ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରସ୍ତାବଗୁଡିକୁ ମଞ୍ଜୁରୀ ଦିଆଯାଇଛି ।

ପ୍ରାଥମିକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଅଣ ଶିକ୍ଷକଙ୍କ ଦରମା ହାରରେ ହୋଇଛି ପରିବର୍ତ୍ତନ । ଏଥିରେ ଲକ୍ଷେରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହ କ୍ୟାଡରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ପାଇଁ ଏକକାଳୀନ ୬ ଲକ୍ଷ ଓ କର୍ମଚାରୀଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ଦେବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସେହିପରି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଏକକାଳୀନ ୧୦ ଲକ୍ଷ ଏବଂ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ମିଳିବ । ଏଥିରେ ୯୫୨ ଅଧ୍ୟାପକ ଓ ୧୦୨୫ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୪୯ କୋଟି ୪୫ ଲକ୍ଷ ଟଙ୍କା ।

ନୂଆ ଓ ଛାତ୍ର ବୃତ୍ତି ଯୋଜନାରେ ଉଚ୍ଚ ଶିକ୍ଷା ବିଭାଗ ସହିତ ଅନ୍ୟ ବିଭାଗର ୟୁଜି ଓ ପିଜି ଛାତ୍ରଙ୍କୁ ବୃତ୍ତି ପ୍ରଦାନ ପାଇଁ ଅନୁମୋଦନ ମିଳିଛି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବାର ବ୍ୟବସ୍ଥା ଥିବା ବେଳେ କୃଷି, ସଂସ୍କୃତି ଓ ସ୍ବାସ୍ଥ୍ୟ ଭଳି ବିଭାଗ ଅଧୀନରେ ପଢୁଥିବା ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ସବୁ ବ୍ଲକ ଓ ସବଡିଭିଜନରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ  ଆମ ବସଷ୍ଟାଣ୍ଡ ଯୋଜନାରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ମୋଟ ୩୧୮ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୫ , ଦ୍ବିତୀୟ ପର୍ଯ୍ୟାୟରେ ୧୩୩ ଓ ତୃତୀୟ ପର୍ଯ୍ୟାୟରେ ୧୩୦ ବସଷ୍ଟାଣ୍ଡ ନିର୍ମାଣ ହେବ ।

ଭୁବନେଶ୍ବର ଚନ୍ଦ୍ରଶେଖରପୁର ମୌଜାରେ ଗୋପାଳ ଭବନ ପାଇଁ ୫ ଶହ ଡିସିମିଲ ଜମି ମାଗଣାରେ ପ୍ରଦାନ କରାଯାଇଛି । ମୁସଲିମ ସମ୍ପ୍ରଦାୟର ପ୍ରାର୍ଥନା ଗୃହ ପାଇଁ ୨୫୦ ଡିସିମିଲ ମାଗଣା ଦିଆଯାଇଛି । ସେହିଭଳି ଢେଙ୍କାନାଳର ବିରାଶାଳରେ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର ପାଇଁ ୫୬୨ କୋଟି ଟଙ୍କା ମଞ୍ଜୁର କରିଛି କ୍ୟାବିନେଟ । ଏଥିରେ ପାଇଲଟ, କ୍ୟବିନ କ୍ରିୁ, ଗ୍ରାଉଣ୍ଡ ଷ୍ଟାପ ଏବଂ ଏରୋପ୍ଲେନ ମରାମତି ପାଇଁ ଟ୍ରେନିଂ ଦିଆଯିବ । ସେହିଭଳି ଭୁବନେଶ୍ବର ଗଣ୍ଡମୁଣ୍ଡାରେ ହେବ ୟୁନିଟି ମଲ । ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ସହ ଅନ୍ୟ ରାଜ୍ୟର ସ୍ବତନ୍ତ୍ର ପ୍ରଡକ୍ଟ ଏହି ମଲରେ ବିକ୍ରି କରାଯିବ ।