ଆସନ୍ତା ମାର୍ଚ୍ଚ ୨ ସୁଦ୍ଧା ପାକିସ୍ତାନରେ ଗଠନ ହୋଇପାରେ ନୂଆ ସରକାର

1 min read

କରାଚି: ଆସନ୍ତା ମାର୍ଚ୍ଚ ୨ ସୁଦ୍ଧା ପାକିସ୍ତାନରେ ନୂଆ ସରକାର ଗଠନ । ମାର୍ଚ୍ଚ ୯ ସୁଦ୍ଧା ହେବ ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନ ପରଠାରୁ ଜାରି ରହିଥିବା ଅସ୍ଥିରତାର ଖୁବ ଶୀଘ୍ର ଅନ୍ତ ଘଟିବ ବୋଲି ସୂଚନା ମିଳିଛି । ସରକାର ଗଠନ ପାଇଁ ପୂର୍ବରୁ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି ମଧ୍ୟରେ ହୋଇଥିଲା ସହମତି। ପିିଏମଏଲ-ଏନ ଅଧ୍ୟକ୍ଷ ଶେହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ପିପିପି ସହ-ଅଧ୍ୟକ୍ଷ ଅସିଫ ଅଲ୍ଲି ଜର୍ଦ୍ଦାରୀ ପୁଣି ଥରେ ରାଷ୍ଟ୍ରପତି ହେବେ।

ଗତ ଫେବ୍ରୁଆରୀ ୮ରୁ ନିର୍ବାଚନ ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ସମ୍ଭବ ହୋଇପାରିନାହିଁ। ନିର୍ବାଚନରେ ପିଟିଆଇ ୯୩ ଆସନ ହାସଲ କରିଥିଲେ ବି ସମର୍ଥନ ଅଭାବରୁ ଦଳ ସରକାର ଗଠନ କରିବାକୁ ଅକ୍ଷମ ହୋଇଥିଲା। ସେହିପରି ପିଏମଏଲ-ଏନ ୭୫ ଆସନ ହାସଲ କରିଥିବାବେଳେ ପିପିପି ୫୪ ଆସନ ହାସଲ କରିଛି । ଏମକ୍ୟୁଏମ-ପି ୧୭ ଆସନ ପାଇଛି।

୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩। ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି। ସେପଟେ ପାକିସ୍ତାନରେ ଋଣ ଭାର ଚରମ ସୀମାକୁ ଯାଇଛି। ଋଣ ବାବଦରେ ଦେୟ ଲାଗି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ନିକଟରେ ହାତ ପତାଇଛି ପାକିସ୍ତାନ। ୬ ବିଲିୟନ ଡଲାର ସହାୟତା ଲାଗି ପାକିସ୍ତାନ କରିଛି ଅନୁରୋଧ।