ଆସୁଛି ମଧ୍ୟମ ଧରଣର ବନ୍ୟା, କାଲି ମୁଣ୍ଡଳୀରେ ପହଞ୍ଚିବ ପିକ୍‌ ଫ୍ଲଡ୍

1 min read

ଭୁବନେଶ୍ବର: କିଛି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ଅଧିକ ଅଛି  । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ସେଭଳି ସ୍ଥିତି ନାହିଁ  । ଜଳକାରେ ବିପଦ ସଂକେତ ଉପରେ ଅଛି । ଦକ୍ଷିଣ ଅଞ୍ଚଳରେ ଥିବା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ନଥିବା କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା  । ଲଘୁଚାପ ଜନିତ ବର୍ଷାକୁ ଦେଖିଲେ ମୁଣ୍ଡଳୀ ପାଖେ ଦଶ ଲକ୍ଷ କି ସାଢ଼େ ଦଶ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି  । କାଲି ସନ୍ଧ୍ୟା ସୁଦ୍ଧା ଏହା ପାସ୍‌ କରିପାରେ  ।

ଖଇରମାଲ ଠାରେ 9.56 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି  । ତେଲ୍ ପଟୁ ବେଶୀ ପାଣି ଆସୁନାହିଁ  । ହୀରାକୁଦ ଡ୍ୟାମରୁ ଅଧିକ ପାଣି ଆସୁଛି  । ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି  । ବର୍ତ୍ତମାନ ହୀରାକୁଦର 34ଟି ଗେଟ ଖୋଲା ଅଛି  । କାଲି ଅପରାହ୍ନରୁ ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ପାଖେ ପିକ୍ ଫ୍ଲଡ଼ ପହଂଚିବ ବୋଲି ଆଶା ପ୍ରକାଶ କରିଛନ୍ତି ଏସଆରସି ପ୍ରଦୀପ୍ତ ଜେନା ।

2019 ଅଗଷ୍ଟ 14, 15 ରେ ଏଭଳି ପାଣି ପ୍ରବାହିତ ହୋଇଥିଲା ବୋଲି ସେ କହିଛନ୍ତି  । ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ  । ଜଗତସିଂହପୁର, ପୁରୀ, ଖୋର୍ଦ୍ଧାର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା କରି ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠା ଯାଇଛି  । 7 ଟି NDRF, 3 ଟି ODRAF ଓ 12 ଟି ଅଗ୍ନିଶମ ବିଭାଗ କୁ ଏହି ସବୁ ଅଞ୍ଚଳକୁ ପଠାଯିବ । ତେବେ ଏହାକୁ ମଧ୍ୟମ ଧରଣର ବନ୍ୟା କହିଛନ୍ତି ଏସଆରସି  । ଜିଲ୍ଲା ପ୍ରଶାସନ ମାନଙ୍କୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି  । ଆବଶ୍ୟକସ୍ଥଳେ ରନ୍ଧା ଖାଦ୍ୟ, ପିଇବା ପାଣି ବ୍ୟବସ୍ଥା ସହ ଜିଲ୍ଲାପାଳଙ୍କୁ ସମସ୍ତ ପାୱାର ଦିଆଯାଇଛି  । ସେମାନେ ସବୁ ପ୍ରକାର୍ ନିଷ୍ପତି ନେବେ ବୋଲି କହିଛନ୍ତି ଏସଆରସି  ।