋଭିଡ-୧୯ ନିୟମ ଅନୁଯାୟୀ ସାମଜିକ ଦୂରତା ଅବଲମ୍ବନ କରି ମହାଦେବଙ୍କ ଦର୍ଶନ କରିପାରିବେ ବୋଲି ଅନୁମତି ରହିଛି । କିନ୍ତୁ କୌଣସି ଭକ୍ତ ଦୀପ ଜାଳି ପାରିବେନି ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରଯାଇଛି ।

Leave a Reply