ପାକିସ୍ତାନରେ ସରବଜିତର ହତ୍ୟାକାରୀକୁ ଗୁଳି କରି ହତ୍ୟା କଲେ ଅଜ୍ଞାତ ଆତତାୟୀ,ଝିଅର ଅଭିଯୋଗ ନିଜ ସତ ଲୁଚାଇବାକୁ ପାକିସ୍ତାନର ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନକୁ ନେଇ ଉଠିଛି ପ୍ରଶ୍ନ । ସତ ଲଚାଇବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ସରବଜିତଙ୍କ ଝିଅ । ସେ କହିଛନ୍ତି କି, ସତ ଲୁଚାଇବା ପାଇଁ ତାଙ୍କ ପିତାଙ୍କ ହତ୍ୟାକାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପଞ୍ଜାବର ସରବଜିତ ସିଂ ୧୯୯୦ ମସିହାରେ ପାକିସ୍ତାନରେ ଜାସୁସି ତଥା ବୋମାମାଡ଼ ଘଟଣାରେ ପାକିସ୍ତାନରେ ଜେଲରେ ରହିଥିଲେ । ସରବଜିତ ଦ୍ବାରା ହୋଇଥିବା ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଲାହୋର ଜେଲରେ ୨୩ ବର୍ଷ ସଜା କାଟିବା ପରେ ୨୦୧୩ ମସିହାରେ ଜେଲରେ ତାଙ୍କୁ ହତ୍ୟା କରାଯାଇଥିଲା । ଅଣ୍ଡର ଓ୍ବାଲ୍ଡ ଡନ ଅମୀର ସର୍ଫରାଜ ହତ୍ୟା କରିଥିବା କୁହାଯାଇଥିଲା । ଅମୀରକୁ ଦୁଇଜଣ ଅଜ୍ଞାତ ଯୁବକ ଗୁଳି କରି ହତ୍ୟା କରିଥିବାବେଳେ ଏହାକୁ ନେଇ ପ୍ରଥମେ ସରବଜିତଙ୍କ ପରିବାର ଖୁସି ହୋଇଥିଲେ । ସେମାନଙ୍କୁ ନ୍ୟାୟ ମିଳିଛି ବୋଲି କହିଥିଲେ । ମାତ୍ର ସରବଜିତଙ୍କ ଝିଅ ଏବେ ପାକିସ୍ତାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ଜାଣିଶୁଣି ଜେଲରେ ମୋ ପିତାଙ୍କୁ ହତ୍ୟା କରିଥିଲେ ଏବଂ ଏବେ ଅମୀରକୁ ଗୁଳି କରି ହତ୍ୟା କରାଯାଇଛି । ସତ ଲୁଚାଇବା ପାଇଁ ପାକିସ୍ତାନ ଏଭଳି ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।

ଏହାସହ ସରବଜିତଙ୍କ ଝିଅ ଏକ ଇଣ୍ଟରଭିୟୁରେ କହିଛନ୍ତି କି, ତାଙ୍କ ବାପା ଲେଖିଥିବା ଶେଷ ଚିଠିରେ ଲେଖିଥିଲେ କି ଜେଲରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଉଛି । ଏଭଳି ଅମାନୁଷିକ ବ୍ୟବହାର ମଧ୍ୟ କରାଯାଉଛି । ଏପରିକି ସେ ଲେଖୁଥିବା ଏକ ଡାଏରୀରେ ପ୍ରତିଦିନର ନିର୍ଯାତନା ସମ୍ପର୍କରେ ରହିଥିଲା । ମାତ୍ର ଏହାକୁ ତାଙ୍କ ମରଶରୀର ସହ ପଠାଯାଇନଥିଲା । କହି ରଖୁଛୁ କି, ରବିବାର ଅମୀରକୁ ଲାହୋରରେ ଦୁଇଜଣ ଅଜ୍ଞାତ ଯୁବକ ଗୁଳିକରି ହତ୍ୟା କରିଛନ୍ତି । ଏହାକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି ।