spot_img

Latest Posts

ଏଆଇ ପିଚରେ ସଚିନ ତେନ୍ଦୁଲକର: OpenAI ସହ କଲେ ବଡ଼ ସହଭାଗିତା

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟ୍ ପିଚ୍ ରେ ବ୍ୟାଟ୍ରେ ଅଗଣିତ ରେକର୍ଡ ଗଢ଼ିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବେ ପ୍ରଯୁକ୍ତି ଦୁନିଆରେ ନୂଆ ଇନିଂସ ଆରମ୍ଭ କରୁଛନ୍ତି। କ୍ରିକେଟ୍ ପରେ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇକୁ ନେଇ ସଚିନଙ୍କ ଆଗ୍ରହ ସାମ୍ନାକୁ ଆସିଛି। ସେ ପ୍ରସିଦ୍ଧ ଏଆଇ କମ୍ପାନୀ OpenAI ସହିତ ସହଭାଗିତା କରିଥିବା ଘୋଷଣା କରିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ସଚିନ ଏହି ସହଭାଗିତା ସମ୍ପର୍କରେ ସୂଚନା ଦେଇଛନ୍ତି। ସଚିନଙ୍କ କହିବା ଅନୁସାରେ, ସେ ChatGPT ସହିତ ମିଶି ଏଆଇର ବିଭିନ୍ନ ସମ୍ଭାବନାକୁ ଅନୁସନ୍ଧାନ କରିବା ନେଇ ଉତ୍ସାହିତ। ତାଙ୍କର ନୂଆ ଅଭିଯାନର ଲକ୍ଷ୍ୟ ଏଆଇକୁ କେବଳ ଏକ ପ୍ରଶ୍ନର ଉତ୍ତର ଦେଉଥିବା ଟୁଲ୍ ଭାବେ ନୁହେଁ, ବରଂ ଦୈନନ୍ଦିନ ଜୀବନରେ କିପରି ଉପଯୋଗୀ ଭାବେ ବ୍ୟବହାର କରାଯାଇପାରେ, ସେନେଇ ଲୋକଙ୍କୁ ପରିଚିତ କରାଇବା। ଏହି ସହଭାଗିତା ଘୋଷଣା ସହ ସଚିନ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ସେ ChatGPT ସହ ଏକ ମଜାଦାର ଖେଳ ଖେଳୁଥିବା ଦେଖାଯାଇଛି। ମାତ୍ର ୧୦ଟି ପ୍ରଶ୍ନ ମାଧ୍ୟମରେ ତାଙ୍କୁ ଚିହ୍ନିବା ପାଇଁ ସଚିନ ChatGPTକୁ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ବିଷୟରେ ଦିଆଯାଇଥିବା ସଙ୍କେତ ଆଧାରରେ ChatGPT ତାଙ୍କୁ ଚିହ୍ନଟ କରିଥିବା ଭିଡିଓରେ ଦେଖାଯାଇଛି।

ସଚିନ ତାଙ୍କ ପୋଷ୍ଟରେ ଏଆଇ ପ୍ରତି ନିଜର ଉତ୍ସୁକତା ସମ୍ପର୍କରେ ମଧ୍ୟ କହିଛନ୍ତି। ତାଙ୍କ ମନରେ ସବୁବେଳେ ନୂଆ ନୂଆ ପ୍ରଶ୍ନ ଆସୁଥାଏ ଏବଂ ଗୋଟିଏ ପ୍ରଶ୍ନ ଆଉ ଏକ ପ୍ରଶ୍ନର ଦ୍ୱାର ଖୋଲିଥାଏ ବୋଲି ସେ ଉଲ୍ଲେଖ କରିଛନ୍ତି। ChatGPT ଏହି ଉତ୍ସୁକତାକୁ ଆହୁରି ବଢ଼ାଇଛି ବୋଲି ସଚିନଙ୍କ ମତ। ସଚିନ ନିଜର ଏକ ବ୍ୟକ୍ତିଗତ ଅନୁଭୂତି ମଧ୍ୟ ସେୟାର କରିଛନ୍ତି। ପରିବାର ସହ ଏକ ଯାତ୍ରା ସମୟରେ ChatGPT ତାଙ୍କୁ ଟ୍ରାଭେଲ୍ ପ୍ଲାନ୍ ପ୍ରସ୍ତୁତ କରିବାରେ ସହାୟତା କରିଥିବା ସେ କହିଛନ୍ତି। ଏହି ଅନୁଭବ ତାଙ୍କୁ ଦୈନନ୍ଦିନ ଜୀବନରେ ଏଆଇର ବ୍ୟବହାରିକ ଉପଯୋଗିତା ବିଷୟରେ ଅଧିକ ଅନୁଭବ ଦେଇଥିବା ସୂଚନା ମିଳିଛି। ସଚିନଙ୍କ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ଏଆଇ ସହ ପରୀକ୍ଷା କରିବାକୁ ଉତ୍ସାହିତ କରିବା। ନିଜ ଆବଶ୍ୟକତା, ପସନ୍ଦ ଓ ଧାରଣା ଅନୁସାରେ ଲୋକମାନେ ଏଆଇକୁ କିପରି ବ୍ୟବହାର କରିପାରିବେ, ସେନେଇ ସଚେତନତା ବଢ଼ାଇବା ଉପରେ ତାଙ୍କର ଗୁରୁତ୍ୱ ରହିଛି।

ସଚିନ ତେନ୍ଦୁଲକରଙ୍କ କ୍ରିକେଟ୍ କ୍ୟାରିୟର ନିଜେ ଏକ ଇତିହାସ। ୧୯୮୯ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୬୬୪ଟି ମ୍ୟାଚ୍ ଖେଳି ୩୪,୩୫୭ ରନ୍ ସଂଗ୍ରହ କରିଥିଲେ। ଏଥିରେ ଟେଷ୍ଟରେ ୧୫,୯୨୧ ଏବଂ ଦିନିକିଆରେ ୧୮,୪୨୬ ରନ୍ ସାମିଲ ରହିଛି। ସଚିନଙ୍କ ନାମରେ ୧୦୦ଟି ଅନ୍ତର୍ଜାତୀୟ ଶତକ ରହିଛି। ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ ରନ୍ର ଅପରାଜିତ ଇନିଂସ ଖେଳି ସେ ପୁରୁଷ ଦିନିକିଆ କ୍ରିକେଟ୍ରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ପାଇଁ ୨୦୧୪ରେ ସେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇଥିଲେ।

ଅନ୍ୟପଟେ OpenAI ମଧ୍ୟ ବିଭିନ୍ନ କ୍ଷେତ୍ରରେ ChatGPTର ବ୍ୟବହାର ବଢ଼ାଇବା ଦିଗରେ କାମ କରୁଛି। ବିଭିନ୍ନ ପେସା, ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟରେ ଏଆଇର ବ୍ୟବହାର ବଢ଼ୁଥିବା ବେଳେ ସଚିନଙ୍କ ଭଳି ଜଣେ ପରିଚିତ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହଭାଗିତା ଏଆଇକୁ ନେଇ ସାଧାରଣ ଲୋକଙ୍କ ଆଗ୍ରହକୁ ଆହୁରି ବଢ଼ାଇପାରେ। କ୍ରିକେଟ୍ ପିଚରେ ନିଜ ବ୍ୟାଟରେ ଇତିହାସ ଲେଖିଥିବା ସଚିନ ଏବେ ଏଆଇ ପିଚରେ କିପରି ନୂଆ ଇନିଂସ ଖେଳୁଛନ୍ତି, ତାହା ଉପରେ ଏବେ ନଜର ରହିଛି।

Latest Posts

Don't Miss