ଆଇଆଇଏମ୍‍ସିରେ ଉନ୍ମୋଚିତ ହେଲା ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍‍

ଢେଙ୍କାନାଳ: ବିଶ୍ୱ ସମୁଦାୟ ଏବେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ନିରାପତ୍ତାକୁ ଗୁରୁତ୍ୱ ଦେଉଛି । ହେଲେ ବିଭିନ୍ନ ଦେଶରେ ଆତଙ୍କବାଦ ସମସ୍ୟା, ଆଭ୍ୟନ୍ତରୀୟ ସଂଘର୍ଷ ଆଦି ଲାଗି ରହୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି । ଏ ଦିଗରେ ଗଣମାଧ୍ୟମର ଏକ ବଳିଷ୍ଠ ଭୂମିକା ରହିଛି । ବିଶ୍ୱରେ ଗଣମାଧ୍ୟମ ହିଁ ଶାନ୍ତି ସ୍ଥାପନ କରିପାରିବ । ତେବେ ଏଥିପାଇଁ ଗଣମାଧ୍ୟମ ଅଧିକରୁ ଅଧିକ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ଆଇଆଇଏମ୍‍ସିର ମହାନିର୍ଦ୍ଦେଶକ ପ୍ରଫେସର ଡ. ସଞ୍ଜୟ ଦ୍ୱିବେଦୀ ।

ଗଣତନ୍ତ୍ର ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ଶାନ୍ତି ସାମ୍ବାଦିକତା’ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରି ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଏ ଦେଶ ହେଉଛି ଗୌତମ ବୁଦ୍ଧଙ୍କ ଦେଶ । ଏହି ମାଟିରେ ମହାବୀର ଜୈନ, ନାନକ, ମହାତ୍ମା ଗାନ୍ଧୀଙ୍କ ପରି ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କ ଜନ୍ମ । ଏମାନେ ସମସ୍ତେ ଶାନ୍ତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଶାନ୍ତି ଆମର ମୂଳମନ୍ତ୍ର । ଭାରତ ମାଟିରୁ ହିଁ ଶାନ୍ତିର ବାର୍ତ୍ତା ବିଶ୍ୱବ୍ୟାପି ପ୍ରସାରିତ ହୋଇଛି । ତେବେ ଦୁଃଖର କଥା, ଆଜିକାଲି ଅନେକ କ୍ଷେତ୍ରରେ, ଅନେକ ସ୍ଥାନରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି । ଶାନ୍ତି ବିନା ବିକାଶ ବି ସୂଚାରୁରୂପେ ହୋଇପାରିବ ନାହିଁ । ଏଣୁ ଏଦିଗରେ ଗଣମାଧ୍ୟମ ସକାରାତ୍ମକ ମନୋଭାବ ପୋଷଣ କରି ଶାନ୍ତି ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଡିଭିଆର୍‍ ମୂର୍ତ୍ତି କହିଛନ୍ତି, ଆଜିକାଲି ଗଣମାଧ୍ୟମରେ ଶାନ୍ତି ସାମ୍ବାଦିକତା ଖୁବ୍‍ କମ୍‍ ଦେଖିବାକୁ ମିଳୁଛି । ସେ କେତୋଟି ଇଂରାଜୀ ଦୈନିକ ଖବରକାଗଜର ଉଦାହରଣ ଦେଇଛନ୍ତି । ମୁଖ୍ୟଧାରାର ଜାତୀୟ ତଥା ଆଞ୍ଚଳିକ ଖବରକାଗଜରେ ଶାନ୍ତି ସାମ୍ବାଦିକତାର ସ୍ଥାନ ନୈରାଶ୍ୟଜନକ । ଏମିତିକି ଏହି ଧରଣର ଖବର ଏକ ପ୍ରତିଶତରୁ ବି କମ୍‍ ବାହାରୁଛି । ତେବେ ଶାନ୍ତି ସାମ୍ବାଦିକତାର ଅନ୍ୟତମ ପ୍ରମୁଖ ଉପାଦାନ ହେଉଛି ସତ୍ୟତା । ସତ ତଥ୍ୟ ତଥା ଖବରର ପୁଙ୍ଖାନୁପୁଙ୍ଖ ଗବେଷଣା, ବିଶ୍ଳେଷଣ ଏବଂ ଉପସ୍ଥାପନା ଶାନ୍ତି ସାମ୍ବାଦିକତାକୁ ଆଗେଇ ନେଇଥାଏ । ଏଣୁ ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ଯୁବ ସାମ୍ବାଦିକମାନେ ଏ ନେଇ ସଚେତନ ରହିବା ଦରକାର । ଶାନ୍ତି ସାମ୍ବାଦିକତାର ଗୁରୁତ୍ୱକୁ ବୁଝିବା ସହ ସାମ୍ବାଦିକମାନେ ଏଥିପାଇଁ ଅଧିକରୁ ଅଧିକ ଅବଦାନ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ବର୍ତ୍ତମାନ ସମୟରେ ଶାନ୍ତି ସାମ୍ବାଦିକତାର ବେଶ୍‍ ଆବଶ୍ୟକତା ରହିଛି । ଚଳିତ ବର୍ଷ ଅର୍ଥାତ୍‍ ୨୦୨୧କୁ ଜାତିସଂଘ ଶାନ୍ତି ଓ ବିଶ୍ୱାସର ବର୍ଷ ଭାବେ ଅଭିହିତ କରିଛି । ଏସବୁ ଦୃଷ୍ଟିରୁ ଆଇଆଇଏମ୍‍ସି ପକ୍ଷରୁ ଏପରି ଏକ ସ୍ୱତନ୍ତ୍ର ମନୋଗ୍ରାଫ୍‍ ପ୍ରସ୍ତୁତ କରାଯାଇଛି । ସାମ୍ବାଦିକତା କରୁଥିବା ଏବଂ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମନୋଗ୍ରାଫ୍‍ଟି ନିଶ୍ଚୟ ଅନେକ ଦିଶା ଓ ଦିଗନ୍ତ ଦେଇପାରିବ ବୋଲି ଆଶା । ଗୁଗୁଲ୍‍ ମିଟ୍‍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଇଆଇଏମ୍‍ସିର ସହକାରୀ ପ୍ରଫେସର ସମ୍ବିତ ପାଲ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର । ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍‍ରେ ମୋଟ ୧୫ଟି ସନ୍ଦର୍ଭ ଓ ନିବନ୍ଧ ସ୍ଥାନ ପାଇଛି । ଏଥିରେ ଦେଶର ବହୁ ଖ୍ୟାତନାମା ଶିକ୍ଷାବିତ, ସାମ୍ବାଦିକଙ୍କ ଲେଖା ରହିଛି ।

ପରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଓ ଆଇଆଇଏମ୍‍ସିର ମିଳିତ ଆନୁକୂଲ୍ୟରେ କବିତା ପାଠୋତ୍ସବ ‘ଶବ୍ଦାଞ୍ଜଳି’ ଅନୁଷ୍ଠିତ ହୋଇଛି । ଏଥିରେ ଆଇଆଇଏମ୍‍ସିର ଅତିରିକ୍ତ ନିର୍ଦ୍ଦେଶକ (ପ୍ରଶାସନିକ) କେ. ସତିଶ ନମ୍ବୁଦିରିପଦ୍‍ ଭାରତୀୟ ଭାଷା ସାହିତ୍ୟର ମହାନତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଥିସହିତ ଲେଖକ ସଂସଦର ବହୁ କବି, କବୟିତ୍ରୀ ତଥା ସଂସ୍ଥାନର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ କବିତା ପାଠ କରିଛନ୍ତି ।
ସକାଳେ ସଂସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ପତାକା ଉତ୍ତୋଳନ ପରେ ଡ. ଚାଟାର୍ଜୀ କହିଛନ୍ତି, ସମ୍ବିଧାନର ଆତ୍ମାକୁ କେବଳ ନ୍ୟାୟପାଳିକା ଏବଂ ଗଣମାଧ୍ୟମ ହିଁ ସୁରକ୍ଷିତ ରଖିପାରିବ । ଏଣୁ ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ସାମ୍ବାଦିକମାନେ ଏହାର ପ୍ରତିପାଦନ ପାଇଁ ଆଗକୁ ଆସିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ କର୍ମଚାରୀଙ୍କ ସମେତ କିଛି ଛାତ୍ରଛାତ୍ରୀ ଯୋଗଦେଇ ଗଣତନ୍ତ୍ର ଦିବସରେ ନିଜର ଦୃଷ୍ଟିଭଙ୍ଗୀ ରଖିଥିଲେ । ପରେ ସମସ୍ତେ କ୍ୟାମ୍ପସ୍‍ ସଫେଇ କରିଥିଲେ ।

Leave a Reply