ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏହା ମୋତେ ଗଭୀର ଆଘାତ ଦେଇଛି । ନିର୍ଦ୍ଦୋଶ ପୀଡିତ ଏବଂ ତାଙ୍କ ପରିବାର ପ୍ରତି ଆମର ସମବେଦନା ଓ ପ୍ରାର୍ଥନା ଅଛି । ଆମେ ଏହି କଠିନ ସମୟରେ ଇସ୍ରାଏଲ ସହ ଦୃଢ଼ତାର ଛିଡ଼ା ଅଛୁ । ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ ଶନିବାର ଇସ୍ରାଏଲ ବିରୋଧରେ ନୂଆ ସୈନ୍ୟ ଅଭିଯାନର ଘୋଷଣା କରିଛି । ଗତ ବର୍ଷ ମଇ ପରେ ପ୍ରଥମଥର ଗାଜା ଷ୍ଟ୍ରିପରୁ ୟହୁଦୀ ରାଷ୍ଟ୍ର ଅଭିମୁଖେ ଘନ ଘନ ମିସାଇଲ ମାଡ କରାଯାଇଥିଲା ।

୫ ହଜାରରୁ ଅଧିକ ମିସାଇଲ ମାଡ଼ କରାଯାଇଛି । ଏଥିରେ ଅନେକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ଏହାର ଜବାବ ମଧ୍ୟ ଇସ୍ରାଏଲ ପକ୍ଷରୁ ଦିଆଯାଉଛି । ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଦେଇଛି । ଇସ୍ରାଏଲ ଉପରେ ହାମସର ଆତଙ୍କବାଦୀ ଆକ୍ରମଣକୁ ବ୍ରିଟେନ, ଫ୍ରାନ୍ସ ସମେତ ତମାମ ଦେଶ ସମାଲୋଚନା କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟାକୁ ଭାରତରେ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତର ନୈତିକ ସମର୍ଥନର ଅତ୍ୟନ୍ତ ଆବଶ୍ୟକ ରହିଛି ।