ନନ୍ଦିଘୋଷ ବ୍ୟୁରୋ: ୟେମେନରେ ପୁଣି ତୀବ୍ର ହୋଇଛି ଯୁଦ୍ଧ। ରାଜଧାନୀ ସାନା ନିକଟରେ ସାଉଦି ଆରବର ବିମାନ ଆକ୍ରମଣରେ ୩୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ହୁଥି-ନିୟନ୍ତ୍ରିତ ଖବର ସଂସ୍ଥା ସାବା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି। ଏହି ଆକ୍ରମଣ ପରେ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ଘର ଉପରେ ବୋମାମାଡ଼
ରଏଟର୍ସର ରିପୋର୍ଟ ଅନୁଯାୟୀ, ସାଉଦି ଆରବ ସାନାର ପୂର୍ବ ଦିଗରେ ଥିବା ବାନି ହୁଶୈଶ ଗାଁକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ବହୁ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଆକ୍ରମଣରେ ଉଦ୍ଧାରକାରୀ ଦଳର କିଛି ସଦସ୍ୟ ଓ ଡାକ୍ତରୀ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି।
ସାନାର ସେହତୁନା ହସ୍ପିଟାଲର ନିର୍ଦ୍ଦେଶକ ଅବଦୁଲ-ଅଜିଜ ଅଲ-ଦୈଲାମିଙ୍କ କହିବା ଅନୁଯାୟୀ, ଉଦ୍ଧାରକାରୀମାନେ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରିବାକୁ ଯିବା ସମୟରେ ପୁଣି ଆକ୍ରମଣ ହେଉଥିଲା। ଫଳରେ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ଆହତଙ୍କ ମଧ୍ୟରୁ ଅନେକଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। କେତେକଙ୍କ ହାଡ଼ ମଧ୍ୟ ଭାଙ୍ଗିଯାଇଛି। ଅନ୍ୟପକ୍ଷରେ ସାଉଦି ଆରବର ସେଣ୍ଟର ଫର ଇଣ୍ଟରନ୍ୟାସନାଲ କମ୍ୟୁନିକେସନ୍ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଥିବା କୁହାଯାଇଛି।
୨୦୨୨ର ଯୁଦ୍ଧବିରତି ପରେ ପୁଣି ସଂଘର୍ଷ
୨୦୨୨ ମସିହାରେ ଜାତିସଂଘର ମଧ୍ୟସ୍ଥତାରେ ସାଉଦି ଆରବ ଓ ହୁଥି ବିଦ୍ରୋହୀଙ୍କ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ହୋଇଥିଲା। ଏହା ପରେ ଉଭୟ ପକ୍ଷ ମଧ୍ୟରେ ସାମରିକ ଆକ୍ରମଣ ଯଥେଷ୍ଟ ହ୍ରାସ ପାଇଥିଲା। କିନ୍ତୁ ଦୀର୍ଘ ଦିନର ଶାନ୍ତି ପରେ ପୁଣି ଥରେ ସଂଘର୍ଷ ବଢ଼ିବାରୁ ୟେମେନରେ ସ୍ଥିତି ଜଟିଳ ହୋଇପଡ଼ିଛି। ହୁଥି ବିଦ୍ରୋହୀମାନେ ଇରାନର ସମର୍ଥନ ପାଉଥିବାବେଳେ ୟେମେନର ରାଜଧାନୀ ସାନା ସମେତ ଅନେକ ଅଞ୍ଚଳ ଉପରେ ସେମାନଙ୍କ ନିୟନ୍ତ୍ରଣ ରହିଛି। ସେମାନେ ସାଉଦି ଆରବର ବିମାନବନ୍ଦର ଓ ତୈଳ ଭିତ୍ତିଭୂମିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏହାର ଜବାବରେ ସାଉଦି ଆରବ ୟେମେନରେ ବିମାନ ଆକ୍ରମଣ ଜାରି ରଖିଛି।
ଯୁଦ୍ଧ ଯୋଗୁଁ ଗଭୀର ମାନବିକ ସଙ୍କଟ
ଦୀର୍ଘ ପ୍ରାୟ ୧୨ ବର୍ଷ ଧରି ଚାଲିଥିବା ଯୁଦ୍ଧ ୟେମେନକୁ ଗଭୀର ମାନବିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଏହି ସଂଘର୍ଷର ପ୍ରଭାବ ଆମେରିକା ଓ ଇରାନ ମଧ୍ୟରେ ବ୍ୟାପକ ଆଞ୍ଚଳିକ ଉତ୍ତେଜନା ସହ ମଧ୍ୟ ଜଡ଼ିତ ରହିଛି। ଆନ୍ତର୍ଜାତୀୟ ପ୍ରବାସ ସଂଗଠନ (IOM)ର ତଥ୍ୟ ଅନୁଯାୟୀ, ଜୁଲାଇରେ ପୁଣି ସଂଘର୍ଷ ଆରମ୍ଭ ହେବା ପରଠାରୁ ୨ ଲକ୍ଷରୁ ଅଧିକ ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଲଗାତାର ବୋମାମାଡ଼, ଘରଦ୍ୱାର ଧ୍ୱଂସ ଏବଂ ଜୀବନଜୀବିକା ନଷ୍ଟ ହେବା ଯୋଗୁଁ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ଯୁଦ୍ଧର ଏହି ଭୟାବହ ପରିଣାମ ମଧ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ମହିଳା, ଶିଶୁ ଓ ନିରୀହ ସାଧାରଣ ନାଗରିକ।

