ଭାରତୀୟ କମ୍ପାନୀର ବଡ଼ ସଫଳତା: ୪୦ ପ୍ରତିଶତ ଶସ୍ତା ହେବ ରକେଟ୍ ଲଞ୍ଚିଂ

1 min read

ନୂଆଦିଲ୍ଲୀ: ଆହୁରି ଶସ୍ତାରେ ଅନ୍ତରୀକ୍ଷକୁ ଭାରତ ପଠାଇବ ରକେଟ୍ । ଭାରତୀୟ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏମିତି ରକେଟ୍ ଲଞ୍ଚର ପ୍ରସ୍ତୁତ କରିଛି ଯାହା ସାଟେଲାଇଟକୁ କମ ଖର୍ଚ୍ଚରେ ଠିକଣା କକ୍ଷପଥରେ ପହଞ୍ଚାଇ ପାରିବ । ସେମିତିରେ ବି ଭାରତ ଶସ୍ତାରେ ରକେଟ୍ ପଠାଇବା ପାଇଁ ଦୁନିଆରେ ନାଁ କରିଛି । ଏବେ ଏହି ରକେଟ୍ ଲଞ୍ଚର ବ୍ୟବହାର କରି ଖର୍ଚ୍ଚକୁ ଆହୁରି ୪୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ହେବ । କମ୍ପାନୀ ନଭେମ୍ବର ୨୫ ତାରିଖରେ ନିଜ ଥ୍ରୀଡି ପ୍ରିଣ୍ଟେଡ କ୍ରାୟୋଜେନକ ଇଞ୍ଜିନର ସଫଳ ପରୀକ୍ଷା କରିଛି । କୌଣସି କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷା ଦେଶରେ ପ୍ରଥମ ଥର ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥିରେ ଇନ୍ଧନ ଭାବେ ଲିକୁଇଡ ନେଚୁରାଲ ଗ୍ୟାସ (ଏଲଏନଜି) ବ୍ୟବହାର କରାଯାଇଛି । ଯାହାର ବ୍ୟବହାରରେ ଅନ୍ତରୀକ୍ଷକୁ ସାଟେଲାଇଟ ପଠାଇବା ବେଳେ ପରିବେଶକୁ କମ କ୍ଷତି ପହଞ୍ଚିବ ବୋଲି କୁହାଯାଉଛି ।

ହାଇଦ୍ରାବାଦରେ ଥିବା ସ୍କାଏରୁଟ୍ ଏରୋସ୍ପେସ୍ ନାଗପୁର ସ୍ଥିତ ସୋଲାର ଇଣ୍ଡଷ୍ଟ୍ରୀ ଲିମିଟେଡ ଫେସିଲିଟିରେ ଗତକାଲି ଏହି ଇଞ୍ଜିନର ସଫଳ ପରୀକ୍ଷା କରିଛି । ଯାହାକୁ କମ୍ପାନୀ ନିଜ ରକେଟ୍ ବିକ୍ରମରେ ଲଗାଇବ । ଏହା ସାହାଯ୍ୟରେ ଛୋଟ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ କରାଯାଇପାରିବ ।

କମ୍ପାନୀର ବିଜନେସ୍ ଡେଭଲପମେଣ୍ଟ ପ୍ରମୁଖ ଶିରିଷ ପଲ୍ଲିକୋଣ୍ଡା କହିଛନ୍ତି, ‘ଆମେ ପ୍ରଥମ ଥର ଥ୍ରୀଡି ପ୍ରିଣ୍ଟେଡ କ୍ରାୟୋଜେନିକ ଇଞ୍ଜିନ ପ୍ରସ୍ତୁତ କରିଛୁ । ଏହା ଅନ୍ୟ କ୍ରାୟୋଜେନିକ ଇଞ୍ଜନଠାରୁ ସମ୍ପୂର୍ଣ୍ଣ ଅଲଗା ଓ ଶସ୍ତା ମଧ୍ୟ । କ୍ରାୟୋଜେନିକ ଇଞ୍ଜିନର ଏକାଧିକ ଭାଗ ଥାଏ, ଯାହାକୁ ଯୋଡ଼ା ଯାଇଥାଏ । ହେଲେ ଆମେ ବନାଇଥିବା ଇଞ୍ଜନର ସମସ୍ତ ଏକା ଥରେ ଯୋଡ଼ା ଯାଇ ପ୍ରିଣ୍ଟ କରାଯାଇଛି । ବହୁଳ ଭାବେ ଏହାର ଉତ୍ପାଦନ କରାଗଲେ ମୂଲ୍ୟ ଆହୁରି କମ ହୋଇଯିବ ।’

ସେ ଆହୁରି କହିଛନ୍ତି, ‘ଥ୍ରୀଡ଼ି କ୍ରାୟୋଜେନିକ ଇଞ୍ଜିନ ଅନ୍ୟ କ୍ରାୟୋଜେନିକ ଇଞ୍ଜନ ତୁଳନାରେ ଅଧିକ ବିଶ୍ବାସଯୋଗ୍ୟ । ଏହାର ବ୍ୟବହାର ଆମ ଲଞ୍ଚିଂ ଭାଇକିଲ ବିକ୍ରମ-୨ ଓ ୩ରେ କରାଯିବ । ଏଥିରେ ୩୦ରୁ ୪୦ ପ୍ରତିଶତ କମ ଖର୍ଚ୍ଚ ହେବ । ଇନ୍ଧନ ବଦଳା ଯିବା କାରଣରୁ ଏହାର ମୂଲ୍ୟ ଏତେ ପରିମାଣରେ କମ ହେଉଛି । ଏଥିରେ ଏଲଏନଜି ଓ ଏଲଓଏକ୍ସ ଇନ୍ଧନ ବ୍ୟବହାର କରାଯିବ ଯାହା ଶସ୍ତା ଓ ପ୍ରଦୂଷଣ ମୁକ୍ତ ହେବ । ଏହି ଇଞ୍ଜିନ ଟେଷ୍ଟ କରୁଥିବା ଟିମର ନାଁ ଲିକ୍ୟୁଡ୍ ଟିମ୍ ରଖାଯାଇଛି । ଏଥିରେ ୧୫ ଜଣ ଯୁବ ବୈଜ୍ଞାନିକ କାମ କରୁଛନ୍ତି ।’

ଏହି ଥ୍ରୀଡ଼ି ଫ୍ରିଣ୍ଟେଡ କ୍ରାୟୋଜେନିକ ଇଞ୍ଜିନକୁ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ଡ. ସତିଶ ଧଓନଙ୍କ ନାମରେ ଧଓ୍ବନ-୧ ରଖାଯାଇଛି ଏବଂ ବିକ୍ରମ ରକେଟର ନାଁ ଡ. ବ୍ରକ୍ରମ ସାରାଭାଇଙ୍କ ନାଁ ଅନୁସାରେ ରଖାଯାଇଛି । ଛୋଟ ସାଟେଲାଇଟ୍ ବନାଉଥିବା କମ୍ପାନୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଇଞ୍ଜିନ ନିର୍ମାଣ କରାଯାଇଛି । ଏହି ରକେଟ ଜରିଆରେ ଭାରତକୁ ଦୁନିଆାର ସବୁଠାରୁ ଅଧିକ ପ୍ରିୟ ସ୍ପେସ୍ ଲଞ୍ଚିଂ ପ୍ଲାଟଫର୍ମ ଦେବାକୁ ଚାହୁଁଛୁ ବୋଲି କମ୍ପାନୀର ଓ୍ବେବସାଇଟରେ ଲେଖା ଯାଇଛି ।

ସୂଚନାଯୋଗ୍ୟ, ସ୍କାଏରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଷ୍ଟାର୍ଟଅପ୍ କମ୍ପାନୀ ଯିଏ ନିଜର ରକେଟ ବନାଇଛି । ଏଠାରେ ୧୦୦ ରକେଟ ଇଞ୍ଜିନିୟର କାମ କରୁଚନ୍ତି । ଏମାନଙ୍କ ମଧ୍ୟରୁ କିଛି ପୂର୍ବରୁ ଇସ୍ରୋରେ କାମ କରିଛନ୍ତି ।

Leave a Reply