ୟୁରୋପ ଓ ଆମେରିକାରେ ମୁଣ୍ଡ ବ୍ୟାଥ ବଢ଼ାଇଲାଣି ମଙ୍କି ଫକ୍ସ; ୧୯୮୦ ମସିହାରେ ହୋଇଥିଲା ମୂଳପୋଛ

1 min read

ନୂଆଦିଲ୍ଲୀ: ୟୁରୋପ ଓ ଉତ୍ତର ଆମେରିକା ମହାଦେଶରେ ମଙ୍କିପକ୍ସ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ହୋଇଛି । ବିଭିନ୍ନ ଦେଶରେ ଏଯାଏ ୧୦୦ରୁ ଅଧିକ ଚିହ୍ନଟ ହୋଇଛନ୍ତି । ବଢିଚାଲିଥିବା ସଂକ୍ରମଣ ନେଇ ଉଦବେଗ ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଆଜି ସଂଗଠନର ଜରୁରୀ ବୈଠକ ବସି ସ୍ଥିତି ନେଇ ଆଲୋଚନା କରାଯିବ । ଏଣେ ମଙ୍କିପକ୍ବ ପ୍ରଭାବିତ ଦେଶଗୁଡିକରୁ ଆସୁଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟ ରଖିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

ୟୁରୋପ ଓ ଉତ୍ତର ଆମେରିକାରେ କାୟା ମେଲାଇଛି ମଙ୍କିପକ୍ସ । ବିଭିନ୍ନ ଦେଶରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ବଢି ଚାଲିଥିବା ମଙ୍କିପକ୍ସ ମାମଲା ନେଇ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆସନ୍ତା କିଛି ଦିନରେ ମଙ୍କିପକ୍ସ ସଂକ୍ରମଣ ବଢିବ ବୋଲି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପୀୟ ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲଜ । ୟୁରୋପରେ ଏହି ସମୟରେ ଅନେକ ଉତ୍ସବ, ପାର୍ଟି, ସମ୍ମେଳନ ଆୟୋଜିତ ହେଉଥିବାରୁ ଏହି ସଂଖ୍ୟା ବଢିବ ବୋଲି ସେ କହିଛନ୍ତି । ବିଶେଷ କରି ସମଲିଙ୍ଗୀଙ୍କୁ ମଙ୍କିପକ୍ସ ସଂକ୍ରମଣ ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡସ, ପର୍ତ୍ତୃଗାଲ, ସ୍ପେନ, ସ୍ୱିଡେନ୍, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଆଗକୁ ଏହା ମାରାତ୍ମକ ରୂପ ନେବା ଆଶଙ୍କା କରାଯାଉଛି । ସ୍ପେନରେ ୨୪ଟି ନୂଆ ମାମଲା ପଦାକୁ ଆସିଥିବା ବେଳେ, ଇସ୍ରାଏଲରେ ଜଣେ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି । ୧୯୮୦ ଦଶକରେ ବିଶ୍ବରୁ ଏହି ଭୂତାଣୁ ମୂଳପୋଛ ହୋଇଛି ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପୁନର୍ବାର ଏହାର ଉତ୍ପତ୍ତି ଚିନ୍ତା ବଢ଼ାଇଛି । ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପ୍ରତିକାର ସ୍ବରୂପ ମଙ୍କିପକ୍ସ ସଂକ୍ରମିତଙ୍କୁ ସ୍ମଲପକ୍ସ ଟିକା ଦିଆଯାଉଥିବା ସୂଚନା ମିଳିଛି । ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ, ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପର୍ତ୍ତୁଗାଲରେ ମୋଟ ୨୩ ଜଣ ସଂକ୍ରମିତ ଠାବ ହୋଇଛନ୍ତି ।

ବିଶ୍ବର ବିଭିନ୍ନ ଦେଶରୁ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ସତର୍କତା ଅବଲମ୍ବନ କରିଛନ୍ତି । ସ୍ଥିତି ଉପରେ କଡା ନଜର ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଓ ଆଇସିଏମଆରକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିମାନବନ୍ଦର ଓ ବନ୍ଦରରେ ସତର୍କ ଦୃଷ୍ଟି ରଖିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ମଙ୍କିପକ୍ସ ପ୍ରଭାବିତ ଦେଶରୁ ଆସିଥିବା କୌଣସି ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଗଲେ ତାଙ୍କୁ ପୃଥକବାସରେ ରଖିବା ସହ ନମୁନା ସଂଗ୍ରହ କରି ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜ-ଏନଆଇଭିକୁ ନିର୍ଦ୍ଦେଶ ଦିଆଯାଇଛି ।