ଧୁମଧାମରେ କଣ୍ଢେଇ ବାହାଘର

1 min read

ପିପିଲି: ଶନିବାର ହେଉଛି କୁମାର ପୂର୍ଣ୍ଣିମା । ଏନେଇ ଗାଁ ଠାରୁ ସହର ସବୁ  ଚଳଚଞ୍ଚଳ। ହେଲେ କୁମାର ପୂର୍ଣ୍ଣିମାରେ  ପିପିଲିରେ ନିଆରା ପରମ୍ପରା । ଚନ୍ଦ୍ର ପୂଜା କରିବା ସହିତ ହୋଇଥାଏ କଣ୍ଢେଇ ବାହାଘର ବା କୁମାରୀ ବିବାହ। ବିଶେଷ କରି ଲକ୍ଷ୍ମୀ ପୁରାଣ ଅନୁସାରେ କୁମାରୀଙ୍କ ମଧ୍ୟରେ ବୈଦିକ ରିତିନୀତିଅନୁସାରେ ଲକ୍ଷ୍ମୀ ନାରାୟଣ ବିବାହ ତିଥୀ ଅନୁସାରେ ବିବାହ ସଂପନ୍ନ କରାଯାଇଥାଏ ।

ବେଦି ପଡିଛି । ସଜା ହୋଇଛି ବାହାଘର ସାମଗ୍ରୀ । ଡିଜେ ବି ବାଜୁଛି । ନାଚଗୀତରେ ମସଗୁଲ ହୋଇଛନ୍ତି ବରଯାତ୍ରୀ । ଭୋଜି ଭାତ ବି ଆୟୋଜିତ ହୋଇଛି । ହେଲେ ସତ ସତିକା ବିବାହ ନୁହଁ ଚାଲିଛି କଣ୍ଢେଇ ବାହାଘର । ଗାଁର ମଙ୍ଗଳ ପାଇଁ କୁମାର ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ଭାରତୀପୁର ଗାଁରେ ଆୟୋଜିତ ହୋଇଛି ଏହି ମିଛିମିଛିକା ବାହାଘର ।

କୁମାର ପୂର୍ଣ୍ଣିମା ବ୍ରତ ପାଳନ ଦ୍ବାରା କାର୍ତ୍ତିକଙ୍କ ଭଳି ସୁନ୍ଦର,ଗୁଣବାନ ଜୀବନ ସାଥୀଟିଏ ଝିଅଙ୍କୁ ମିଳିଥାଏ ବୋଲି ବିଶ୍ବାସ ରହିଛି । ମାସକ ପୂର୍ବରୁ କେହି କେହି ଏହି ବ୍ରତ ପାଳନ କରୁଥିବା ବେଳେ କେହି କେହି ଦୁର୍ଗାପୂଜାଦିନ ଠାରୁ ଏହି ବ୍ରତ ପାଳନ କରିଥାନ୍ତି । ସକାଳୁ ସକାଳୁ ସୂର୍ଯ୍ୟ,କାତ୍ତିକଙ୍କ ଉଦ୍ଦେଶ୍ୟରେ ପୂଜା ପରେ ଦିନ ତମାମ ନିର୍ଜଳ ଉପବାସ କରିଥାନ୍ତି ଝିଅମାନେ । ସଂଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଚାନ୍ଦଭୋଗ ଲାଗି ପରେ କବାଟ କଣରେ ରହି ଏହି ଭୋଗକୁ ସେବନ କରିଥାନ୍ତି କୁମାରୀମାନେ ।

ପରମ୍ପରା ଅନୁସାରେ ଏହି ବ୍ରତ ପାଇଁ ସଂଧ୍ୟାରେ ଗାଁରେ ଅନୁଷ୍ଠିତ ହୋଇଥାଏ କଣ୍ଢେଇ ବା କୁମାରୀ ବିବାହ । ଲକ୍ଷ୍ମୀ ପୁରାଣନୁସାରେ ଯେଉଁ ଦିନ ଲକ୍ଷ୍ମୀ ନାରାୟଣଙ୍କ ବିବାହ ତିଥି ଥାଏ ସେହି ଦିନ ଗାଁର ଦୁଇଜଣ କୁମାରୀ କନ୍ୟାଙ୍କୁ ବର-କନ୍ୟା ବଶରେ ସଜ୍ଜିତ କରାଯାଇ ବିବାହ କରାଯାଇଥାଏ । ସମାଜରୁ କଳୁଷିତ ଯୌତୁକ ପ୍ରଥା ବନ୍ଦ କରିବା ପାଇଁ କଣ୍ଡେଇ ବିବାହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗ୍ରାମବାସୀ କହିଛନ୍ତି ।