ରେବନ୍ତ ରେଡ୍ଡି ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ରେବନ୍ତଙ୍କ ନାଁରେ ମୋହର ମାରିଥିବା ନେଇ ସୂଚନା ମିଳିଛି । ରାଜ୍ୟରେ କଂଗ୍ରେସର ବିପୁଳ ନିର୍ବାଚନ ପରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ରେସରେ ସେ ସବୁଠୁ ଆଗରେ ଥିଲେ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେସରେ ଥିବା ଆଉ ଦୁଇ ବରିଷ୍ଠ ନେତା ଉତ୍ତମ ରେଡୀ ଓ ଭଟି ବିକ୍ରମାର୍କ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ ।

ସୋମବାର ଅଫିସିଆଲ ଘୋଷଣା ପରେ ମଙ୍ଗଳବାର ଶପଥ ନେବେ ବୋଲି ଜଣାପଡିଛି । ରାଜ୍ୟରେ ବିଆରଏସ ସରକାର ରହିଥିବାବେଳେ ଲୋକପ୍ରିୟତା ମଧ୍ୟ ରହିଥିଲା । ମାତ୍ର କଂଗ୍ରେସର ଦୃଢ଼ ସଂଗଠନ ଆଗରେ ଫିକା ପଡ଼ିଲା ବିଆରଏସର ଲୋକପ୍ରିୟତା । ରାଜ୍ୟରେ କଂଗ୍ରେସ ସରକାର ଆସିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିବାବେଳେ ଏବେ ଏକପ୍ରକାର ରେବନ୍ତଙ୍କ ନାମ ସ୍ଥିର ହୋଇଥିବା ସୂଚନା ମିଳିଛି । ଯୁବ ମୁଖ୍ୟମନ୍ତ୍ରୀଭାବେ ତେଲେଙ୍ଗାନାର ଭାର ସମ୍ଭାଳିବାକୁ ଥିବାବେଳେ ବହୁ ଚ୍ୟାଲେଞ୍ଜମାନ ତାଙ୍କ ପାଇଁ ମଧ୍ୟ ରହିଛି ।