ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସୁପ୍ରିମ ଝଟକା: ୨୦୨୪ ନିର୍ବାଚନ ଲଢି ପାରିବେନି ମୋକିମ

ନନ୍ଦିଘୋଷ ବ୍ୟୁରୋ : ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସୁପ୍ରିମ ଝଟକା । ୨୦୨୪ ନିର୍ବାଚନ ଲଢିପାରିବେନି ମୋକିମ । ଓଆରଏଚଡିସି ଦୁର୍ନୀତି ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ବିରୋଧରେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରିଥିଲେ ମୋକିମ । ସୁପ୍ରିମକୋର୍ଟ ମୋକିମଙ୍କ ଆବେଦନକୁ ଗ୍ରହଣ କରି ଆଜି ଶୁଣାଣି କରିଛନ୍ତି । କିନ୍ତୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିନାହାଁନ୍ତି ।

ସ୍ବତନ୍ତ୍ର ଲିଭ ପିଟିସନର ଶୁଣାଣି ସରିବା ଯାଏଁ ଦଣ୍ଡାଦେଶ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଅର୍ଥାତ ଶୁଣାଣି ସରିବା ଯାଏଁ ସେ ଗିରଫ ହେବେ ନାହିଁ । ତେବେ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି ହୋଇନଥିବାରୁ ମୋକିମ ଏଥର ସାଧାରଣ ନିର୍ବାଚନ ଲଢିପାରିବେ ନାହିଁ । ଜନପ୍ରତିନିଧି ଆଇନ ଅନୁଯାୟୀ ଦୁଇ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ଦଣ୍ଡାଦେଶ ହୋଇଥିଲେ କୌଣସି ରାଜନେତା ନିର୍ବାଚନ ଲଢିପାରିବେ ନାହିଁ ।

ଓଆରଏଚଡିସି ଦୁର୍ନୀତି ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଥିଲେ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଏହି ରାୟ ବିରୋଧରେ ମୋକିମ ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ମୋକିମ ସୁପ୍ରିମକୋର୍ଟ ଯାଇଥିଲେ ।