ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣରୁ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ବିକ୍ରମ କେଶରୀ ଆରୁଖ । ଏଥିସହିତ ସେ କହିଛନ୍ତି, ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛି । ମୁଖ୍ୟମନ୍ତ୍ରୀ ମୋତେ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ୍ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ତେବେ ସୂଚାର ରୂପେ କରିବି । ଉପବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି ବିକ୍ରମ । ପ୍ରେସମିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି ବିକ୍ରମ । ସୂଚନାଥାଉକି, ବର୍ଷେ ତଳେ ଅର୍ଥାତ ୧୩ ଜୁନ୍ ୨୦୨୨ରେ ସେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ଥାନରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଶପଥ ନେଇଥିଲେ ବିକ୍ରମ କେଶରୀ ଆରୁଖ ।

ବର୍ଷେ ନପୂରୁଣୁ ସେ ଇସ୍ତପା ଦେବା ଅନେକ ଚର୍ଚ୍ଚାକୁ ବଳ ଦେଇଛି । ଆଶଙ୍କା କରାଯାଉଛି ଯେ ଆଗାମୀ ଦିନରେ ରାଜ୍ୟ ସରକାରରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ । ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେ ଓଡ଼ିଶା ଫେରିବା ପରେ ତାଙ୍କୁ କେଉଁ ଦାୟିତ୍ୱ ମିଳିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ । ୧୯୯୫ ମସିହାରୁ ଲଗାତାର ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଛନ୍ତି ବିକ୍ରମ । ୨୦୦୮ରେ ମୁଖ୍ୟ ସଚେତକ, ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ବିକ୍ରମ କେଶରୀ ଆରୁଖ । ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ପରିବେଶ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକ ସମ୍ପର୍କ, ସାଧାରଣ ଉଦ୍ୟୋଗ ବିଭାଗରେ ବିଭିନ୍ନ ସମୟରେ ମନ୍ତ୍ରୀ ଥିଲେ ବିକ୍ରମ କେଶରୀ ଆରୁଖ ।