ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପର୍ଦ୍ଦାଫାସ, ୫-T ଛାଟରୁ ବର୍ତ୍ତୁନାହାନ୍ତି ଲାଞ୍ଚୁଆ ଅଫିସର

1 min read

ଭୁବନେଶ୍ୱର: ୫-T ଛାଟରୁ ବର୍ତ୍ତିନାହାନ୍ତି ବହୁ ବରିଷ୍ଠ ଅଧିକାରୀ । ଦୁର୍ନୀତି ଓ ପଦପଦବୀର ଦୁରୁପଯୋଗ ଅଭିଯୋଗରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତି ସତ୍ତ୍ବେ ବିଭିନ୍ନ ଗଳାବାଟ ଦେଇ କାର୍ଯ୍ୟାନୁଷ୍ଠାନକୁ ଏଡାଇ ଚାଲୁଛନ୍ତି କିଛି ଦୁର୍ନୀତିଖୋର । ଯୋଗାଣ ବିଭାଗର ଏମିତି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପର୍ଦ୍ଦାଫାସ କରିଛି ନନ୍ଦିଘୋଷ ଟିଭି । ଏହି ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ପ୍ରାୟ ୪କୋଟି ଟଙ୍କାର ଧାନ ନେଇ ଚମ୍ପଟ ମାରିଛି ଖୋର୍ଦ୍ଧାର ଜଣେ ମିଲର । ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସିଏସ୍ଓ ତଥା ବର୍ତ୍ତମାନର ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର । ଜରିମାନା ୧ କୋଟି ୩୪ ଲକ୍ଷ ୨ ହଜାର ୭୦୫ ଟଙ୍କା । ଭାରପ୍ରାପ୍ତ ପୂର୍ବତନ ସିଏସ୍ଓ ସୁଧାକର ପ୍ରଧାନ । ଜରିମାନା ୩୨ ଲକ୍ଷ ୨୯ ହଜାର ୩୪୪ ଟଙ୍କା । ଅବସରପ୍ରାପ୍ତ ସିଏସ୍ଓ ଶରତ ଚନ୍ଦ୍ର ଦାସ । ଜରିମାନା ପରିମାଣ ୭୫ ଲକ୍ଷ ୫୮ ହଜାର ୬୮୯ ।

ସେହିପରି ଅବସରପ୍ରାପ୍ତ ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଏସିଏସ୍ଓ ଅଭିମନ୍ୟୁ ମହାନ୍ତି । ଜରିମାନା ରାଶି ୮୦ ଲକ୍ଷ ୭୩ ହଜାର ୩୬୧ । ବେଗୁନିଆର ପୂର୍ବତନ ଏମ୍ଆଇ ତଥା ଏବେକାର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଯୋଗାଣ ନିରୀକ୍ଷକ ବିବେକାନନ୍ଦ ମହାନ୍ତି । ଜରିମାନା ପରିମାଣ ୩୨ ଲକ୍ଷ ୨୯ ହଜାର ୩୪୪ । ଯୋଗାଣ ବିଭାଗର ଏହି ୫ ଜଣ ଅଧିକାରୀଙ୍କ କଳା କାରନାମା ଧରାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ଏକ ମିଲ ମାଲିକ ରାତାରାତି କୋଟି କୋଟି ଟଙ୍କାର ଧାନ ଗାଏବ କରିବା ଘଟଣାରେ ସହଯୋଗ କରିଥିବା ଅଭିଯୋଗ ଆସିଛି ଏହି ଅଧିକାରୀଙ୍କ ବିରୋଧରେ । ଦୁର୍ନୀତି ସହ ଦାୟିତ୍ବରେ ଅବହେଳା କରିଥିବା ନେଇ ସ୍ବତନ୍ତ୍ର ଅଡ଼ିଟରେ ଧରା ପଡିଥିଲା ଯୋଗାଣ ଅଧିକାରୀ ଓ ମିଲରଙ୍କ ନେକ୍ସସ ।

ପରେ ବିଭାଗୀୟ ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ଅଧିକାରୀମାନଙ୍କଠାରୁ କ୍ଷତିଭରଣା ବାବଦ ଅର୍ଥ ଆଦାୟ କରିବାକୁ ୨୦୧୮ ନଭେମ୍ବର ୧୧ ତାରିଖରେ ମୋଟ ୩ କୋଟି ୫୪ ଲକ୍ଷ ୯୩ ହଜାର ୪୪୩ ଟଙ୍କା ଆଦାୟ କରିବାକୁ ଯୋଗାଣ ବିଭାଗ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରିଥିଲା । ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ ଏହି ରାଶି କିସ୍ତି ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ସରକାରଙ୍କୁ ପ୍ରଦାନ କରିବେ । କିନ୍ତୁ ଅଢେଇ ବର୍ଷ ପରେ ମଧ୍ୟ ଜଣେ ହେଲେ ଅଧିକାରୀ ଟଙ୍କାଟିଏ ବି ସରକାରଙ୍କୁ ପ୍ରଦାନ କରିନାହାନ୍ତି । ୨୦୧୨-୧୩ ଖରିଫ ବର୍ଷ ପାଇଁ ଖୋର୍ଦ୍ଧା ଜିଲ୍ଲାରେ କଷ୍ଟମ ମିଲର କଳିଙ୍ଗ ଆଗ୍ରୋ ରାଇସ୍ ମିଲକୁ ଚାଉଳ କରିବା ପାଇଁ ଧାନ ଦିଆଯାଇଥିଲା । ଯାହାର ମୂଲ୍ୟ ପ୍ରାୟ ୪ କୋଟିରୁ ଅଧିକ ଥିଲା । କିନ୍ତୁ ମିଲର ସରକାରଙ୍କୁ ଚାଉଳ ନଦେଇ ରାତାରାତି ଗାଏବ ହୋଇଗଲା ।

ମିଲର କୁଆଡ଼େ ଗଲା ଯୋଗାଣ ଅଧିକାରୀମାନେ ଟେର ପାଇଲେନାହିଁ । ମିଲରଙ୍କୁ ଦିଆଯାଉଥିବା ଧାନ ନିର୍ଦ୍ଧାରିତ ସମୟରେ ଫେରୁଛି କି ନାହିଁ ତାର ଯାଞ୍ଚ ପାଇଁ ରହିଛି ସ୍ବତନ୍ତ୍ର ସ୍କାର୍ଡ । କିନ୍ତୁ ମାତ୍ର ୨୦ କିଲୋମିଟର ଦୂର ଖୋର୍ଦ୍ଧାକୁ ଯାଇନାହାଁନ୍ତି ସ୍କାର୍ଡ କି ସ୍ଥାନୀୟ ଅଧିକାରୀମାନଙ୍କୁ ପଚରାଉଚୁରା କରାଯାଇନି । ସ୍ବତନ୍ତ୍ର ଅଡିଟରେ ଏସବୁ କଥା ଧରାପଡ଼ିଲା । ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କ ଦାୟୀତ୍ବରେ ଅବହେଳା ପାଇଁ ଏତେବଡ଼ ଘଟଣା ଘଟିଛି ବୋଲି ଅଡ଼ିଟ ରିପୋର୍ଟ ଦେଲା । ପରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଗଲା । ଯୋଗାଣ ସଚିବ ସମ୍ପୃକ୍ତ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କଲେ । କିନ୍ତୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଭାଗୀୟ ସଚିବ ଏହି ଅଧିକାରୀମାନଙ୍କ ପାଇଁ ଆର୍ଥିକ ଜୋରିମାନା ଧାର୍ଯ୍ୟ କଲେ ।

ନିୟମାନୁଯାୟୀ ସମ୍ପୃକ୍ତ ପେନାଲିଟିକୁ ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସ୍ସିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଓପିଏସସି ମଧ୍ୟ କ୍ଷତିଭରଣା ବାବଦ ପ୍ରୋପୋଜ୍ଡ ପେନାଲିଟିକୁ ଅନୁମୋଦନ କରିଥିଲେ । ଓପିଏସ୍ସିଙ୍କ ମଂଜୁରୀ ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଏହି ଅର୍ଥ ଆଦାୟ ପାଇଁ ବିଭାଗୀୟ ସଚିବ ଜୋରିମାନ ଆଦାୟ ପାଇଁ ନିର୍ଦ୍ଦେଶ ଦେଲେ । କିନ୍ତୁ ୨ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ବି ଏଯାଏ ଜୋରିମାନା ଆଦାୟ ହୋଇପାରୁନି । ଏହାଭିତରେ ଅଭିଯୁକ୍ତ ଅଧିକାରୀମାନେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣର ବା ଓ.ଏ.ଟିଙ୍କ ଦ୍ବାରସ୍ଥ ହୋଇଥିଲେ । ଜଗତସିଂହପୁରରେ ଯୋଗାଣ ନିରୀକ୍ଷକ ଭାବେ କାର୍ଯ୍ୟରତ ବିବେକାନନ୍ଦ ମହାନ୍ତିଙ୍କ ଉପରେ ଧାର୍ଯ୍ୟ ପେନାଲଟି ଆଦାୟ ନକରିବାକୁ ଓ.ଏ.ଟି ରହିତାଦେଶ ଜାରି କରିଛନ୍ତି ।

କିନ୍ତୁ ବାକି ଅଧିକାରୀମାନଙ୍କ କ୍ଷେତ୍ରରେ କୋର୍ଟ ଏ ପର୍ଯ୍ୟନ୍ତ କୌଣସି ଆଦେଶନାମା ଜାରି କରି ନଥିବାରୁ ଜରିମାନା ଅର୍ଥ ଆଦାୟ କରିବାରେ କୌଣସି ବାଧକ ନାହିଁ । କିନ୍ତୁ ସବୁକିଛି ନାଲିଫିତା ତଳେ ଚାପି ହୋଇ ରହିଯାଇଛି । ଅଦାଲତର ଦ୍ୱାହି ଦେଇ କୋଟି କୋଟି ଟଙ୍କାର ଦୁର୍ନୀତିକୁ ଚାପି ଦିଆଯାଇଛି । ବିଭାଗରେ ଏପରି ଆହୁରି କେତେ ଅଡିଟ୍ ରିପୋର୍ଟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ କାରନାମା ଧରିଥିଲେ ଉଚ୍ଚପଦସ୍ଥ ଅଧିକାରୀ ଏହାକୁ ଘଣ୍ଟ ଘୋଡ଼ାଇଚାଲିଛନ୍ତି ।

Leave a Reply