କେନ୍ଦ୍ର ସରକାରଙ୍କ ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ ନିଷ୍ପତ୍ତିକୁ କଡା ସମାଲୋଚନା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କୋଇଲା ସଂକଟ ସୃଷ୍ଟି ହୋଇଥିବା ବେଳେ କିଛି ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ ନିଷ୍ପତ୍ତି ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ  । ପ୍ରଚୁର କୋଇଲା, ବୃହତ୍ତମ ରେଳ ନେଟଓ୍ବର୍କ, ଥର୍ମାଲ ପ୍ଲାଂଟ ସବୁ ରହିଛି  । କିନ୍ତୁ ଏହା ସତ୍ତ୍ବେ ଦେଶରେ କୋଇଲାର ଉତ୍କଟ ଅଭାବ  ।

ଚିଦାମ୍ବରମ ତାତ୍ସଲ୍ୟ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରାଯାଇପାରିବ ନାହିଁ  । କାରଣ ୬୦ ବର୍ଷର କଂଗ୍ରେସ ଶାସନ ଏଥିପାଇଁ ଦାୟୀ  ବୋଲି ତାତ୍ସଲ୍ୟଭରା ଟ୍ବିଟ୍ କରିଛନ୍ତି ଚିଦାମ୍ବରମ  । ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ କରି କୋଲ୍ ରୋକ୍ ଚଳାଇବା ଅଜବ ନିଷ୍ପତ୍ତି ବୋଲି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଚିଦାମ୍ବରମ  । କୋଇଲା ପରିବହନ ସୁଗମ କରିବା ପାଇଁ ରେଳବାଇ ଏ ଯାଏଁ ୪୨ଟି ଯାତ୍ରୀ ଟ୍ରେନ ବାତିଲ କରିଛି  । ଟ୍ରେନ ବାତିଲ ଯୋଗୁଁ  ବିଭିନ୍ନ ରାଜ୍ୟରେ ଯାତ୍ରୀମାନେ ହଇରାଣ ହରକତ ମଧ୍ୟ ହେଉଛନ୍ତି  ।