ବିଶ୍ବବାସୀଙ୍କୁ ଚମକାଇବେ ଋଷ ଓ ଚୀନ, ଚନ୍ଦ୍ରରେ ପ୍ରତିଷ୍ଠା ହେବ ନ୍ୟୁକ୍ଳିୟର ରିଆକ୍ଟର

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରରେ ପ୍ରତିଷ୍ଠା ହେବ ନ୍ୟୁକ୍ଳିୟର ରିଆକ୍ଟର । ଆସନ୍ତା ଦଶନ୍ଧିରେ ଏହି ରିଆକ୍ଟର ପ୍ରତିଷ୍ଠା କରିବା ଲାଗି ଯୋଜନା କରୁଛନ୍ତି ଦୁଇ ସୁପରପାଓ୍ବାର ଋଷ ଓ ଚୀନ । ଏନେଇ ସୂଚନା ଦେଇଛନ୍ତି ଋଷର ମହାକାଶ ଗବେଷଣା ସଂସ୍ଥା ରସକସମସର ସିଇଓ  ୟୁରୀ ବୋରିସୋଭ ।  ସେ କହିଛନ୍ତି ଚନ୍ଦ୍ରରେ ଆଣବିକ ରିଆକ୍ଟର ପ୍ରତିଷ୍ଠା ନିମନ୍ତେ ଗବେଷଣା ଜାରି ରହିଛି। ଆବଶ୍ଯକୀୟ ପ୍ରଯୁକ୍ତିଭିତ୍ତିକ କାର୍ଯ୍ୟକଳାପ ବି ପ୍ରସ୍ତୁତ ହୋଇଛି। ଆସନ୍ତା ୨୦୩୩ରୁ ୨୦୩୫ ମଧ୍ଯରେ ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ରିଆକ୍ଟର ପ୍ରତିଷ୍ଠା ଲାଗି ଆଭିମୁଖ୍ଯ ରଖାଯାଇଛି। ଏନେଇ ଦୁଇ ଦେଶ ମଧ୍ଯରେ ସହଭାଗିତା ଭିତ୍ତିରେ ଗବେଷଣା ଜାରି ରହିଛି। ପୂର୍ବରୁ ଗତ ୨୦୨୧ ମାର୍ଚ୍ଚରେ ରସକସମସ ଓ ଚୀନର ନ୍ଯାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ବା ସିଏନଏସ ମଧ୍ଯରେ ଆନ୍ତର୍ଜାତିକ ଚନ୍ଦ୍ର ଗବେଷଣା ଷ୍ଟେସନ ବା ଆଇଏଲଆରଏସ ପ୍ରତିଷ୍ଠା ଲାଗି ବୁଝାମଣା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପ ଅନୁସାରେ ଆସନ୍ତା ୨୦୨୬ରେ ଚୀନ ଚନ୍ଦ୍ରକୁ ଚାଙ୍ଗ ୬, ଚାଙ୍ଗ ୭ ଓ ଚାଙ୍ଗ ୮ ନାମକ ୩ଟି ଯାନ ପଠାଇବ।