ସମୃଦ୍ଧ ଓଡ଼ିଶାକୁ ସଶକ୍ତ କରିଛି ‘ମୋ ସରକାର’

1 min read

ନନ୍ଦିଘୋଷ ବ୍ୟୁରୋ: ନୂଆ ଓଡ଼ିଶା । ସମୃଦ୍ଧ ଓଡ଼ିଶା । ସଶକ୍ତ ଓଡ଼ିଶା । ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ସଂସ୍କାର । ନବୀନଙ୍କ ୫ମ ପାଳିରେ ଆରମ୍ଭ ହୋଇଛି ମୋ ସରକାର । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ସାଧାରଣ ଲୋକ ହେଉଛନ୍ତି ପ୍ରକୃତ ସରକାର, ଶାସନରେ ମାଲିକ । ଜନତା ଜନାର୍ଦ୍ଦନଙ୍କୁ ଉତ୍ତମ ବ୍ୟବହାର ସହ ତ୍ୱରିତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ସମ୍ମାନର ସହ ପାଉଛନ୍ତି ସରକାରୀ ସେବା । ବ୍ଲକ, ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଆଉ ଧାଉଁନି ସାଧାରଣ ଲୋକ । ଦୁଆରେ ପହଞ୍ଚୁଛି ସରକାରୀ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ଅଭିନବ କାର୍ଯ୍ୟକ୍ରମ ପାଇଁ ରାଜ୍ୟବାସୀ କହୁଛନ୍ତି ‘ମୋ ସରକାର..ଓଡ଼ିଶା ସରକାର’ ।

ହେଲୋ ମୁଁ ନବୀନ ପଟ୍ଟନାୟକ କହୁଛି..

ଡାକ୍ତରଖାନା ଯାଇଥିଲେ କେମିତି ସେବା ପାଇଲେ? କିଛି ଅସୁବିଧା ହେଲା କି? ଖୋଦ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା କିମ୍ବା ଥାନାକୁ ଯାଇଥିବା ଲୋକଙ୍କୁ ଫୋନ କରି ଏମିତି ବୁଝୁଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ପୁଲିସ ଡିଜି, ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ମଧ୍ୟ ଫୋନ କରୁଛନ୍ତି । ତୃଣମୂଳସ୍ତରରେ ଲୋକମାନଙ୍କୁ ମିଳୁଥିବା ସରକାରୀ ସେବା ସଂପର୍କର୍ରେ ବୁଝୁଛନ୍ତି । ଯଦି ସରକାର ଅଧିକାରୀଙ୍କ ନାମର ଅଭିଯୋଗ ଆସିଲା ବେବେ ଦଣ୍ଡ, ପ୍ରଶଂସା ମିଳିଲା ତ ଆଗୁଆ ପଦୋନ୍ନତିର ପୁରସ୍କାର । ପ୍ରଶାସନକୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିଛି ମୋ ସରକାର । ନିପଟ ମଫସଲର ନିରୀହ ଲୋକଟିଏ ଥାନା, କୋର୍ଟ ଓ ଡାକ୍ତରଖାନାରୁ ସମ୍ମାନର ସହ ପାଉଛି ଗୁଣାତ୍ମକ ସେବା । ମୋ ସରକାରର ଚଳଚଞ୍ଚଳତା ରାଜ୍ୟବାସୀଙ୍କୁ ଦେଖାଇଛି ପରିବର୍ତ୍ତନର ନୂଆ ଧାରା ।

ଜନ୍ମ ପ୍ରମାଣପତ୍ର ହେଉ ଅବା ମୃତ୍ୟୁ ପ୍ରମାଣପତ୍ର । ଜମିପଟାରୁ ଆରମ୍ଭ କରି ଗାଡ଼ିଚୋରି ଏତଲା । ଏସବୁ କାମକୁ ସରଳ କରିଛି ମୋ ସରକାର । କଂପ୍ୟୁଟର କି ବୋର୍ଡ କିମ୍ବା ଆପରେ ମିଳୁଛି ସେବା । ଅନଲାଇନରେ ଦାଖଲ ହେଉଛି ଜମି ଖଜଣା । ବିଜୁଳି ବିଲ୍,ପାଣି ବିଲ ଘରୁ ଆପରେ ଇପେମେଣ୍ଟ କରିହେଉଛି । ଘରକାମର ଫଟୋ ଅପଲୋଡ କଲେ ମିଳୁଛି ‘ଆବାସ’ କିସ୍ତି ଟଙ୍କା । ମୋ ସରକାର କମାଲରୁ ୪୮ ଘଣ୍ଟାରେ ହେଉଛି ବିଜୁଳି ସଂଯୋଗ । ଏଥିପାଇଁ ସରକାରୀ ଅଫିସକୁ ଆଉ ଧାଇଁବାକୁ ପଡୁନି । ମୋ ସରକାରକୁ ପୂରିଛି ୩ ବର୍ଷ । ୩୨ଟି ବିଭାଗର ପ୍ରାୟ ୨୪୫ ସେବା ଏବେ ଏଥିରେ ଉପଲବ୍ଧ । ଆଗକୁ ଅଧିକ ସରକାରୀ ସେବା ହାତପାଆନ୍ତାରେ ମିଳିବ । ମୁଖ୍ୟମନ୍ତ୍ରୀ ‘ମୋ ସରକାର’କୁ କରୁଛନ୍ତି ସର୍ବାଧିକ ଫୋକସ ।

ରାଜ୍ୟରେ ବିକାଶର ଗତିଶୀଳତା ବେଗବାନ ହୋଇଛି । ମାନବ ସମାଜର ବଡ଼ ସଂକଟ କରୋନା ମୁକାବିଲା ଓ ପରିଚାଳନାରେ ମୋ ସରକାର ତୁଲାଇଛି ବଡ଼ ଭୂମିକା । ସରକାରୀ ଫାଇଲ ଆଉ ମାସ ମାସ ପଡ଼ିରହୁନି । ଦଲାଲରାଜ ହଟିଛି । ସାଧାରଣ ଲୋକ ସେବା ପାଇବାକୁ ହନ୍ତସନ୍ତ ହେଉନି । ଦୁର୍ବ୍ୟବହାରର ଶିକାର ହେଉନି । ମିଳୁଛି ଉତ୍ତମ ସବା । ଜନଶୁଣାଣିରେ ଆପତ୍ତି ଅଭିଯୋଗର ହେଉଛି ସମାଧାନ । ପ୍ରଶାସନରେ ଆସିଛି ତତ୍ପରତା ଓ ସ୍ୱଚ୍ଛତା । ନୂଆ ମଡେଲ ମୋ ସରକାର ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଆଣିଛି ନବକଳେବର । ନାଗରିକ ସନ୍ତୋଷ ଏକ ନିରନ୍ତର ପ୍ରକ୍ରିୟା । ସରକାର-ଜନସାଧାରଣଙ୍କ ମଧ୍ୟରେ ମୋ ସରକାର ସାଜିଛି ସେତୁବନ୍ଧ । ଶାସନ ଓ ସରକାରୀ ବ୍ୟବସ୍ଥା ପ୍ରତି ବଢ଼ିଛି ଲୋକଙ୍କ ଆସ୍ଥା ଓ ଭରସା । ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ସହଭାଗିତା ମଧ୍ୟ ଢ଼େର ବଢ଼ିଛି । ରାଜ୍ୟବାସୀଙ୍କ ପାଇଁ ନବୀନ ସରକାର ହେଉଛି ମୋ ସରକାର ।