ଚକଡ଼ା ପୋକ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ

1 min read

ଭୁବନେଶ୍ବର: ଚକଡ଼ା ପୋକ ମୁକାବିଲା ପାଇଁ ଆକ୍ସନ ମୋଡରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କୀଟନାଶକ ସିଞ୍ଚନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଜିଲ୍ଲା କୃଷି ଅଧିକାରୀଙ୍କୁ ଦୈନିକ ରିପୋର୍ଟ ମାଗୁଛି କୃଷି ବିଭାଗ । କିଛି ଦିନ ତଳେ କେନ୍ଦୁଝର ସମେତ ରାଜ୍ୟର ୫ଟି ଜିଲ୍ଲାରେ ଚକଡ଼ା ପୋକର ପ୍ରକୋପ ନେଇ ରିପୋର୍ଟ ହୋଇଥିଲା । ଏହା ଭିତରେ ଆଜି ଜିଲ୍ଲାୱାରୀ ବିଭିନ୍ନ କୃଷି ଯୋଜନାର ଅଗ୍ରଗତି ସହ ବିପର୍ଯ୍ୟୟ ମୁକାବିଲା ନେଇ ସମସ୍ତ କୃଷି ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ ।

କିଆରିରୁ କିଆରି ମାଡ଼ି ଚାଲିଛି ଚକଡ଼ା ପୋକ । ଦୁଇ ସପ୍ତାହ ହେଲାଣି ଚାଷ ନଷ୍ଟ କରୁଛି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏବେ ଚକଡ଼ା ମୁକାବିଲାର ମାଷ୍ଟରପ୍ଲାନକୁ କାର୍ଯ୍ୟକାରୀ କରିଛି କୃଷି ବିଭାଗ । କେନ୍ଦୁଝର, ବାଲେଶ୍ବର ଓ ଗଞ୍ଜାମ ପରି ୪ରୁ ୫ ଜିଲ୍ଲାରୁ ଚକଡା ପୋକ ମାଡ଼ିବା ନେଇ ଖବର ଆସିଥିଲା । ଏନେଇ ଇ-ପେଷ୍ଟ ସର୍ଭେଲାନସ୍ ପୋର୍ଟାଲରେ ଘଟଣାସ୍ଥଳରୁ କୃଷି ବିଭାଗର ସମ୍ପ୍ରସାରଣ ଟିମ ଫଟୋ ଉଠାଇ ଅପଲୋଡ୍ କରିଛନ୍ତି । ଏହାପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦୈନିକ ମନିଟରିଂ କରି ରିପୋର୍ଟ ଦେଉଛନ୍ତି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକରେ ଏକ୍ସପର୍ଟ ଟିମ୍ ଚକଡ଼ା ପୋକ ଲାଗିଥିବା କ୍ଷତିଗ୍ରସ୍ତ ଚାଷଜମି ଅନୁଧ୍ୟାନ କରିଥିଲେ । ଧାନକ୍ଷେତରୁ ପାଣି କାଟିବା ସହ ନିର୍ଦ୍ଦିଷ୍ଟ କେତେକ କୀଟନାଶକ ସିଞ୍ଚନ ପାଇଁ ପରାମର୍ଶ ଦିଆଯାଇଛି । ଫଳରେ ଅଳ୍ପରୁ ମଧ୍ୟମ ଧରଣର ପୋକ ଲାଗିଥିବା କ୍ଷେତଗୁଡିକରେ ପୋକ ଦମନ ହୋଇପାରିବ । ଅନ୍ୟପଟେ ପୋକ ଦାଉରୁ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ପାଇଁ ନିୟମ ଅନୁସାରେ ବିହନ ମାଗଣାରେ ଯୋଗାଇ ଦେବେ ରାଜ୍ୟ ସରକାର । ଏଥିସହ ସାର ଓ କୀଟନାଶକ ପାଇଁ ଏକର ପିଛା ୪ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶିର ବ୍ୟବସ୍ଥା କରାଯାଇଛି ।

ଚକଡା ପୋକ ମୁକାବିଲା ସହ ଅନ୍ୟାନ୍ୟ ଚାଷ ସମସ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ କୃଷି ମନ୍ତ୍ରୀ । ବର୍ଷା ଓ ଶୀତ ମଝି ସମୟରେ ହିଁ ଚକଡ଼ା ପୋକ ସକ୍ରିୟ ହୋଇଥାନ୍ତି । ଚଳିତ ଥର ଭଲ ବର୍ଷା ଯୋଗୁଁ ଭଲ ଅମଳ ହୋଇଛି । ହେଲେ ରୋଗ ପୋକ ବି ଚାଷ ଜମିରେ ମାଡ଼ିଛି । ସେଥିପାଇଁ କୀଟନାଶକ ସିଞ୍ଚନ ସହ ଅନ୍ୟାନ୍ୟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚକଡ଼ା ପୋକ ପ୍ରକୋପ ଏବେ ପ୍ରାଥମିକ ସ୍ତରରେ ରହିଛି । କୀଟନାଶକ ସିଞ୍ଚନ ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ହେଲେ ଅଧିକ କୀଟନାଶକ ପ୍ରୟୋଗର ବି ନକାରାତ୍ମକ ପ୍ରଭାବ ଅଛି । କାରଣ ଅନେକ ଉପକାରୀ କୀଟ ମାଟି ଅବକ୍ଷୟ ରୋକିବାରେ ସହାୟକ ହୁଅନ୍ତି ।