ଭୁବନେଶ୍ୱର: ବିକାଶ ଆମର ଲକ୍ଷ୍ୟ  । ଶିଳ୍ପାୟନକୁ ଆମର ସର୍ବାଧିକ ଫୋକସ  । ଖୁବଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତିକୁ ଛୁଇଁବ  । ଆମେ ହିଁ ହେବୁ, ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା  । ଆପଣମାନେ ଆସନ୍ତୁ, ନୂଆ ଓଡ଼ିଶା ଗଢିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ଖଟାନ୍ତୁ  । ବିକଶିତ ଓଡ଼ିଶାର ବନ୍ଧୁ ସାଜନ୍ତୁ  । ମେକ ଇନ୍ ଓଡ଼ିଶା କନକ୍ଲେଭର ଦେଶ ଓ ବିଦେଶର ଶିଳ୍ପପତି ମାନଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବେଶ ଆବେଗର ସହ ନବୀନ କହିଲେ ମେକ୍ ଇନ୍ ଓଡ଼ିଶାର ଏ ତୃତୀୟ ସଂସ୍କରଣକୁ ଆପଣ ମାନଙ୍କୁ ମୁଁ ସ୍ୱାଗତ କରୁଛି  । ଓଡ଼ିଶା ଏବେ ନୂଆ ସମ୍ଭାବନାର ରାଜ୍ୟ ପାଲଟିଛି  । ବୃହତ ନିବେଶ ପ୍ରଥମ ପସନ୍ଦ ଏବେ ଓଡ଼ିଶା  । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ଶସକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆମେ ଆଣିଛୁ ରୂପାନ୍ତରଣ  ।

ସମୃଦ୍ଧ ଓଡ଼ିଶା-ବିକଶିତ ଓଡ଼ିଶା  । ଏ ସ୍ୱପ୍ନକୁ ସଫଳ କରିବା ପାଇଁ ମୋ ରାଜ୍ୟବାସୀ, ମୋତେ ଭରସା କରିଛନ୍ତି  । କ୍ରମାଗତ ଭାବେ ଆମକୁ ମିଳିଛି ଶାସନ ଡୋରୀ  । ଏକ ସ୍ଥିର ସରକାର ହୋଉଛି ବିକାଶର ସବୁଠାରୁ ବଡ଼ ଉପାଦାନ  । ନବୀନ ଆହୁରି କହିଲେ, ଆମ ସରକାରର କେନ୍ଦ୍ରବିନ୍ଦୂରେ ସବୁବେଳେ ରହିଛି ସାଧାରଣ ଲୋକ  । ଆମର  ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଏବଂ ସେମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚିହବାର ସୁଯୋଗ ଦେବାକୁ ମୋ ସରକାର ଓ 5T ମଡେଲ ଆପଣାଇଛୁ  । ଯାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚମାର୍କ୍ ତିଆରି କରିଛି  । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କର ଶସକ୍ତିକରଣ ହୋଇଛି  । ରାଜ୍ୟରୁ ୫୦ ପ୍ରତିଶତ ଦାରିଦ୍ର୍ୟ ହଟାଇବା ସହ ଚାଷୀଙ୍କ ଆୟକୁ ଦୁଇଗୁଣା କରିପାରିଛୁ  ।

ହାତଗଣତି ରାଜସ୍ୱ ବଳକା ରାଜ୍ୟ ମଧ୍ୟରେ ଓଡ଼ିଶା ଆଗରେ  । ବିକାଶର ନୂଆ ଧାରାକୁ ଆପଣାଇବାକୁ ଆମେ ଶିଳ୍ପକୁ ସର୍ବାଗ୍ରେ ରଖିଛୁ  । ଆମ ରାଜ୍ୟରେ ନିବେଶକାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବୁ ସରକାର ସଙ୍କଳ୍ପବଦ୍ଧ  । ଏଥିପାଇଁ ଆମେ ଆଣିଛୁ ନୂଆ ଶିଳ୍ପନୀତି  । ଏଥିରେ ସହଯୋଗ ଓ ପ୍ରୋତ୍ସାହନ ଦେଶରେ ସବୁଠୁ ଆଗରେ   । ପ୍ରର୍ଯ୍ୟଟନ , ବୟନଶିଳ୍ପ, ଖାଦ୍ୟ ପ୍ରକିୟାକରଣ, ଅକ୍ଷୟଶକ୍ତି କ୍ଷେତ୍ରରେ ମଧ୍ୟ ନିବେଶ ବଢାଇବାକୁ ଆମେ ଅନୁକୂଳ ନୀତି ଆଣିଛୁ  । ଓଡ଼ିଶାରେ ପ୍ରାକୃତିକ ଖଣିଜ ପଦାର୍ଥର ଅଭାବ ନାହିଁ  । ରେଳ ଲାଇନ, ବିମାନ ବନ୍ଦରରୁ ଆରମ୍ଭ କରି ବନ୍ଦର ଯାଏଁ ସବୁକୁଛି ସୁବିଧା ରହିଛି  । ଦକ୍ଷ ମାନବ ସମ୍ଭଳ ଗଢି ତୋଳିବାକୁ ସ୍କିଲ୍ଜ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛୁ  ।

ପୁଞ୍ଜିପତିଙ୍କୁ ସୁହାଇଲା ଭଳି ସମସ୍ତ ଅନୁକୂଳ ଶିଳ୍ପାୟନ ପରିବେଶ ଓଡ଼ିଶାରେ ଅଛି  । ନିବେଶକ ମାନେ ବିନା ଦ୍ୱିଧାରେ ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ, ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରୀ ହୁଅନ୍ତୁ  । ମୁଖ୍ୟମନ୍ତ୍ରୀଙ୍କ ଓ ଅପିଲକୁ ଦେଶର ବିଶିଷ୍ଟ ଶିଳ୍ପପତିମାନେ ବେଶ୍ ସମର୍ଥନ ମଧ୍ୟ ଜଣାଇଛନ୍ତି  ।