ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ, ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ସୁଭଦ୍ରା

ପୁରୀ: ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯିବ । ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ପାଟରା ବିଶୋୟୀଙ୍କ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ରାଖୀ ଓ ଗୁଆମାଳ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବାର ବିଧି ରହିଛି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରରେ ଦ୍ୱିପହର ଭୋଗ ଉଠିବା ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବ । ଚକ୍ରରାଜ ସୁଦର୍ଶନଙ୍କୁ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରାଯିବ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ। ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ ।

ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ବଳଭଦ୍ରଙ୍କ ଜନ୍ମଉତ୍ସବ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଗହ୍ମାମଣ୍ଡା ଭୋଗ ଲାଗି କରାଯିବ ।

Leave a Reply